କାହିଁକି ଆପ୍ ଏବଂ କଂଗ୍ରେସ୍ ମଧ୍ୟରେ ହୋଇପାରିଲାନି ମହାମେଂଟ ? ଜାଣନ୍ତୁ ୫ ବଡ଼ କାରଣ

ଦିଲ୍ଲୀରେ ହୋଇପାରିଲାନି କଂଗ୍ରେସ୍ ସହ ଆପର ମେଂଟ । ଏକ ବୟାନ୍ ଦେଇ ଏକଥା ସ୍ପଷ୍ଟ କରିଦେଇଛନ୍ତି ନିଜେ ଅରବିନ୍ଦ କେଜ୍ରିୱାଲ୍ । କଂଗ୍ରେସ୍ ସହ ମେଂଟ କରିବା ପାଇଁ ଦୀର୍ଘ ଦିନ ଚେଷ୍ଟା କରିଥିଲା ଆପ୍ । ହେଲେ ଏହି ମେଂଟ କରବାକୁ ନାରାଜ୍ ଥିଲା କଂଗ୍ରେସ୍ । ତେବେ ଉଭୟ ଦଳ ମଧ୍ୟ ମହାମେଂଟ ନହେବାର ଅନେକ କାରଣ ଅଛି । ଆସନ୍ତୁ ନଜର ପକାଇବା କଣ ସେହି ୫ ଟି ବଡ଼ କାରଣ ଯେଉଁଥିପାଇଁ ଉଭୟ ଦଳ ମଧ୍ୟରେ ପଡିଲା ନାହିଁ ।
କହିଁ ପେ ନିଗାହେଁ କହିଁ ପେ ନିଶାନା :
ଦିଲ୍ଲୀର ୭ ଟି ସିଟରେ ଯଦି ଆପ୍ ସହ କଂଗ୍ରେସ୍ ମେଂଟ କରିବା ପାଇଁ ଚର୍ଚ୍ଚା କରେ ତେବେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ସହ ଗୋଆ, ପଂଜାବ,ହରିୟାଣା ଏବଂ ଚଣ୍ଡିଗଡ ବିଷୟରେ ମଧ୍ୟ କଥା ହୋଇପାରେ । ଯେଉଁଥିରେ କଂଗ୍ରେସର ସମସ୍ୟା ରହିଛି । ଆପ୍ ସହ କଂଗ୍ରେସ୍ କେବଳ ଦିଲ୍ଲୀରେ ମହାମେଂଟ୍ କରିବାକୁ ଚାହେଁ ଅନ୍ୟ ପ୍ରଦେଶରେ ନୁହେଁ ।
ପୂର୍ଣ୍ଣ ରାଜ୍ୟ ଦାବିରେ ଅଟକିଲା କଥା :
ପୂର୍ବରୁ ହିଁ ଦିଲ୍ଲୀକୁ ଏକ ପୂର୍ଣ୍ଣ ରାଜ୍ୟ କରିବା ପାଇଁ ନାକେବଳ ଜନତାକୁ କଥା ଦେଇସାରିଛି ବରଂ ନିଜର ପ୍ରଚାର ପ୍ରସାରରେ ମଧ୍ୟ ଏହି ଦାବିକୁ ବ୍ୟବହାର କରୁଛି ଆପ୍। କିନ୍ତୁ ଏଥିରେ ଟିକେ ପଛ ଘୁଂଚା ଦେଉଛି କଂଗ୍ରେସ୍ । ଏତେ ଶୀଘ୍ର ଜନତାକୁ ଏତେ ବଡ଼ କଥା ଦେବା ଉଚିତ୍ ନୁହେଁ ବୋଲି କହିଛି କଂଗ୍ରେସ୍ । କିନ୍ତୁ ଆମ୍ ଆଦମୀ ପାର୍ଟି ଏଥିରୁ ପଛ ଘୁଂଚା ଦେବାକୁ ନାରାଜ୍ ।
ପବ୍ଲିକରେ ବୟାନବାଜି :
କେଜ୍ରିୱାଲ୍ ସର୍ବଦା ମହାମେଂଟକୁ ନେଇ ମିଡିଆରେ ଲଗାତାର ବୟାନବାଜି କରିବାରେ ଆପତ୍ତି ଦେଖାଇଛି କଂଗ୍ରେସ୍ । ଗୋଟିଏ ପଟେ ମେଂଟ ନେଇ କଥା ଚାଲିଛି କିନ୍ତୁ ଅନ୍ୟପଟେ କଂଗ୍ରେସ୍ ବିଳମ୍ବ କରୁଛି ବୋଲି କହି ସହାନୁଭୂତି ସାଉଁଟୁଛି ଆପ୍ । ଯାହାକୁ ହଜମ କରିପାରିନଥିଲା କଂଗ୍ରେସ୍ ।
ଟ୍ରଷ୍ଟ ଡେଫିସିଟ୍ :
ଲୋକସଭା ନିର୍ବାଚନରେ କଂଗ୍ରେସର କେବଳ ଗୋଟିଏ ଲକ୍ଷ ବିଜେପିକୁ ହରାଇବା । କିନ୍ତୁ ଆମ୍ ଆଦମୀ ପାର୍ଟିର ହାବଭାବରୁ ଅଲଗା କିଛି ଜଣା ପଡୁଛି । ଏକଥା ଏଯାଏ ସ୍ପଷ୍ଟ ହୋଇପାରୁନି ଆପର ମିତ୍ର କିଏ ଶତ୍ରୁ କିଏ । ଏମିତିରେ ଆପ୍ ଉପରେ ଭରସା କରିବା କଂଗ୍ରେସ୍ ପାଇଁ କଷ୍ଟକର ଥିଲା ।
ସାତଟି ସିଟରେ କଂଗ୍ରେସର ନଜର :
ଗୋଟିଏ ପଟେ ମହାମେଂଟ୍ ପାଇଁ କଥା ଚାଲିଛି କିନ୍ତୁ ଅନ୍ୟପଟେ ନିଜ ପ୍ରସ୍ତୁତିରେ ବ୍ୟସ୍ତ କଂଗ୍ରେସ୍ । ସାତଟି ସିଟକୁ ନେଇ ପ୍ରାର୍ଥୀ ଚୟନ କରୁଛି । ନିଜ କ୍ୟାମ୍ପେନ୍ ଅନୁଯାୟୀ ୩ ଏପ୍ରିଲକୁ ୭୦ ଜଣ ବିଧାୟକ ବିରୋଧରେ ଠକେଇ ମାମଲା ରୁଜୁ କରିବା ପାଇଁ ପ୍ରସ୍ତୁତି କରୁଛି ।