ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଦୁଇ ଦିନ , ଆସନ୍ତାକାଲି ସରୁଛି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର

କେନ୍ୟୁଜ୍ : ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ମଝିରେ ଆଉ ଦୁଇ ଦିନ ବାକି । ଆସନ୍ତାକାଲି ସରୁଛି ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର । କାଲି ସଂଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରଚାର ହେବ । ତେଣୁ ପ୍ରାର୍ଥୀ ଓ ସମର୍ଥକଙ୍କ ହାତରେ ଆଉ ମାତ୍ର ଦୁଇ ଦିନ । ଏଥିପାଇଁ ଦିନ ରାତି ଏକ କରି ଜୋରଦାର ଚାଲିଛି ପ୍ରଚାର । ସଭା, ଶୋଭାଯାତ୍ରା ସହ ରୋଡ୍ ସୋ’ରେ କମ୍ପୁଛି ଗଳିକନ୍ଦି ସହର ବଜାର । ଘର ଘର ବୁଲି ପ୍ରାର୍ଥୀ ଦେଉଛନ୍ତି ପ୍ରତିଶ୍ରୁତି । ଭୋଟ୍ ହାତେଇବା ପାଇଁ କରୁଛନ୍ତି ପ୍ରାଣମୂର୍ଚ୍ଛା ଉଦ୍ୟମ । ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ବ୍ରହ୍ମପୁର ପାଇଁ ଭୋଟ୍ ହେବ । ଏହି ୪ ଲୋକସଭା ଅଧିନରେ ଥିବା ୨୮ଟି ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବ । କଳାହାଣ୍ଡି ଲୋକସଭା ପାଇଁ ବିଜେଡିରୁ ପୁଷ୍ପେନ୍ଦ୍ର ସିଂଦେଓ, ବିଜେପିରୁ ବସନ୍ତ ପଣ୍ଡା ଓ କଂଗ୍ରେସର ଭକ୍ତ ଦାସଙ୍କ ମଧ୍ୟରେ ଟକ୍କର ହେବ । ସେହିପରି ନବରଙ୍ଗପୁର ପାଇଁ ମଇଦାନରେ ଅଛନ୍ତି ବିଜେଡିର ରମେଶ ମାଝୀ, ବିଜେପିର ବଳଭଦ୍ର ମାଝୀ ଓ କଂଗ୍ରେସର ପ୍ରଦୀପ ମାଝୀ । କୋରାପୁଟ ପାଇଁ ବିଜେଡିର କୌଶଲ୍ୟା ହିକ୍କା, ବିଜେପିର ଜୟରାମ ପାଙ୍ଗୀ ଓ କଂଗ୍ରେସର ସପ୍ତଗିରି ଉଲକା ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେହିପରି ବ୍ରହ୍ମପୁରରେ ବିଜେଡିର ଚନ୍ଦ୍ରଶେଖର ସାହୁ, ବିଜେପିର ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ଭି. ଚନ୍ଦ୍ରଶେଖର ନାଇଡୁଙ୍କ ମଧ୍ୟରେ ଟକ୍କର ହେବ ।