ଆଜି ଜୟପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଙ୍କବିଜା ପଡ଼ିଆରୁ ଓଡ଼ିଶାରେ ନିର୍ବାଚନ ପ୍ରଚାରର କରିବେ ଶୁଭାରମ୍ଭ

କୋରାପୁଟ : ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରାପୁଟ ଜୟପୁରର ବାଙ୍କବିଜା ପଡ଼ିଆରେ ଆୟୋଜିତ ସଭାରୁ ଓଡ଼ିଶାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିବେ । ଏନେଇ ଚଳଚଞ୍ଚଳ ହୋଇଛି ଜୟପୁର । ରାଜ୍ୟର ବରିଷ୍ଠ ନେତାଙ୍କ ସହ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହର ମାହୋଲ । ସଭାରେ ଏକ ଲକ୍ଷରୁ ଅଧିକ କର୍ମୀ ଯୋଗ ଦେବେ ବୋଲି ଆଶା ରଖିଛି ଦଳ । ସେପଟେ ପ୍ରଧାନମନ୍ତ୍ରୀଙ୍କ ସଭା ପୂର୍ବରୁ ପୋଲିସ ଛାଉଣୀ ପାଲଟିଛି ସଭାସ୍ଥଳ । ଏସପିଜି ସୁରକ୍ଷା ବ୍ୟବସ୍ଥାରେ ବିଏସଏଫ, ଡିଭିଏଫ, ଏସଓଜି ସମେତ ୩୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ । ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ହିମାଂଶୁ ଲାଲଙ୍କ ଅଧ୍ୟକ୍ଷତାରେ କୋରାପୁଟ ଏସପିଙ୍କ ସମେତ ୨୫ ପୋଲିସ ଅଧିକାରୀ ଓ ଅନ୍ୟ ସୁରକ୍ଷା କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେପଟେ ଏପ୍ରିଲ ୨ ତାରିଖରେ ଭବାନୀପାଟଣା ଆସିବେ ପିଏମ୍ ମୋଦି । ଏପ୍ରିଲ ୧ରେ ଗଜପତି ପାରଳାଖେମୁଣ୍ଡି ଏବଂ ନବରଙ୍ଗପୁରର ଉମରକୋଟ ଗସ୍ତ କରିବେ ଅମିତ ଶାହ । ଅର୍ଥାତ ପ୍ରଥମ ପର୍ୟ୍ୟାୟରେ ହେବାକୁ ଥିବା ସବୁ ନିର୍ବାଚନୀ କ୍ଷେତ୍ର କୋରାପୁଟ, ବ୍ରହ୍ମପୁର, ନବରଙ୍ଗପୁର ଓ କଳାହାଣ୍ଡିକୁ କଭର କରିବେ ମୋଦି-ଶାହା ଯୋଡ଼ି ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ଜୟପୁର । ବିଜେପି ନେତାଙ୍କଠୁ ଆରମ୍ଭ କରି କର୍ମୀ ସମସ୍ତେ ଉତ୍ସାହିତ । ନିର୍ବାଚନ ସମୟରେ ପିଏମ୍ ମୋଦିଙ୍କ କୋରାପୁଟ ଗସ୍ତ ଗର୍ବର କଥା । ଅଭିବକ୍ତ କୋରାପୁଟ ପାଇଁ ସଫଳତା ଆଣିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ ବିଜଡି କହିଛି, କେବିକେ ଅଞ୍ଚଳରେ ବିଜେପି ସରକାର କି ପ୍ରଧାନମନ୍ତ୍ରୀ କେବେବି ଧ୍ୟାନ ଦେଇ ନାହାଁନ୍ତି । ଏଠାରେ ସବୁବେଳେ ବିକାଶ ଧାରା ଜାରି ରଖିଛନ୍ତି ରାଜ୍ୟ ସରକାର । ତେଣୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା । କଂଗ୍ରେସ ମଧ୍ୟ କହିଛି, ମୋଦିଙ୍କ ଗସ୍ତ ଅଞ୍ଚଳବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।