ମଇଦାନରେ ବଲିଉଡର ହିଟ୍ ଯୋଡ଼ି, ମଥୁରାରେ ବସନ୍ତୀଙ୍କ ଲାଗି ବୀରୁଙ୍କ ପ୍ରଚାର

ନୂଆଦିଲ୍ଲୀ : ପ୍ରଚାର ମଇଦାନରେ ବଲିଉଡ୍ ହିଟ୍ ଯୋଡ଼ି ଧରମ-ହେମା । ଉତ୍ତର ପ୍ରଦେଶ ମଥୁରା ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ । ଗତଥର ସେ ଏହି ଆସନରୁ ସାଂସଦ ଥିଲେ । ତେବେ ଏଥର ତାଙ୍କ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ତରଫରୁ କଡ଼ା ଟକ୍କରର ସାମନା କରିବାକୁ ପଡୁଛି । ତେଣୁ ହେମା ନିଜେ ପ୍ରଚାର କରିବା ପରେ ଏବେ ମଇଦାନକୁ ଆଣିଛନ୍ତି ସ୍ୱାମୀ ଧର୍ମେନ୍ଦ୍ରଙ୍କୁ । ଧର୍ମେନ୍ଦ୍ର ତାଙ୍କ ସହ ଗତକାଲିଠାରୁ ପ୍ରଚାରରେ ମାତିଛନ୍ତି । ବିଶେଷ କରି ନିଜେ ଜାଠ୍ ହୋଇଥିବାରୁ ମଥୁରାର ଜାଠ୍ ବହୁଳ ଅଞ୍ଚଳରେ ଧର୍ମେନ୍ଦ୍ର ନିଜ ଦ୍ୱିତୀୟ ପତ୍ନୀ ହେମା ମାଳିନୀଙ୍କ ପାଇଁ ପ୍ରଚାର କରିବେ । ତେଣୁ ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି, ବସନ୍ତୀଙ୍କ ସମ୍ମାନ ରକ୍ଷା ପାଇଁ ବୀରୁ ମଇଦାନକୁ ଓହ୍ଲାଇଲେ ।