କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛି ବିଜେପି : ନବୀନ ପଟ୍ଟନାୟକ

ସୁନ୍ଦରଗଡ଼(କେନ୍ୟୁଜ୍) : କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ କରୁଛି ବିଜେପି। କାଳିଆ ଯୋଜନାକୁ କେହି ବନ୍ଦ କରି ପାରିବେ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ନିର୍ବାଚନ ସଭାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ। ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି। କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ଦୁଇଟି କିସ୍ତି ପାଇବେ ଚାଷୀ। ଏକାଥରକେ ଚାଷୀଙ୍କ ଆକାଉଣ୍ଟରେ ୧୦ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ନବୀନ କହିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି ନବୀନ କହିଥିଲେ, ନିର୍ବାଚନ ଆସିଲେ କେନ୍ଦ୍ରର ବଡ଼ ବଡ଼ ନେତାଙ୍କର ଓଡ଼ିଶା କଥା ମନେପଡେ। ପ୍ରଶ୍ନ କରିଥିଲେ, ରାଉରକେଲାରେ ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ କୁଆଡେ ଗଲା? SC/ST ପିଲାଙ୍କ ବୃତ୍ତି କାହିଁକି ବନ୍ଦ ହେଲା? ନବୀନ କହିଛନ୍ତି, ଓଡ଼ିଶାବାସୀ ବିଜେଡିର ହାଇକମାଣ୍ଡ। ବିଜେଡି ମହିଳାଙ୍କୁ ତାଙ୍କ ହକ୍ ଦେଇଛି। ମା’ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। ସାଢେ ୪ କୋଟି ଓଡ଼ିଶାବାସୀ ମୋ ପରିବାର। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାର ସେବା କରିବି। ବିଜେଡିକୁ ଆଶୀର୍ବାଦ କରିବା ପାଇଁ ଭୋଟରଙ୍କୁ ନିବେଦନ କରିଥିଲେ ନବୀନ ପଟ୍ଟନାୟକ। ଏହାପରେ ତଳସରା, ବଣେଇ, ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀରେ ମାରାଥନ୍ ପ୍ରଚାର କରିବେ ନବୀନ। ଶେଷରେ ରାଉରକେଲା ଓ ରଘୁନାଥପାଲ୍ଲୀରେ ହାଇଟେକ୍ ରୋଡ୍ ସୋରେ ନିର୍ବାଚନ ପ୍ରଚାର କରିବେ ବିଜେଡି ସୁପ୍ରିମୋ।