ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ସରିଲା ପ୍ରଚାର, ଶେଷ ଦିନରେ କଳାହାଣ୍ଡି ଜିଲ୍ଲାରେ ମାରାଥନ୍‌ କ୍ୟାମ୍ପେନ୍‌ କଲେ ବିଜେଡି ସୁପ୍ରିମୋ

କଳାହାଣ୍ଡି : ପ୍ରଥମ ପର୍ଯ୍ୟାୟ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ। ସରିଲା ହାଇଭୋଲଟେଜ୍‌ ପ୍ରଚାର। ଶେଷ ଦିନରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ମାରାଥନ୍‌ କ୍ୟାମ୍ପେନ କରିଥିଲେ ବିଜେଡି ସୁପ୍ରିମୋ । ଜୟପାଟଣା, ନର୍ଲା ଓ ଲାଞ୍ଜିଗଡ଼ରେ ନିର୍ବାଚନ ସଭାରେ ଉଦବୋଧନ ଦେଇଥିଲେ ନବୀନ। କେନ୍ଦ୍ର ଉପରେ ବର୍ଷିଥିଲେ। ପ୍ରଶ୍ନ କରିଥିଲେ, କେବିକେ ଯୋଜନା କାହଁକି ବନ୍ଦ ହେଲା? ଚାଷୀଙ୍କୁ ଦୁଇ ଗୁଣା ଏମ୍‌ଏସ୍‌ପି କୁଆଡ଼େ ଗଲା? ନବୀନ କହିଥିଲେ, ନିର୍ବାଚନ ଆସିଲେ ବିଜେପି ନେତାଙ୍କର କଳାହାଣ୍ଡି କଥା ମନେପଡ଼େ। ମାଆମାନେ ବିକାଶର ପ୍ରକୃତ ଡବଲ୍‌ ଇଞ୍ଜିନ୍‌। ମିଶନ ଶକ୍ତି, ଧାନ ସଂଗ୍ରହ ଓ ମାଗଣା ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଉଥିବା କହିଥିଲେ ନବୀନ।

ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି ଲୋକସଭା କ୍ଷେତ୍ରରେ ମତଦାନ ରହିଛି। ଗତ ନିର୍ବାଚନରେ ଏଠାରୁ ସାଂସଦ ଭାବରେ ବିଜୟୀ ହୋଇଥିଲେ ଅର୍କକେଶରୀ ଦେଓ। ଏଥର ପ୍ରାର୍ଥୀ ବଦଳାଇ ଅଭିଜ୍ଞ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ମୈଦନାକୁ ଉତାରିଛି ବିଜେଡି। ସେହିପରି ୨୦୧୪ରେ କଳାହାଣ୍ଡି ଜିଲ୍ଲାରେ ବିଜେଡି ସମସ୍ତ ୫ଟି ବିଧାନସଭା ଆସନ ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲା ହାତେଇଥିଲେ । ଏଥର କିନ୍ତୁ ଲାଞ୍ଜିଗଡ଼, ଧର୍ମଗଡ଼, ନର୍ଲା ଓ ଭବାନୀପାଟଣାରେ ପ୍ରାର୍ଥୀ ବଦଳାଇଛି ବିଜେଡି ସୁପ୍ରିମୋ। ଲାଞ୍ଜିଗଡ଼ରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିବା ପ୍ରଦୀପ ଦିସାରୀ, ଧର୍ମଗଡ଼ ମହସୋଦୀ ବାଗ, ନର୍ଲା ଭୁପିନ୍ଦର ସିଂହ, ଭବାନୀପାଟଣା ପାଇଁ ଦୁଷ୍ମନ୍ତ ନାୟକଙ୍କୁ ଟିକେଟ ଦେଇଛି ବିଜେଡି। ଗତ ନିର୍ବାଚନ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିଛି ବିଜେଡି।

ଦୁଇ ଦିନ ହେବ କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ ବିଜେଡି ସୁପ୍ରିମୋ। ଆଜି ଭବାନୀପାଟଣାରେ ମାଆ ମାଣିକେଶ୍ୱରୀଙ୍କ ପୂଜାର୍ଚ୍ଚନା ଓ ଆଶୀର୍ବାଦ ନେଇ ପ୍ରଚାର ମୈଦନାକୁ ଓହ୍ଲାଇଥିଲେ ନବୀନ। ପ୍ରଥମ ପର‌୍ୟ୍ୟାୟ ପ୍ରଚାର ଲଢ଼େଇ ସରିଥିବା ବେଳେ ଏବେ ଇଭିଏମ୍‌ ଲଢ଼େଇକୁ ଅପେକ୍ଷା। ଭରସା ଭୋଟର।