୨୦୧୯ରେ ଓଡ଼ିଶାରେ ଇତିହାସ ରଚିବ ବିଜେପି : ନରେନ୍ଦ୍ର ମୋଦି

ଭବାନୀପାଟଣା(କେନ୍ୟୁଜ୍) : ୨୦୧୭ରେ ଉତ୍ତରପ୍ରଦେଶରେ ପଦ୍ମ ଫୁଟିଥିଲା। ୨୦୧୮ରେ ତ୍ରିପୁରାରେ ସରକାର ଗଠନ କରିଥିଲା ବିଜେପି। ଏବେ ୨୦୧୯ରେ ଓଡ଼ିଶାରେ ଇତିହାସ ରଚିବ ବିଜେପି। ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଏଭଳି ଦମ୍ଭୋକ୍ତି ଦେଖାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ ବି ନବୀନଙ୍କ ନାଁ ନେଇ ନଥିଲେ ମୋଦି। ଭବାନୀପାଟଣାରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇ ମୋଦି କହିଥିଲେ, ୨୪ ଲକ୍ଷ ଘରକୁ ବିଜୁଳି ସଂଯୋଗ କରାଯାଇଛି। ଓଡ଼ିଶାର ୮ଲକ୍ଷ ଗରିବ ପରିବାରକୁ ପକ୍କା ଘର ମିଳିଛି। ଉଜ୍ଜ୍ୱଳା ଯୋଜନାରେ ସାମିଲ ହୋଇଛନ୍ତି ରାଜ୍ୟର ୪୦ ଲକ୍ଷ ମହିଳା। ଜନଧନ ଯୋଜନାରେ ଏକ କୋଟି ୪୦ଲକ୍ଷ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ସ୍ୱଚ୍ଛ ଭାରତ ଅଭିଯାନର ଓଡ଼ିଶାରେ ନିର୍ମାଣ ହୋଇଛି ୫୦ ଲକ୍ଷ ଶୌଚାଳୟ। ମୋଦି କହିଛନ୍ତି ଏସବୁ କାମ ସେ ନୁହେଁ, ଜନତାଙ୍କ ଭୋଟ୍‌ ଦ୍ୱାରା ସମ୍ଭବ ହୋଇ ପାରିଛି। ପୁଣି ଥରେ ଡବଲ ଇଞ୍ଜିନ କଥା କହିଥିଲେ ମୋଦି। କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର ରହିଲେ ବିକାଶଧାରା ଆଗେଇବ ବୋଲି କହିଛନ୍ତି ମୋଦି।