Odisha News

ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆପାଚେ ଗାର୍ଡିଆନ୍‌ ଆଟାକ ହେଲିକପ୍ଟର

କେ ନ୍ୟୁଜ୍‌ : ଭାରତୀୟ ବାୟୁସେନାକୁ ମିଳିଲା ପ୍ରଥମ ଆକ୍ରମଣକାରୀ ହେଲିକପ୍ଟର ଆପାଚେ ଗାର୍ଡିଆନ୍‌। ଆମେରିକାର ଏରିଜୋନ୍‌ରେ ଏହାର ନିର୍ମାଣ କରାଯାଇଛି। ପ୍ରଥମ ବୋଇଂ AH-64E(I) ଆପାଚେ ଗାର୍ଡିଆନକୁ ବିଧିବଦ୍ଧ ଭାବରେ ଗ୍ରହଣ କରିଥିଲେ ଏୟାର ମାର୍ଶଲ ଏ. ଏସ୍‌. ବୁତୋଲା । ଏଭଳି ୨୨ଟି ଲଢୁଆ ଆପାଚେ ଗାର୍ଡିଆନ୍‌ ହେଲିକପ୍ଟର ପାଇଁ ଆମେରିକା ସହ ଚୁକ୍ତି କରିଛି ଭାରତ। ଚଳିତବର୍ଷ ଜୁଲାଇ ସୁଦ୍ଧା ଭାରତରେ ପହଞ୍ଚିବ ପ୍ରଥମ ପର୍ଯ୍ୟାୟ ହେଲିକପ୍ଟର। ତାପୂର୍ବରୁ ମନୋନୀତ ଏୟାର କ୍ରିଉ ଓ ଗ୍ରାଉଣ୍ଡ କ୍ରିଉମାନେ ତାଲିମ୍‌ ପାଇଁ ଆମେରିକାର ଆଲାବାମାରେ ଥିବା ଫୋର୍ଟ ରୁକର୍‌ରେ ଆର୍ମି ବେସ୍‌କୁ ଯାଇଛନ୍ତି। ଆପାଚେ ଗାର୍ଡିଆନ୍‌ ଦୁନିଆର ସବୁଠୁ ଶକ୍ତିଶାଳୀ ଓ ଆଡଭାନ୍ସ ଲଢୁଆ ଯୁଦ୍ଧବିମାନ ବୋଲି କୁହାଯାଉଛି।
ଏହି ଯୁଦ୍ଧ ବିମାନ ଏକାସଙ୍ଗେ ଉଭୟ ସ୍ଥଳ ଓ ଆକାଶ ମାର୍ଗକୁ ଟାର୍ଗେଟ କରିପାରିବ। ଏହି ହେଲିକପ୍ଟରକୁ ପାନାମା ସମେତ ଆଫଗାନିସ୍ତାନ ଓ ଇରାକ ଯୁଦ୍ଧ ବେଳେ ପ୍ରୟୋଗ କରିଥିଲା ଆମେରିକା। ଅପରେସନ୍‌ ଲେବାନନ୍‌ ଓ ଗାଜିରେ ବି ଏହାକୁ ବ୍ୟବହାର କରାଯାଇଛି। ଏହାର ଓଜନ ୫ ହଜାର ୧୬୫ କିଲୋଗ୍ରାମ୍‌। ଏଥିରେ ଦୁଇଟି ଜେନେରାଲ୍‌ ଇଲେକ୍ଟ୍ରିକ୍‌ ଟି-୭୦୦ ଟର୍ବୋସେଫ୍ଟ ଇଞ୍ଜିନ ଲାଗିଛି। ଅନ୍ଧାର ରାତିରେ ବି ଏହି ହେଲିକପ୍ଟର ଉଡ଼ାଣ ଭରିବାର କ୍ଷମତା ରଖିଛି। ଆପାଚେ ଗାର୍ଡିଆନ୍‌କୁ ଆମେରିକା ବ୍ୟତୀତ ଇସ୍ରାଏଲ୍‌ ଓ ନେଦରଲ୍ୟାଣ୍ଡ ଭଳି ଦେଶ ବି ବ୍ୟବହାର କରୁଛନ୍ତି। ଭାରତ ଏହି ଯୁଦ୍ଧବିମାନକୁ ଚୀନ ଓ ପାକିସ୍ତାନ ସୀମାରେ ନିୟୋଜିତ କରିବ। କୁହାଯାଉଛି, ଆମେରିକା ଭଳି ଏବେ ଭାରତ ପାକିସ୍ତାନର ଆତଙ୍କୀ ସଂଗଠନ ଉପରେ ଆପାଚେ ଗାର୍ଡିଆନ୍‌ରୁ ଏୟାରଷ୍ଟ୍ରାଇକ୍‌ କରିପାରିବ ଭାରତ। ଆପାଚେ ଗାର୍ଡିଆନ୍‌ ୧୯୮୬ରେ ଆମେରିକା ସେନାରେ ସାମିଲ ହୋଇଥିଲା।

Leave A Reply

Your email address will not be published.