ଆସିକାରେ ନାରୀଶକ୍ତି, ଲୋକସଭାରେ ପ୍ରମିଳା ବିଷୋୟୀଙ୍କ ସହ ୪ ବିଧାନସଭାରେ ଲଢୁଛନ୍ତି ମହିଳା

ଦ୍ୱିତୀୟ ପର୍ଯ୍ୟାୟ ମତଦାନକୁ ଆଉ ୪ ଦିନ ସମୟ ବାକି। ଏହି ପର୍ଯ୍ୟାୟରେ ରହିଛି ଆସିକା ଲୋକସଭା କ୍ଷେତ୍ର। ଏହି କ୍ଷେତ୍ରରେ ବିଜେଡି ୫ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। ଲୋକସଭା ଆସନ ସହ ବିଧାନସଭାରେ ଆସିକା, କବିସୂର୍ଯ୍ୟନଗର, ଖଲ୍ଲିକୋଟ ଓ ସାନଖେମୁଣ୍ଡି ପାଇଁ ବିଜେଡି ମହିଳାଙ୍କୁ ପ୍ରାର୍ଥୀ କରିଛି।

ଆସିକା ଲୋକସଭା। ଏହା ଅଧିନରେ ରହିଛି ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ବାଚନୀ କ୍ଷେତ୍ର ହିଞ୍ଜିଳି। ଆସିକା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ଅଛନ୍ତି ପ୍ରମିଳା ବିଷୋୟୀ। ପ୍ରମିଳା ସ୍ୱୟଂସହାୟଗ ଗୋଷ୍ଠୀ ଜରିଆରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ବିଜେପିର ପ୍ରାର୍ଥୀ ଅନିତା ପ୍ରିୟଦର୍ଶନୀ। ଉଭୟ ନବାଗତାଙ୍କ ମଧ୍ୟରେ ଲଢେଇ ହେଉଛି।

ବିଜେଡି ଆସିକା ଲୋକସଭା କ୍ଷେତ୍ର ଅଧିନରେ ଥିବା ୭ଟି ବିଧାସଭା କ୍ଷେତ୍ରରେ ବିଜେଡି ୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି। କବି ସୂର୍ଯ୍ୟନଗରରୁ ପ୍ରାର୍ଥୀ ଅଛନ୍ତି ଲତିକା ପ୍ରଧାନ। ଖଲ୍ଲିକୋଟରୁ କେ.କେ. ସୂର୍ଯ୍ୟମଣି ବୈଦ, ଆସିକା ବିଧାନସଭାରୁ ମଞ୍ଜୁଳା ସ୍ୱାଇଁ ଓ ସାନଖେମୁଣ୍ଡିରୁ ପ୍ରାର୍ଥୀ ଅଛନ୍ତି ନନ୍ଦିନୀ ଦେବୀ। ନନ୍ଦିନୀ ଦେବୀଙ୍କୁ ଛାଡିଥିଲେ ତିନି ବିଧାୟକଙ୍କ ପ୍ରାର୍ଥୀ ନୂଆ ମୁହଁ। କବିସୂର୍ଯ୍ୟନଗରରୁ ବିଧାୟକ ଥିବା ଭି.ସୁଜ୍ଞାନକୁମାରୀ ଦେଓ ନିର୍ବାଚନ ଲଢୁ ନଥିବାରୁ ତାଙ୍କ ସ୍ଥାନରେ ପ୍ରାର୍ଥୀ ଅଛନ୍ତି ଲତିକା ପ୍ରଧାନ। ଆସିକା ବିଧାନସଭାରୁ ବରିଷ୍ଠ ନେତା ଲଡୁ କିଶୋର ସ୍ୱାଇଁଙ୍କ ପତ୍ନୀ ମଞ୍ଜୁଳା ସ୍ୱାଇଁ ପ୍ରାର୍ଥୀ ହୋଇଛନ୍ତି।

ଆସିକାରେ ବିଜେଡିର ନାରୀ ଶକ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଅନ୍ୟ ଆସନଗୁଡିକ ମଧ୍ୟରେ ଟିଟିଲାଗଡ଼ରୁ ଟୁକୁନି ସାହୁ ଓ ଅତାବିରାରୁ ସ୍ନେହାଙ୍ଗିନି ଛୁରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି।

ଲୋକସଭା ଓ ବିଧାନସଭାରେ ମହିଳାଙ୍କ ସଂଖ୍ୟା ବଢାଇବାକୁ ବିଜେଡି ଉଦ୍ୟମ ଆରମ୍ଭ କରିଛି। ପାର୍ଲାମେଣ୍ଟ ପାଇଁ ୩୩ ପ୍ରତିଶତ ଟିକେଟ୍‌ ମହିଳାଙ୍କୁ ଦିଆଯାଇଛି। ଆସିକା ଅଧିନରେ ଥିବା ୭ ବିଧାନସଭା ପାଇଁ ତ ୪ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଛି ଦଳ।