ଫୋକସରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ, ୪ଟି ଲୋକସଭା କ୍ଷେତ୍ରକୁ ଗସ୍ତ କରିବେ ମୋଦି-ଶାହା ଯୋଡ଼ି

ଭୁବନେଶ୍ବର : ନିର୍ବାଚନ ପାଇଁ ସରଗରମ ହେଲାଣି ମାହୋଲ। ଓଡ଼ିଶାକୁ ପ୍ରଚାର ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ମାର୍ଚ୍ଚ ୨୯ ତାରିଖରେ କୋରାପୁଟର ଜୟପୁର ଏବଂ ଏପ୍ରିଲ ୨ ତାରିଖରେ ଭବାନୀପାଟଣା ଆସିବେ ପିଏମ୍ ମୋଦି। ସେହିଭଳି ଏପ୍ରିଲ ୧ରେ ଗଜପତି ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁରର ଉମରକୋଟ ଗସ୍ତ କରିବେ ଅମିତ ଶାହ। ଅର୍ଥାତ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ସବୁ ନିର୍ବାଚନୀ କ୍ଷେତ୍ର କୋରାପୁଟ, ବ୍ରହ୍ମପୁର, ନବରଙ୍ଗପୁର ଓ କଳାହାଣ୍ଡିକୁ କଭର କରିବେ ମୋଦି-ଶାହା ଯୋଡ଼ି।
ଓଡ଼ିଶାରେ ୨୦୦୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା। କିନ୍ତୁ ୨୦୧୪ରେ ୪ଟି ପର୍ଯ୍ୟାୟ ନିର୍ବାଚନ ହେଉଛି। ଅଭିଯୋଗ ହେଉଛି ମୋଦି ଶାହା ଯେପରି ସବୁ ନିର୍ବାଚନ କ୍ଷେତ୍ରରେ ପ୍ରଚାର କରି ପାରିବେ, ସେଥିଲାଗି ନିର୍ବାଚନ ପର୍ଯ୍ୟାୟ ସଂଖ୍ୟା ବଢାଯାଇଛି। ଏହାର ଅର୍ଥ ଆଗକୁ ଆହୁରି ମୋଦି-ଶାହା ଗସ୍ତ ରହିଛି। ନିର୍ବାଚନ ତାରିଖ ଘୋଷଣା ପରେ ମୋଦିଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ। ପୂର୍ବରୁ ସେ ଖୋର୍ଦ୍ଧା, ତାଳଚେର, ଝାରସୁଗୁଡ଼ା, ମୟୂରଭଂଜ ଗସ୍ତରେ ଆସି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। କିନ୍ତୁ ସିଧାସିଧା ନବୀନଙ୍କ ବିଷୟରେ କିଛି କହି ନଥିଲେ। ଏବେ ପ୍ରଚାର ସମୟ। ମୋଦି କଣ କହିବେ, ତା ଉପରେ ସମସ୍ତଙ୍କ ନଜର ରହିଛି।
କେବଳ ମୋଦି ନୁହନ୍ତି, କଂଗ୍ରେସର ବରିଷ୍ଠ ନେତା ମଧ୍ୟ ଓଡ଼ିଶା ଆସିବେ ପ୍ରଚାର ପାଇଁ । ଆସନ୍ତା ୪ ତାରିଖରେ ରାହୁଲ ଦକ୍ଷିଣ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।