ରାଜଧାନୀ : ଲୋକସଭାରୁ ବିଧାନସଭା ଯାଏ, ଚେହେରା ପୁରୁଣା ହେଲେ ନୂଆ ଦାୟିତ୍ୱ; ପ୍ରିୟଦର୍ଶୀଙ୍କ ଜାଗା ନେଲେ ନୂଆ ପ୍ରାର୍ଥୀ ସୁଶାନ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀ ଭୁବନେଶ୍ୱର ଏଥର ନିର୍ବାଚନରେ ଦେଖିବ ଅନେକ ନୂଅ ମୁହଁ । ଅର୍ଥାତ୍‌ ଉଭୟ ଲୋକସଭା ଓ ବିଧାନସଭା ପାଇଁ ନିର୍ବାଚନରେ ନୂଆ ପ୍ରାର୍ଥୀଙ୍କ ଭିତରୁ ନିଜର ପ୍ରତିନିଧି ଭାବେ ବାଛିବେ ରାଜଧାନୀ ବାସିନ୍ଦା । ଯଦିଓ ଅନେକ ଚିହ୍ନା ମୁହଁ ଅଛନ୍ତି ହେଲେ ସେମାନଙ୍କୁ ନୂଆ କରି ସୁଯୋଗ ମିଳିଛି ।

ଲୋକସଭା ପାଇଁ ବିଜେଡିରୁ ଅରୂପ ପଟ୍ଟନାୟକ ଓ ବିଜେପିରୁ ଅପରାଜିତ ଷଡ଼ଙ୍ଗୀ ପ୍ରାର୍ଥୀ ହୋଇଛନ୍ତି । ତେଣୁ ଏଠି ଆଇପିଏସ୍‌ ଓ ଆଇପିଏସ୍‌ ଲଢ଼େଇ ହେବ । ବିଜେଡି ଏଥର ପ୍ରସନ୍ନ ପାଟ୍ଟଶାଣୀଙ୍କ ସ୍ଥାନରେ ଅରୂପ ପଟ୍ଟନାୟକଙ୍କୁ ଆଣିଛି । ୧୯୯୮ରୁ ୨୦୧୪ ଯାଏ ପ୍ରସନ୍ନ ପାଟ୍ଟଶାଣୀ ଭୁବନେଶ୍ୱରକୁ ନିଜ ଦଖଲରେ ରଖିଥିଲେ । ଠିକ୍‌ ସେମିତି ବିଜେପିରେ ମଧ୍ୟ ପୃଥ୍ଵୀରାଜ ହରିଚନ୍ଦନଙ୍କ ବଦଳରେ ପ୍ରାର୍ଥୀ ହୋଇଛନ୍ତି ଅପରାଜିତ ଷଡ଼ଙ୍ଗୀ ।

ANANTA JENA

ସେପଟେ ବେଶ୍‌ କିଛି ଦିନ ଝୁଲେଇ ରଖିବା ପରେ ବିଜେଡି ଭୁବନେଶ୍ୱରରେ ସବୁ ପୁରୁଣା ବିଧାୟକଙ୍କୁ କାଢ଼ି ନୂଆ ପ୍ରାର୍ଥୀଙ୍କୁ ଦେଇଛି । ଭୁବନେଶ୍ୱର-ମଧ୍ୟରୁ ବିଜୟ ମହାନ୍ତିଙ୍କ ଜାଗାରେ ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର-ଉତ୍ତରରୁ ପ୍ରିୟଦର୍ଶୀ ମିଶ୍ରଙ୍କ ଜାଗାରେ ସୁଶାନ୍ତ କୁମାର ରାଉତଙ୍କୁ ଟିକେଟ୍‌ ମିଳିଛି । ସୁଶାନ୍ତଙ୍କ ଲଢ଼େଇ ହେବ ବିଜେପିର ଅପରାଜିତା ମହାନ୍ତିଙ୍କ ସହ ।

ଗତକାଲି ଭୁବନେଶ୍ୱର ଜୟଦେବ ଆସନରୁ ଶଶି ବେହେରାଙ୍କ ସ୍ଥାନରେ ପ୍ରାର୍ଥୀ ଭାବେ ନାଁ ଘୋଷଣା କରାଯାଇଥିଲା ଅରବିନ୍ଦ ଢାଲିଙ୍କର । କେବଳ ଏକାମ୍ରରୁ ନିଜ ପ୍ରାର୍ଥିତ୍ୱ ବଜାୟ ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଅନନ୍ତ ଜେନା ଦୁଇ ଦୁଇଥର ବିଏମ୍‌ସି ମେୟର ହୋଇଛନ୍ତି । ସେହିପରି ଅରବିନ୍ଦ ଢାଲି ମଧ୍ୟ ପୂର୍ବତନ ବିଧାୟକ । ତେବେ ସୁଶାନ୍ତ ହେଛନ୍ତି ନୂଆ ମୁହଁ । ଏବେ ଦେଖିବାର କଥା ଏମାନଙ୍କୁ କିଭଳି ଭାବେ ଗ୍ରହଣ କରୁଛନ୍ତି ଭୁବନେଶ୍ୱର ଭୋଟର ।