କେନ୍ଦ୍ରାପଡ଼ାରେ ହାଇଭୋଲଟେଜ କ୍ୟାମ୍ପେନ, ମଇଦାନକୁ ଓହ୍ଲାଇଲେ କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର

କେନ୍ଦ୍ରାପଡ଼ାରେ ହାଇଭୋଲଟେଜ ପ୍ରଚାର । କର୍ମୀ ଓ ସମର୍ଥକଙ୍କ ଗହଣରେ ଜୋରଦାର କ୍ୟାମ୍ପେନ ଚଳାଇଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ବିଭିନ୍ନ ସ୍ଥାନରେ ରୋଡ ସୋ ଓ ଶୋଭାଯାତ୍ରା ଚଳାଇଥିବା ବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ । କେନ୍ଦ୍ରାପଡ଼ାରେ କିଏ ହେଭିୱେଟ ତାହା ଜନସାଧାରଣ ସ୍ଥିର କରିସାରିଲେଣି ବୋଲି ଧରଣୀଧର କହିଛନ୍ତି ।
କମ୍ପୁଛି କେନ୍ଦ୍ରାପଡ଼ା । ବିଜୁ ବାବୁଙ୍କ କର୍ମଭୂମିରେ ଜମିଲାଣି ପ୍ରଚାର । ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସର ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରା । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ସେମାନେ ବୁଲି ବୁଲି ଭୋଟ ମାଗୁଛନ୍ତି । ଧରଣୀଧର କହିଛନ୍ତି, ସେ କେନ୍ଦ୍ରାପଡ଼ା ମାଟିର ପୁଅ । ଏଠି କିଏ ହେଭିୱେଟ ଲୋକମାନେ ସ୍ଥିର କରିସାରିଲେଣି ।
ଏପଟେ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ମାର୍ଶାଘାଇରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ସହ ରୋଡ ସୋ କରିଛନ୍ତି ଅନୁଭବ। ନିର୍ବାଚନ ସଭାରେ ଉଦବୋଧନ ଦେଇ ଭୋଟ ମାଗିଛନ୍ତି । ରାଜ୍ୟ ସରକାର ବିଭିନ୍ନ ଜନକଲ୍ୟାଣ ଯୋଜନା ସାଙ୍ଗକୁ ମହିଳା ଶସକ୍ତିକରଣ ପାଇଁ ବିଭିନ୍ନ ପଦକ୍ଷେପ ନେଇଥିବା କହିଛନ୍ତି ଅନୁଭବ । ସେହିପରି କେନ୍ଦ୍ରାପଡ଼ା ବିଧାୟକ ପ୍ରାର୍ଥୀ ଶଶିଭୂଷଣ ବେହେରା ବି ପ୍ରଚାରକୁ ତ୍ୱରାନ୍ଵିତ କରିଛନ୍ତି। ଆସନ୍ତା ୨୯ରେ ଚତୁର୍ଥ ପର୍ୟ୍ୟାୟରେ କେନ୍ଦ୍ରାପଡ଼ାରେ ନିର୍ବାଚନ ହେବ । ଦିନରେ ତାତି ଯୋଗୁ ଏଠାରେ ରାତିରେ ବି ପ୍ରଚାର ଜମିଲାଣି ।