ମହଙ୍ଗା ପଡିଲା ବିବାଦୀୟ ମନ୍ତବ୍ୟ, ଯୋଗୀ ୭୨ ଘଣ୍ଟା ଓ ମାୟାବତୀ ୪୮ ଘଣ୍ଟା ପର୍ଯ୍ୟନ୍ତ କରି ପାରିବେନି ନିର୍ବାଚନ ପ୍ରଚାର

ନିର୍ବାଚନ ଆଚରଣ ଉଲ୍ଲଙ୍ଘନ ନେଇ ନିର୍ବାଚନ କମିସନଙ୍କ କଠୋର ପଦକ୍ଷେପ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସପି ସୁପ୍ରିମୋ ମାୟାବତୀଙ୍କ ପ୍ରଚାର ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିସନ। ଆଦିତ୍ୟନାଥ ୭୨ ଘଣ୍ଟା ବା ୩ଦିନ ଓ ମାୟାବତୀ ୪୮ଘଣ୍ଟା କୌଣସି ପ୍ରକାର ନିର୍ବାଚନ ରାଲି, ଶୋଭାଯାତ୍ରାରେ ଭାଗ ନେଇ ପାରିବେ ନାହିଁ। ଏହି ନିର୍ଦ୍ଦେଶ ୧୬ ତାରିଖ ସକାଳ ୬ଟାରୁ ଲାଗୁ ହେବ। ଏମାନଙ୍କ ସୋସିଆଲ ମିଡିଆର ବ୍ୟବହାର ଉପରେ ମଧ୍ୟ କଟକଣା ଲଗା ଯାଇଛି।

ଏହି ସମୟ ମଧ୍ୟରେ ସେମାନେ କୌଣସି ସାକ୍ଷାତକାର ଦେଇ ପାରିବେ ନାହିଁ। ଉତ୍ତର ପ୍ରଦେଶର ଦେଓବନ୍ଦ ଠାରେ ନିର୍ବାଚନ ସଭାରେ ବିଏସପି ସୁପ୍ରିମୋ ମୁସଲିମ ସଂପ୍ରଦାୟଙ୍କୁ ଭୋଟ ଭିକ୍ଷା କରିବା ସହ ସେମାନଙ୍କ ଭୋଟ ଭାଗ ଭାଗ ନକରିବାକୁ ଅନୁରୋଧ କରିଥିଲେ। ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ, ବିରୋଧୀଙ୍କୁ ଅଲ୍ଲୀ ପସନ୍ଦ ହେଲେ ଆମ ପାଖରେ ବଜରଙ୍ଗବାଲି ଅଛନ୍ତି। ଏହାକୁ ନେଇ ବିବାଦ ଉପୁଜିବା ପରେ ନିର୍ବାଚନ କମିସନ ଗୁରୁତ୍ୱର ସହ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।