Odisha News
.

ଅରୁଣ ଜେଟଲୀ

ଅରୁଣ ଜେଟଲୀ ଭାରତୀୟ ରାଜନୈତିକ କ୍ଷେତ୍ରରେ ଜଣେ ଜଣାଶୁଣା ମୁହଁ।  ଦିଲ୍ଲୀର ସେଣ୍ଟ ଜାଭିଅର ସ୍କୁଲରେ ପାଠପଢିବା ପରେ ୧୯୭୩ରେ ବାଣିଜ୍ୟରେ ଡିଗ୍ରୀ ହାସଲ କରିଥିଲେ। ତା’ ପରେ ୧୯୭୭ ମସିହାରେ ଏଲଏଲ୍‌ବି ପାସ କରୁଥିଲେ ଜେଟଲୀ। ୧୯୭୪ରୁ ଜେଟଲୀ ଏବିଭିପିର ଛାତ୍ର ନେତା ରହିଥିଲେ। ୧୯୭୩ ମସିହାରେ ରାଜ ନାରାୟଣ ଏବଂ ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ପ୍ରମୁଖ ନେତା ରହିଥିଲେ ଜେଟଲୀ। ଜୟପ୍ରକାଶ ନାରାୟଣଙ୍କ ଦ୍ୱାରା ନିଯୁକ୍ତ ଛାତ୍ର ଏବଂ ଯୁବ ସଂଗଠନର ରାଷ୍ଟ୍ରୀୟ ସମିତିର ସଂଯୋଜକ ରହିଥିଲେ। ୧୯୭୭ ସମୟରେ କଂଗ୍ରେସକୁ ହାରର ସାମ୍ନା କରିବାକୁ ପଡିଥିଲା। ଲୋକତାନ୍ତ୍ରିକ ଯୁବ ମୋର୍ଚ୍ଚାର ସଂଯୋଜକ ନେତା ହେବା କାରଣରୁ ଜେଟଲୀଙ୍କୁ ଦିଲ୍ଲୀ ଏବିଭିପିର ଅଧ୍ୟକ୍ଷ ଏବଂ ଏବିଭିପିର ଅଖିଳ ଭାରତୀୟ ସଚିବ ଭାବେ ନିଯୁକ୍ତି କରାଯାଇଥିଲା। ତାପରେ ୧୯୮୦ରେ ତାଙ୍କୁ ବିଜେପିରେ ସାମିଲ କରାଯାଇଥିଲା।

ବ୍ୟକ୍ତିଗତ ଜୀବନ

୧୯୫୨ ମସିହା ଡିସେମ୍ବର ୨୮ ତାରିଖରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଅରୁଣଙ୍କ ପ୍ରକୃତ ନାମ ହୁଏତ କେହି ଜାଣିନଥିବେ। ତାଙ୍କ ପ୍ରକୃତ ନାମ ଅରୁଣ ମହାରାଜା କିଶନ ଜେଟଲୀ। ଅରୁଣ ଜେଟଲୀ ଜାମ୍ମୁ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ଗିରିଧାରୀ ଲାଲ ଡୋଗ୍ରାଙ୍କ ଝିଅ ସଂଗୀତାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ସନ୍ତାନ ରହିଛନ୍ତି। ପିଲା ଦୁହେଁ ଓକିଲ ଭାବେ କାମ କରୁଛନ୍ତି।

ଆଇନ କ୍ୟାରିଅର

ନିଜର ଆଇନ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଜେଟଲୀ ଜଣେ ଚାର୍ଟାଜ ଆକାଉଣ୍ଟ ଭାବେ କାମ କରିବାକୁ ଚାହୁଁଥିଲେ। ଜେଟଲୀ ୧୯୮୭ ବେଳକରୁ ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଅନ୍ୟ କେତେକ ଉଚ୍ଚ ନ୍ୟାୟାଳୟରେ ଓକିଲାତି ଅଭ୍ୟାସ କରୁଥିଲେ। ଜାନୁଆରୀ ୧୯୯୦ରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟରେ ତାଙ୍କୁ ବରିଷ୍ଠ ଅଧିବକ୍ତା ଭାବେ ନିଯୁକ୍ତି କରାଯାଇଥିଲା। କେବଳ ଏତିକି ନୁହେଁ ଜେଟଲୀ ଭ୍ରଷ୍ଟାଚାର ଏବଂ ଅପରାଧ ସମ୍ବନ୍ଧୀୟ ଅନେକ ପୁସ୍ତକ ଲେଖିଛନ୍ତି। ୧୯୯୮ରେ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଭାରତ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ।

ରାଜନୈତିକ କ୍ୟାରିଅର

ଜେଟଲୀ ୧୯୯୧ରେ ଭାରତୀୟ ଜନତା ପାଟର ରାଷ୍ଟ୍ରୀୟ କାର‌୍ୟ୍ୟକାରିଣୀ ସଦସ୍ୟ ଥିଲେ। ୧୯୯୯ରେ ସାଧାରଣ ନିର୍ବାଚନ ପୂର୍ବରୁ ଜେଟଲୀ ବିଜେପିର ପ୍ରବକ୍ତା ଭାବେ ନିଯୁକ୍ତ ହୋଇଥିଲେ। ତାପରେ ଜେଟଲୀଙ୍କୁ ସୂଚନା ଏବଂ ପ୍ରସାରଣ ରାଜ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି କରାଯାଇଥିଲା। ବାଜପେୟୀଙ୍କ ସରକାର ସମୟରେ ରାଜ ଜେଠମଲାନୀଙ୍କ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ, ନ୍ୟାୟ ଏବଂ କମ୍ପାନୀ ମାମଲାରେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ୨୦୦୦ ମସିହାରେ ଆଇନ,ନ୍ୟାୟ ଏବଂ କମ୍ପାନୀ ମନ୍ତ୍ରଣାଳୟର ଅତିରିକ୍ତ ଭାର ସମ୍ଭାଳିଥିଲେ। ତାପରେ ସେହିବର୍ଷ ନଭେମ୍ବରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପଦୋନ୍ନତି କରାଯାଇଥିଲା।

୨୦୦୯ରେ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ବିପକ୍ଷ ନେତା ଭାବେ ନିର୍ବାଚିତ ହୋଇଥିଲେ ଜେଟଲୀ। କିନ୍ତୁ ତା’ପରେ ଜେଟଲୀ ବିଜେପିର ମହାସଚିବ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟସଭାରେ ବିପକ୍ଷ ନେତା ଭାବେ, ମହିଳା ଆରକ୍ଷଣ ବିଧେୟକ ବିଲ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କେବଳ ସେତିକି ନୁହେଁ, ଜନ ଲୋକପାଳ ବିଲ ଆଣିବା ପାଇଁ ଆନ୍ନା ହଜାରେଙ୍କୁ ସମର୍ଥନ ମଧ୍ୟ କରିଥିଲେ। ୨୦୧୪ରେ ଲୋକସଭା ସିଟ ପାଇଁ ସିଦ୍ଧୁଙ୍କ ବିରୋଧରେ ଅମୃତସରରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ। ୨୦୧୪ରୁ ଅର୍ଥମନ୍ତ୍ରୀ ଭାବେ କାର‌୍ୟ୍ୟ କରିଆସୁଥିଲେ ଅରୁଣ ଜେଟଲୀ। ୨୦୧୭ ମାର୍ଚ୍ଚରୁ ସେପ୍ଟେମ୍ବର  ପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରଣାଳୟର ଭାର ମଧ୍ୟ ସମ୍ଭାଳିଥିଲେ ଜେଟଲୀ।

Loading...

Leave A Reply

Your email address will not be published.