ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା,ଫୋକସ୍ରେ ମାଓବାଦୀ ଅଧ୍ୟୁଷିତ ଜିଲ୍ଲା ଓ ସମ୍ବେଦନଶୀଳ ବୁଥ୍

ଆସନ୍ତା ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟିଂ। ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ୭୨୩୩ ପୋଲିଂ ଷ୍ଟେସନ କରାଯାଇଛି। ଭୋଟର ସଂଖ୍ୟା ୬୦ ଲକ୍ଷ ୩ ହଜାର ୭୦୭। ପୁରୁଷ ଭୋଟର ୨୯ ଲକ୍ଷ ୭୨ ହଜାର ୭୦୭ ଓ ମହିଳା ଭୋଟର ସଂଖ୍ୟା ୩୦ ଲକ୍ଷ ୩୦ ହଜାର ୨୨୨। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୩ ହଜାର ୩୦୭। ପ୍ରଥମ ଥର ଲାଗି ଓଡ଼ିଶାରେ ବେର୍ଲି ବାଲଟ ପେପର ବ୍ୟବହାର ହେବ। ନିର୍ବାଚନ ପାଇଁ ୪୭ହଜାର ୮୦୫ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୨୩୭୫ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର। ପୋଲିଂ ପାର୍ଟିର ସୁରକ୍ଷା ପାଇଁ ୨ଟି ଏମ୍ଆଇ-୧୭ ହେଲିକପ୍ଟର ବ୍ୟବହାର ହେବ। ମାଓଉପଦ୍ରୁତ ଅଂଚଳରେ ସକାଳ ୭ରୁ ଅପରାହ୍ନ ୪ଟା ଯାଏ ମତଦାନ ହେବ। ବାକି ସ୍ଥାନରେ ସଂଧ୍ୟା ୬ଟା ଯାଏ ଭୋଟିଂ ହେବ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା । ପୋଲିସ ଡିଜି ବିକେ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିଲେ ଗୁଇନ୍ଦା ଡିଜି, ଏଡିଜି ଅପରେସନ୍ଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ । ଫୋକସ୍ରେ ରହିଛି ମାଓ ଅଧ୍ୟୁଷିତ ଅଞ୍ଚଳ ଓ ସମ୍ବେଦନଶୀଳ ବୁଥ୍ । ପ୍ରତି ବୁଥ୍ରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବାକୁ ଗୁରୁତ୍ୱ ଦିଆଯାଇଛି । ସମ୍ବେଦନଶୀଳ ବୁଥ୍ରେ ବନ୍ଧୁକଧାରୀ ପୋଲିସ ଓ କେନ୍ଦ୍ରୀୟ ପୋଲିସ ଫୋର୍ସ ମୁତୟନ କରାଯିବ । ଏସବୁ ସ୍ଥାନରେ ତଦାରଖ କରିବେ ବରିଷ୍ଠ ପୋଲିସ ଅଧିକାରୀ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ ଭୋଟ ନିଆଯିବ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଗୋଟିଏ ସମ୍ବେଦନଶୀଳ ବୁଥ ଥିବା ବେଳେ ନବରଙ୍ଗପୁରରେ ୬ଟି, ବ୍ରହ୍ମପୁରରେ ଗୋଟିଏ ଓ କୋରାପୁଟ୍ ରହିଛି ୬ଟି ସମ୍ବେଦନଶୀଳ ବୁଥ୍ । ସେହିଭଳି ବିଧାନସଭା କ୍ଷେତ୍ରରେ ୨୦ଟିି ସମ୍ବେଦନଶିଳ ବୁଥ ଚିହ୍ନଟ ହୋଇଛି । ସମ୍ବେଦନଶୀଳ ବୁଥ୍ରେ ସକାଳ ୭ଟା ରୁ ୪ଟା ଯାଏଁ ମତଦାନ ହେବ । ଅନ୍ୟ ବୁଥ୍ରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ନିଆଯିବ । ନିର୍ବାଚନ ପାଇଁ କେନ୍ଦ୍ରରୁ ୨୯ କଂପାନୀ ଫୋର୍ସ ଆସିଛନ୍ତି । ସେମାନଙ୍କୁ ମାଓ ଅଧ୍ୟୁଷିତ ଜିଲ୍ଲାରେ ମୁତୟନ କରାଯାଇଛି ।