ଭଗବାନ୍ ଶ୍ରୀକୃଷ୍ଣଙ୍କ ଦେହାବସାନରୁ ଜଗନ୍ନାଥ ହେବା ପର୍ଯ୍ୟନ୍ତ ଯାତ୍ରା….ଦ୍ୱାପରରୁ କଳି ଯାଏଁ  !

ପୂର୍ବରୁ ପ୍ରକାଶିତ. . . .

ରାତିର ନିର୍ଜନତାରେ ଗୋମତୀ ନଦୀ ତୀରର ଶାଳବଣ ଚେଇଁ ଉଠୁଥାଏ l ଚେଇଁ ଉଠୁଥାଏ ନିଆଁର ମହମହରେ, ଭୁରୁଭୁରୁ ଚନ୍ଦନର ବାସ୍ନା l ସରିବାର ନାଁ ନେଉ ନଥାଏ ଥମୁନଥିବା ଈଶ୍ୱରଙ୍କ ବିଚ୍ଛେଦ ପରର ଲୁହ ଓ କୋହର ଉତ୍କଣ୍ଠା l

ହଁ, ନିଆଁ ଈଶ୍ୱରଙ୍କ ଦେହରେ ଜୋର୍ ଧରିଲାଣି l  ଜୋର୍ ଧରିଲାଣି ଉର୍ଦ୍ଧମୁଖା ବିଶାଳ ଦୈବୀଅଗ୍ନିର ସ୍ଫୁଲିଙ୍ଗ l ଏହାହିଁ ତ ଈଶ୍ୱରଙ୍କ ଶେଷଦେଖା,ହଁ ଶେଷଦେଖା ରାତି l

ଅଗ୍ନି, ବରୁଣ ଓ ବାୟୁଦେବ ଅଦୃଶ୍ୟରେ, ବିଧି ପ୍ରଦତ୍ତ ନିଜ ନିଜ କର୍ମର ସ୍ୱର୍ଗୀୟ ସମ୍ପାଦନରେ ଵ୍ୟସ୍ତଥାନ୍ତି l ଅପଲକ ନୟନରେ ପଲକ ନ ପକାଇ ଚାହିଁ ରହିଥାନ୍ତି ସର୍ବ ଦେବାଦେବୀ l ମୁକସାକ୍ଷୀ ରହି ମହାଶୂନ୍ୟରୁ ପୁଷ୍ପ ବି ବୃଷ୍ଟି କରୁଥାନ୍ତି l

ହଠାତ୍ ଘୋଟିଆସେ କଳାହାଣ୍ଡିଆ ମେଘ! ମିଛ ବଜ୍ରପାତ ସହ ବିଜୁଳିର ତୁହାକୁତୁହା ଗର୍ଜ୍ଜନ l

ଅଦେଖା ଭୟରେ ଭୀତତ୍ରସ୍ତ ସଂସାର ମନସ୍କ ଲୋକଗୁଡା କ୍ରମଶଃ ଘରମୁହାଁ ହୁଅନ୍ତି l ରହି ଯାଆନ୍ତି କେବଳ: ହାତଗଣତି ମାଲ ଓ ସଖା ଅର୍ଜୁନ l

ଇସାରାରେ ନିଆଁ ଜାଳୁଥିବା ହାତ, ଗାଣ୍ଡିବଧାରୀଙ୍କୁ  ଇଙ୍ଗିତ କରନ୍ତି : ଚାଲ ଯିବା ଏଥର l

ବାସ୍, ଆଉ କେଇ ଘଣ୍ଟା ବାକି ଈଶ୍ୱରଙ୍କୁ ଶୂନ ହେବାରେ l

ବାକି ଥାଏ ଶେଷରେ ଜଳିବାକୁ ନାଭି ଓ ସେହି କ୍ଷଣ ଉପରାନ୍ତେ ମାଟିରେ ମିଶିଯିବ ପ୍ରଭୂଙ୍କ ଉରୁଧରା ଦେହ!

କିନ୍ତୁ ସେମାନଙ୍କୁ ଯିବାପାଇଁ ନିର୍ଦ୍ଦେଶ ଦେଇ, ଶେଷ ଯାଏଁ ରହିବାର ଇଚ୍ଛା ଜାହିର୍ କଲେ ତୃତୀୟ ପାଣ୍ଡବ l

ଚାହୁଁ ଚାହୁଁ ଆଖି ପଲକରୁ ଗାଏବ୍ ହୋଇଯାଆନ୍ତି ଈଶ୍ୱରଙ୍କୁ ଖେଞ୍ଚାମରା ଲୋକ l

ଅପେକ୍ଷା କିନ୍ତୁ ସଖା ପାଇଁ ସଖା, ସଖା ବିନା ସଖା ଶେଷ ବିଦାୟ ଦେବାକୁ l

ନେବାକୁ ମୁଠାଏ ବଳକା ପାଉଁଶ, ପାଉଁଶରେ ବଞ୍ଚିଥିବା ଭସା ବିସର୍ଜନ ମୋକ୍ଷ l

ଓ ଶେଷରେ ଲିଭି ଆସୁଥିବା ନିଆଁ ଭିତରେ, ଫ୍ଲାସ୍ ବ୍ୟାକ ପରି ଦୃଶ୍ୟ ହୁଏ ଦି ସଖାଙ୍କ କାହାଣୀ l

ହଜିଯାଏ ସଖା ପ୍ରେମରେ ସଖା, ସଖା ବିଚ୍ଛେଦରେ ସଖା l

ଘଡଘଡି,ବିଜୁଳି ବି ଫରକ ପକାଏନି ତାକୁ l ଧାର୍ ଧାର୍ ଲୁହରେ ପାଗଳ ପରି ପ୍ରଳାପ କରି ଚାଲିଥାନ୍ତି ଅର୍ଜୁନ l

:- ହେ ଈଶ୍ୱର! ମୋ ସଖା, ମୋ ସହ ଶେଷଥର ଭେଟ ଟିକେ ହୁଏନ୍ତେନି ଓ ତାଙ୍କ ମୁହଁରେ ସଖା ପଦ ଥରେ ଶୁଣାନ୍ତେନି l

ଚମତ୍କାର ହୁଏ…..

ଶୁଭେ କଣ୍ଠସ୍ୱର ଈଶ୍ୱରଙ୍କର ବଳକା ପାଉଁଶ ଭିତରୁ

:- ହେ ସଖା, ସଖା ମୋ ଅର୍ଜୁନ l ମୋ ପାଖକୁ ଆସ, ମୋତେ କୋଳେଇ ନିଅ l ତୁମ ସହ ବିଚ୍ଛେଦ, ବିଚ୍ଛେଦ ନୁହେଁ ମୃତ୍ୟୁ l

ଏକା ରାହାକେ ଦୌଡେ ଅର୍ଜୁନ. . . . . . l ଖୋଜେ ପ୍ରିୟ ସଖାକୁ ଚନ୍ଦନ କାଠର ପାଉଁଶ ଶେଷରେ l

:-  ସଖା. . . . ସଖା. . . . . କେଉଁଠି ଅଛ ତୁମେ , କେଉଁଠି ଆପଣ ? ମୋ ସହ ଛଳ କରନି, ମୋ ସହ ମାୟା କରନି, ହେ ନୀଳ ଈଶ ! ତୁମ ବିନା କି  ଜୀବନ… ହାରିଦେବି !  କୃପା କର ଶେଷଥର ପାଇଁ l

ଉଦଭାସିତ ହୋଇଛନ୍ତି ଈଶ୍ୱର, ସଖା କଥାରେ, ସଖା ପାଇଁ l

କି ପ୍ରେମ, କି ଭଲପାଇବା, ନ ଦେଖା ଆଖି ବି ବିଶ୍ୱାସ କରିବ l

ଏକ ଉଜ୍ଜଳ ଆଲୋକ ଭିତରେ ଦୃଶ୍ୟମାନ ହୁଅନ୍ତି ଈଶ୍ୱର l ଆତ୍ମହରା ହୋଇଯାଆନ୍ତି ଅର୍ଜୁନ l

ସଖାକୁ କୋଳାଗ୍ରତ କରି ଚୁମ୍ବନ ପରେ ଚୁମ୍ବନ ଆଙ୍କିଚାଲନ୍ତି l

:- ମୁଁ ଜାଣିଥିଲି ସଖା : ତୁମେ ନିଶ୍ଚୟ ଆସିବ ! ମୋ ବିନା ତୁମେ ରହିପାରିବନି l

ହଠାତ୍ ଶୂନ୍ୟବାଣୀ ହୋଇଛି : ନିଜକୁ ଦେଖ ଅର୍ଜୁନ! ସ୍ଥିତପ୍ରଜ୍ଞ ହୁଅ!

ଏଇ ଦି ପଦ କଥାରେ ବେହୋସ୍ ରୁ ହୋସ୍ କୁ ଫେରନ୍ତି ତୃତୀୟ ପାଣ୍ଡବ l

ଆବିଷ୍କାର କରନ୍ତି ନିଜ ହାତରେ ଏକ ନିଶ୍ୱାସ ପ୍ରଶ୍ୱାସ ନେଉଥିବା ନୀଳ ମଣି, ହଁ ଗୋଟେ ଜୀଇଁଥିବା ନୀଳନାଭି l

( ଆଗକୁ ଅଛି : କେମିତି ପହଞ୍ଚିଲା ଭଗବାନ୍ ଶ୍ରୀକୃଷ୍ଣଙ୍କ ନୀଳନାଭି ଉଡ୍ରଦେଶେ ମାନେ ଓଡିଶାରେ ) !

 

ଲେଖକ : ମାମପ୍ରବା ଉଗିସୁ

Leave A Reply

Your email address will not be published.