ପୁଣି କଂଗ୍ରେସ ଭବନରେ ଉତ୍ତେଜନା, ଆକ୍ରମଣକାରୀଙ୍କୁ ଗିରଫ ଦାବି

ଭୁବନେଶ୍ୱର (କେ ନ୍ୟୁଜ୍) : ଟିକେଟ୍ ଟେନ୍ସନ୍ ରାଜନୈତିକ ଦଳଗୁଡ଼ିକର ଅବସ୍ଥା ଖରାପ କରି ଦେଲାଣି । କେଉଁଠି ନେତାଙ୍କ ସମର୍ଥକଙ୍କ ଦାବି ଟିକେଟ୍ ଦିଅ ବୋଲି ତ ଆଉ କେଉଁଠି ବିରୋଧୀଙ୍କ ନାରା ପ୍ରାର୍ଥୀ ହୋଇଥିବା ନେତାଙ୍କ ଟିକେଟ୍ କାଟ । ଏସବୁ ଭିତରେ ଗତ ଦୁଇ ଦିନ ହେବ କଂଗ୍ରେସ ଭବନ ଅବସ୍ଥା ଅତି ଅସମ୍ଭାଳ ହୋଇପଡ଼ିଛି । ଗତକାଲି ପ୍ରାର୍ଥିତ୍ୱରେ ମହିଳାଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ଅଭିଯୋଗ କରି ମହିଳା ନେତ୍ରୀ ଓ କର୍ମକର୍ତ୍ତା କଂଗ୍ରେସ ଭବନରେ ତାଲା ପକାଇ ଦେଇଥିଲେ । ଅନେକ ସମୟ ଧରି ବିକ୍ଷୋଭ କରିବା ପରେ କେହି ନଶୁଣିବାରୁ ତାଲା ପକା ଯାଇଥିଲା । ପରେ ଭଦ୍ରକର କିଛି ମହିଳା କଂଗ୍ରେସ କର୍ମୀ ସେହି ତାଲାକୁ ଭାଙ୍ଗି କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ । ଅବଶ୍ୟ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।
ହେଲେ ଆଜି ମଧ୍ୟ ସେଠାରେ ଉତ୍ତେଜନା ଲାଗି ରହିଛି । ଗତକାଲି ଗଣ୍ଡଗୋଳ ବେଳେ ସେମାନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଦାବିରେ ଆଜି ଏହି ମହିଳା ନେତ୍ରୀମାନେ ଅଡ଼ି ବସିଛନ୍ତି । ସେମାନଙ୍କ ସହିତ ଶହ ଶହ ଲୋକ କ୍ୟାମ୍ପସରେ ହୋହଲ୍ଲା କରୁଛନ୍ତି । ଯାହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।