ଲକ୍ଷ୍ନୌରେ ରାଜନାଥଙ୍କୁ କାଉଣ୍ଟର କରିବେ ଶତ୍ରୁଘ୍ନ ସିହ୍ନାଙ୍କ ସ୍ତ୍ରୀ !

ରାଜନାଥଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇବେ ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା । ସେ ସମାଜବାଦୀ ପାର୍ଟି (ସପା)ରୁ ଲକ୍ଷ୍ନୌ ଆସନରେ ନିର୍ବାଚନ ଲଢ଼ି ପାରନ୍ତି ବୋଲି ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି । ପୁନମଙ୍କୁ ସମର୍ଥନ ଜଣାଇ କଂଗ୍ରେସ ଲକ୍ଷ୍ନୌରେ କୌଣସି ପ୍ରାର୍ଥୀ ଦେଉନାହିଁ । ସେଥିପାଇଁ ଏଥର ଲକ୍ଷ୍ନୌ ଆସନରୁ ସିଧା ସିଧା ରାଜନାଥଙ୍କ ସହ ପୁନମଙ୍କ ଲଢେଇ ହେବ ବୋଲି ଜଣା ପଡିଛି । ଏପଟେ ପୁନମଙ୍କୁ ସପା ପକ୍ଷରୁ ଟିକେଟ ମିଳିଥିବା ବେଳେ ସେପଟେ ଆସନ୍ତା ୬ ତାରିଖରେ କଂଗ୍ରେସର ହାତ ଧରିବେ ଭେଟେରାନ ଆକ୍ଟର ତଥା ବିଜେପିର ପୂର୍ବତନ ସାଂସଦ ଶତ୍ରୁଘ୍ନ ସିହ୍ନା । ଆଉ ତାଙ୍କୁ ପଟନା ସାହିବ ଆସନରୁ କଂଗ୍ରେସ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହଉଛି । ଯେହେତୁ ଲକ୍ଷ୍ନୌରେ ପଛୁଆ ବର୍ଗର ଲୋକଙ୍କ ସହ ଶତ୍ରୁଘ୍ନ ଓ ପୁନମଙ୍କ ଭଲ ସଂପର୍କ ରହିଛି ତେଣୁ ଏହି ଆସନରେ ପୁନମଙ୍କ ଭୋଟ୍‌ ବ୍ୟାଙ୍କ ସୁଦୃଢ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରଛନ୍ତି ।
ସେପଟେ ବାପା ମାଆଙ୍କ ପାଇଁ ନିଶ୍ଚୟ ପ୍ରଚାରକୁ ଓହ୍ଲାଇବେ ଦବଙ୍ଗ ଲେଡି ଝିଅ ସୋନାକ୍ଷୀ ସିହ୍ନା । କେତେବେଳେ ବାପାଙ୍କ ପାଇଁ ତ କେତେବେଳେ ମାଆଙ୍କ ପାଇଁ ଜିନ୍ଦାବାଦ୍‌ କରିବେ । ଏବେ ଦେଖିବାର କଥା କିଏ ବାଜି ମାରୁଛି ଆଉ କିଏ ଫେଲ୍‌ ମାରୁଛି । ନା ଦୁଇ ଜଣଯାକ ବାଜି ମାରୁଛନ୍ତି ?