ସୋନପୁରରେ କାକା-ପୁତୁରା ମୁହାଁମୁହିଁ , ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି ନିରଞ୍ଜନ ପୂଜାରୀ

ସୋନପୁର(କେନ୍ୟୁଜ୍) : ରାଜନୀତି ବଡ ବିଚିତ୍ର। କେତେବେଳେ ବାପା-ପୁଅ, ଦାଦା-ପୁତୁରା ମୁହାଁମୁହିଁ ହୁଅନ୍ତି। ରାଜନୀତି ସମ୍ପର୍କ ଚିହ୍ନେ ନାହିଁ। ସୋନପୁରରୁ ଏଥର ଦେଖିବାକୁ ମିଳିଛି କାକା-ପୁତୁରା ଲଢେଇ। ଏଥର ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି ନିରଞ୍ଜନ ପୂଜାରୀ।
୨୦୦୯ ଓ ୨୦୧୪ରେ ସୋନପୁରରୁ ଜିତିଥିଲେ ନିରଞ୍ଜନ। ମନ୍ତ୍ରିମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ। ଏବେ ବିଜେଡି ପୁଣି ନିରଞ୍ଜନଙ୍କୁ ପ୍ରାର୍ଥୀ କରିଛି । ଲୋକଙ୍କ ଭରସା ଓ ନବୀନ ସରକାରଙ୍କ ବିକାଶ କାମ, ତାଙ୍କୁ ପୁଣି ବିଜୟ କରାଇବ ବୋଲି ନିରଞ୍ଜନ ଆଶା ରଖିଛନ୍ତି।
ନିରଞ୍ଜନଙ୍କ ବିପକ୍ଷରେ ବିଜେପିର ବରିଷ୍ଠ ନେତା ଅଶୋକ ପୂଜାରୀ। ସମ୍ପର୍କରେ ନିରଞ୍ଜନଙ୍କ ପୁତୁର ହେଉଛନ୍ତି ଅଶୋକ। ଅର୍ଥାତ କାକା-ପୁତୁରା ମୁହାଁମୁହିଁ। ପରିବର୍ତ୍ତନର ଆହ୍ଵାନ ଦେଇ, କାକାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ଅଶୋକ। ରାଜନୀତିରେ ପାର୍ଟିଠାରୁ ବଡ଼ ସମ୍ପର୍କ କିଛି ନାହିଁ ବୋଲି ଅଶୋକ କହିଛନ୍ତି। କାକା-ପୁତୁରା ଲଢେଇରେ ଫାଇଦା ନେବାକୁ ଅନାଇ ରହିଛି ତୃତୀୟ ପକ୍ଷ କଂଗ୍ରେସ। ବହୁ ଦିନ ଧରି ଦଳ ପାଇଁ କାମ କରୁଥିବା ଚିତ୍ତରଂଜନ ମିଶ୍ରଙ୍କୁ ସୋନପୁର ପାଇଁ ପ୍ରାର୍ଥୀ କରିଛି କଂଗ୍ରେସ।