ପୁଣି କଥା କଟାକଟି ହେଲେ ମୋଦି- ନବୀନ, ଗୋଟିଏ ପଟେ ଡବଲ୍ ଇଞ୍ଜିନ୍ ତ ଅନ୍ୟପଟେ ରେଳଲାଇନ୍ ଓ ଜଳସେଚନ ପ୍ରସଙ୍ଗ

ଭୁବନେଶ୍ବର (କେନ୍ୟୁଜ୍) :ପୁଣି ଡବଲ୍ ଇଞ୍ଜିନ୍ କଥା କହିଲେ ମୋଦି । ଭାରତ ଓ ଓଡ଼ିଶାର ବିକାଶ ପାଇଁ ବିଜେପି ସରକାର ଦରକାର। ଆଜି ସୁନ୍ଦରଗଡ଼ ଓ ସୋନପୁରରେ ନିର୍ବାଚନ ସଭାରେ ରାଜ୍ୟରେ ସରକାର ପରିବର୍ତ୍ତନ ନେଇ ଆହ୍ଵାନ ଦେଇଛନ୍ତି ମୋଦି। ବିଜେଡି ଓ କଂଗ୍ରେସକୁ ସମାଲୋଚନା କରିଥିଲେ। ସେପଟେ ମିଶନ ଦକ୍ଷିଣରେ ଥିବା ନବୀନ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ମାରାଥନ୍ ପ୍ରଚାର କରିଛନ୍ତି । କେନ୍ଦ୍ର ଉପରେ ବର୍ଷିଥିଲେ । ରେଳଲାଇନ୍ ଓ ଜଳସେଚନ ସମେତ ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ରୀୟ ଅବହେଳା କଥା ଉଠାଇଛନ୍ତି ।
ପୁଣି ଓଡ଼ିଶାରେ ପରିବର୍ତ୍ତନ ପାଇଁ ଆହ୍ଵାନ ଦେଲେ ମୋଦି । ସୁନ୍ଦରଗଡ଼ ଓ ସୋନପୁରରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି । ମୋଦି ଦମ୍ଭ ଦେଖାଇଛନ୍ତି, କେନ୍ଦ୍ରରେ ପୁଣି ଥରେ ସଂଖ୍ୟାଗରିଷ୍ଠତା ସହ ସରକାର ଗଢିବ ବିଜେପି। କହିଛନ୍ତି, ଦେଶ ଓ ରାଜ୍ୟର ବିକାଶ ପାଇଁ ବିଜେପି ସରକାର ଆସିବା ଦରକାର। ଓଡ଼ିଶାରେ ବିଜେଡି ପୂର୍ବରୁ କଂଗ୍ରେସ ସରକାର ଥିଲା। କିଛି କାମ କରି ନାହାନ୍ତି। କଂଗ୍ରେସ ଯାହା କରିଥିଲା ବିଜେଡି ତାହା କରୁଛି। ତେଣୁ ଡବଲ୍ ଇଞ୍ଜିନ ସରକାର ଦ୍ୱାରା ଉଭୟ ଦେଶ ଓ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ ମୋଦି। ଏହାସହ ପରିବାରବାଦ କଥା କହି କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଥିଲେ।
ଏପଟେ ମୋଦିଙ୍କ ପ୍ରଚାର ସେପଟେ ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ମାରାଥନ୍ କ୍ୟାମ୍ପେନ । ପୁଣି ଥରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ମୋଦି ସରକାରଙ୍କୁ ଆକ୍ଷେପ କହିଥିଲେ, ନବରଙ୍ଗପୁରକୁ କୁଆଡ଼େ ଗଲା ନୂଆ ରେଳ ଲାଇନ୍? କାହିଁକି ସବୁ ଚାଷ ଜମିକୁ ଜଳସେଚନ ସୁବିଧା ନାହିଁ? ଜଳସେଚନ ପାଇଁ କେନ୍ଦ୍ର କେବଳ ୨୫୦ କୋଟି ଟଙ୍କା ଦେଇଛି। କିନ୍ତୁ ଓଡ଼ିଶା ଖର୍ଚ୍ଚ କରିଛି ୨୦ ହଜାର କୋଟି ଟଙ୍କା। ଚାଷୀଙ୍କୁ ଧାନ ଏମ୍ଏସ୍ପି ଦୁଇ ଗୁଣା ଦେବା କଥା କୁଆଡ଼େ ଗଲା? କେବିକେ ଯୋଜନା କାହିଁକି ବନ୍ଦ କଲେ? କାହିଁକି ବନ୍ଦ କଲେ ମହାନଦୀ ପାଣି? ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ଛାତ୍ରବୃତ୍ତି ଯୋଜନା କାହିଁକି ବନ୍ଦ କଲେ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ବିଜେଡି ସୁପ୍ରିମୋ। ଆଗାମୀ ନିର୍ବାଚନରେ ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ନବୀନ।
କୋରାପୁଟ ପରେ ଆଜି ନବରଙ୍ଗପୁର ଲୋକସଭା କ୍ଷେତ୍ରର ରାଇଘର, ଝରିଗାଁ, ମଇଦଳପୁର, ନବରଙ୍ଗପୁର ଓ କୁନ୍ଦ୍ରାରେ ନିର୍ବାଚନୀ ସଭାରେ ଯୋଗଦେଇଥିଲେ ନବୀନ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିବେଦନ କରିଛନ୍ତି । ଦିନ ପାଖେଇବା ସହ ବିଜେଡି ନେତା, କର୍ମୀ ଓ ଭୋଟର ଉତ୍ସାହିତ ଅଛନ୍ତି। ପ୍ରଥମ ପର୍ୟ୍ୟାୟ ମତଦାନ ପାଇଁ ମଝିରେ ରହିଲା ଆଉ ୫ ଦିନ। ନବରଙ୍ଗପୁର ଲୋକସଭା କ୍ଷେତ୍ରରେ ଆସନ୍ତା ୧୧ ତାରିଖରେ ଭୋଟ୍ ନିଆଯିବ । ଏଥିପାଇଁ ପ୍ରଚାର ମୈଦାନ କମ୍ପୁଛି।