ସମ୍ବିତଙ୍କ ପରେ ପୀତାମ୍ବର : ଏତେବଡ଼ ଭୁଲ ହୋଇଯାଉଛି କାହିଁକି ?

ବିଜେପିର ଛାମୁଆ ନେତାଙ୍କ ତୁଣ୍ଡରୁ ବିଳିବିଳେଇଲା ଭଳି ଏମିତି କିଛି କଥା ବାହାରି ଯାଉଛି ଯେଉଁଥିରେ ସେମାନେ ନିଜେ ଅଡୁଆରେ ପଡୁଛନ୍ତି । କେଇଦିନ ତଳେ ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର କହିଲେ ପୁରୀରେ ଏଥର ଶଙ୍ଖ ଫୁଟିବ । ଏବେ ବିଜେପିର ହିଞ୍ଜିଳି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ସେ ନବୀନଙ୍କ ପ୍ରତିନିଧି । ଉଭୟ ପୀତାମ୍ବର ଓ ସମ୍ବିତ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ନବୀନ ଏବଂ ଶଙ୍ଖ ନାଁ ନେବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।

SAMBITବେଳେ ବେଳେ ଏମିତି ହୁଏ । କାରଣ ପ୍ରତିଦ୍ୱନ୍ଦ୍ୱୀର ପ୍ରଭାବ ମନକୁ ଏତେ ଜୋରରେ ଘାରେ ଯେ ବ୍ୟକ୍ତି ନିଜ ସତ୍ତା ଭୁଲି ପ୍ରତିଦ୍ୱନ୍ଦ୍ୱୀ କଥା ଦିନରାତି ଭାବୁଥାଏ । ହୁଏତ ସେମିତି କିଛି ସମ୍ବିତ ପାତ୍ର ଓ ପୀତାମ୍ବର ଆଚାର୍ଯ୍ୟଙ୍କ କ୍ଷେତ୍ରରେ ହୋଇଥାଇ ପାରେ । ଅବଶ୍ୟ ସେମାନଙ୍କ ପାଖ ଲୋକ କହିଛନ୍ତି ଯେ ଏମିତି ପାଟିରୁ ଖସିଗଲା । ତେବେ ସେ ଜାଣିଶୁଣି ନା ଭୁଲବଶତଃ କହିଛନ୍ତି ତାକୁ ସମ୍ବିତ ଏଯାଏଁ ସ୍ପଷ୍ଟ କରି ନାହାନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ହିଞ୍ଜିଳି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଥିବା ପୀତାମ୍ବର ଆଚାର୍ଯ୍ୟ ନିଜକୁ ସୁଧାରି ନେଇ ନବୀନଙ୍କ ପ୍ରତିନିଧି ନୁହେଁ ପ୍ରତିଦ୍ୱନ୍ଦ୍ୱୀ ବୋଲି ଦୋହରାଇଥିଲେ । ସେ ହିଞ୍ଜିଳିରେ ପ୍ରଚାର କରିବାକୁ ଯିବା ସମୟରେ ଯାଞ୍ଚ ପାଇଁ ତାଙ୍କ ଗାଡିକୁ କାର୍ଯ୍ୟରତ ପୋଲିସ ଓ ନିର୍ବାଚନ ଅଧିକାରୀ ଅଟକାଇ ଥିଲେ । ଏହି ସମୟରେ ପୀତାମ୍ବର କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ ଏବଂ ସେମାନଙ୍କୁ ଧମକ ମଧ୍ୟ ଦେଇଥିଲେ । ଏ ସଂପର୍କିତ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।