Odisha News

ପୁରୁଣା ବ୍ରହ୍ମପୁର : ଟୁଟୁ ହାତୀଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ ସଫଳତା, ଘଟଣାରେ ଜଣେ ନାବାଳକ ସମେତ ୩ ଗିରଫ

ପୁରୁଣା ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ କାଞ୍ଜିବରା ସାହିରେ ଗତକାଲି ରାତିରେ ହୋଇଥିବା ହତ୍ୟା ଉଦ୍ୟମ ଘଟଣାରେ ପୋଲିସକୁ ମିଳିଛି ସଫଳତା । ଘଟଣାରେ ସମ୍ପୃକ୍ତ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବଡ଼ବଜାର ଥାନା ପୋଲିସ । ଗତକାଲି ରାତି ୯ଟା ସମୟରେ ସୀତା ଢ଼ିମିରି ସାହିର ଟୁଟୁ ହାତୀ କାଞ୍ଜିବରା ସାହିକୁ ଯାଇଥିବା ବେଳେ ତିନି ଜଣ ତାଙ୍କୁ ଆସି ଖଣ୍ଡାରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ଗୁରୁତର ଭାବେ ତଳେ ପଡ଼ିଯାଇଥିଲେ ଟୁଟୁ ହାତୀ । ଟୁଟୁଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।

crimeଏନେଇ ଖବର ପାଇବା ପରେ ବଡ଼ବଜାର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅଭିଯୁକ୍ତ ମାନେ ହେଲେ ବାୟା ହାତୀ,ଅମୂଲ୍ୟ ଘଡ଼େଇ ଓ ଜଣେ ନାବାଳକ । ଗିରଫ ଅଭିଯୁକ୍ତ ଏବଂ ଟୁଟୁଙ୍କ ମଧ୍ୟରେ ଗତ କିଛି ଦିନ ହେଲା ବିଭିନ୍ନ ବିଷୟ ନେଇ ଗଣ୍ଡୋଗଳ ଲାଗି ରହିଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଅଭିଯୁକ୍ତ ମାନେ ଟୁଟୁଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍‌ପି।

ଆକ୍ରଣରେ ବ୍ୟବହାର ହୋଇଥିବା ଦୁଇଟି ଖଣ୍ଡାକୁ ପୋଲିସ ଜବତ କରିବା ସହ ସମସ୍ତ ଗିରଫଙ୍କୁ କୋର୍ଟ ଚାଲାଣ କରିଛି । ତେବେ ଗତ କିଛି ମାସ ହେଲା ରେଶମ ସହର ବ୍ରହ୍ମପୁର ଶାନ୍ତ ଥିବା ବେଳେ କିଛି ଦିନ ହେଲା ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏନେଇ ସହରରେ ଥିବା କିଛି ସ୍ଥାନକୁ ଚିହ୍ନଟ କରାଯିବା ସହ ବିଭିନ୍ନ ଅସମାଜିକ ଗୋଷ୍ଠୀ ଗୁଡ଼ିକ ଉପରେ ତୀକ୍ଷଣ ନଜର ରଖାଯିବା ନେଇ ସ୍ଥାନୀୟ ଥାନା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସପି ମାୟାଧର ସେଠୀ ।

Leave A Reply

Your email address will not be published.