ପୁଣି ଉଠିଲା ଇଭିଏମ ବିବାଦ, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ। ଟାର୍ଗେଟରେ ନିର୍ବାଚନ କମିଶନ ଓ ଇଭିଏମ୍‌। ବାଲଟ ବ୍ୟବସ୍ଥାକୁ ଫେରିବା ସହ ବର୍ତ୍ତମାନ ୫୦ ପ୍ରତିଶତ ଇଭିଏମ୍‌ ସହ ଭିଭିପାଟ ଟାଲି ପାଇଁ ଦାବି କରିଛନ୍ତି । ବିରୋଧୀ ଦଳଙ୍କ ନେତୃତ୍ୱ ନେଉଛନ୍ତି ଚନ୍ଦ୍ରବାବୁ ନାଇଡୁ। ଆନ୍ଧ୍ରପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଆସନରେ ଭୋଟିଂ ହୋଇ ସାରିଛି ।

ଇଭିଏମ୍‌ ଯୋଗୁଁ ଦ୍ୱନ୍ଦ୍ୱ ଓ ଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଛି। ଏହା ବଡ଼ ପ୍ରହସନ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ। ନିର୍ବାଚନ କମିଶନ ବିଜେପି କଥାରେ କାମ କରୁଥିବା ଚନ୍ଦ୍ରବାବୁ ଅଭିଯୋଗ କରିଛନ୍ତି। ନିର୍ବାଚନ କମିଶନ କହିଥିଲେ ଇଭିଏମ୍‌ରେ ଭୋଟ ଦେବା ପରେ ସାତ ସେକେଣ୍ଡ ପାଇଁ ଭିଭିପାଟ ସ୍ଲିପରେ ଜଣା ପଡିବ, ଭୋଟର କାହାକୁ ଭୋଟ ଦେଲେ । କିନ୍ତୁ ସ୍ଲିପ ୭ ସେକେଣ୍ଡ ନୁହଁ ତିନି ସେକେଣ୍ଡ ସ୍କ୍ରିନ୍‌ରେ ରହୁଥିବା ଅଭିଯୋଗ ହେଉଛି।

ପୂର୍ବରୁ ନିର୍ବାଚନ କମିଶନ, ପ୍ରତି ବିଧାନସଭା କ୍ଷେତ୍ରରେ ଗୋଟିଏ ଇଭିଏମ୍‌ ସହ ଭିଭିପାଟର ଟାଲି ପାଇଁ କହିଥିଲେ । ସେପଟେ ବିରୋଧୀ ଦଳ ୫୦ ପ୍ରତିଶତ ଇଭିଏମ୍‌ ଓ ଭିଭିପାଟ ଟାଲି ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ସେପଟେ ଗୋଟିଏ ନୁହଁ ୫ଟି ଇଭିଏମ୍‌ ସହ ଭିଭିପାଟ ପେପର ସ୍ଲିପର ଟାଲି ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।