ନିର୍ବାଚନରେ ନୂଆ ଟ୍ରେଣ୍ଡ, ଟିକେଟ ପାଇବା ପରେ ବି ଦଳ ଛାଡୁଛନ୍ତି ବିଜେପି ପ୍ରାର୍ଥୀ

ଭୁବନେଶ୍ବର : ଗୋଟିଏ ପଟେ ଓଡ଼ିଶାରେ ପରିବର୍ତ୍ତନ ପାଇଁ ଭବାନୀପାଟଣାରେ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ଦଳ ପରିବର୍ତ୍ତନ କରିଛନ୍ତି ବିଜେପି ବିଧାୟକ ପ୍ରାର୍ଥୀ । ନବୀନ ନିବାସ ଆସି ଶଙ୍ଖ ଫୁଙ୍କିଛନ୍ତି କାକଟପୁରର ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରା । ବିଜେଡିି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଗତ ୨୧ ତାରିଖରେ ବିଜେପି ଘୋଷଣା କରିଥିବା ବିଧାୟକ ପ୍ରାର୍ଥୀଙ୍କ ତାଲିକାରେ କାକଟପୁର ପାଇଁ ତୁଷାରକାନ୍ତିଙ୍କ ନାଁ ଥିଲା। ହେଲେ ସେ ବିଜେପିକୁ ବାଏ ବାଏ କରିଛନ୍ତି ।
ପୂର୍ବରୁ ସୁବାସ ଚୌହାନଙ୍କୁ ବିଜେପୁରରୁ ପ୍ରାର୍ଥୀ କରିବା ପାଇଁ ବିଜେପି ନିଷ୍ପତ୍ତି ନେଇଥିଲା। କିନ୍ତୁ ସେ ବିଜେପି ଛାଡ଼ି ସାମିଲ ହୋଇଥିଲେ ବିଜେଡିରେ । ତାଙ୍କ ପରେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାଗୀରଥି ସେଠୀ ଦଳ ଛାଡ଼ି ବିଜେଡିରେ ମିଶିଥିଲେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାଗୀରଥି ସେଠୀ ବିଜେପି ଛାଡ଼ିବା ଦିନ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ । ଆଉ ଆଜି ଭବାନୀପାଟଣା ଗସ୍ତରେ ମୋଦି ଆସିଥିବା ବେଳେ ତୁଷାରକାନ୍ତି ବିଜେଡିରେ ସାମିଲ ହୋଇଛନ୍ତି । ଟିକେଟ ମିଳିଥିବା ବିଜେପି ପ୍ରାର୍ଥୀ ଦଳ ଛାଡ଼ିବାକୁ ନେଇ ଓଡ଼ିଶା ରାଜନୀତିରେ ନୂଆ ଟ୍ରେଣ୍ଡ ଚାଲିଛି ବୋଲି କୁହାଯାଉଛି।
ଏଭିତରେ କାକଟପୁର ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀ ଭାବେ ସୁରେନ୍ଦ୍ର ସେଠୀଙ୍କ ନାଁ ଘୋଷଣା କରାଯାଇଛି । ଆଉ ଏବେ ବିଜେଡିରେ ତୁଷାରକାନ୍ତି ସାମିଲ ହେବା ପରେ କାକଟପୁର ରାଜନୀତିରେ କଣ ରହିବ ସମୀକରଣ ତାକୁ ନେଇ ଜୋର ଧରିଛି ଚର୍ଚ୍ଚା।