୧୦ଟି ରାଜ୍ୟରେ ୭୧ଟି ଆସନରେ କାଲି ଭୋଟ୍‌, ଫୋକସରେ ବେଗୁସରାଇ ପ୍ରାର୍ଥୀ କହ୍ନେୟା କୁମାର

ଆସନ୍ତାକାଲି ଦେଶର ୧୦ଟି ରାଜ୍ୟରେ ନିର୍ବାଚନ ହେଉଛି। ୭୧ଟି ଆସନ ପାଇଁ ଭୋଟ ଦେବେ ମତଦାତା। ରଙ୍ଗିଲା ଗାର୍ଲ ଉର୍ମିଳାଙ୍କଠାରୁ ଆରମ୍ଭ କରି ଶତାବ୍ଦଦୀ ରୟ, ମୁନମୁନ ସେନ ଓ ବାବୁଲ ସୁପ୍ରିୟୋଙ୍କ ଭାଗ୍ୟ ପରୀକ୍ଷା ହେବ। ଏହାସହ ଏହି ପର‌୍ୟ୍ୟାୟରେ ମଧ୍ୟପ୍ରଦେଶ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି। ସେପଟେ ବିଜେପିରୁ ଗିରିରାଜ ସିଂହ ଓ ସାକ୍ଷୀ ମହାରାଜଙ୍କ ଭଳି ନେତା ପୁଣି ମୈଦାନରେ ଅଛନ୍ତି। କିନ୍ତୁ ଏ ପର୍ଯ୍ୟାୟରେ ସବୁଠାରୁ ଅଧିକ ଚର୍ଚ୍ଚିତ ଆସନ ରହିଛି ବେଗୁସରାଇ।। ଏଠାରୁ ଜେନଏନ୍‌ୟୁର ପୂର୍ବତନ ସଭାପତି କହ୍ନେୟା କୁମାର ସିପିଆଇରୁ ପ୍ରାର୍ଥୀ ଅଛନ୍ତି । ଏଠାରେ ତ୍ରିମୁଖୀ ଲଢେଇ। ସିପିଆଇର କହ୍ନେୟା କୁମାର, ବିଜେପିର ଗିରିରାଜ ସିଂହ ଓ ଆରଜେଡିରୁ ପ୍ରାର୍ଥୀ ଅଛନ୍ତି ତନୱିର ହସନ।

ରଙ୍ଗିଲା ଗାର୍ଲଙ୍କୁ ଲୋକେ କେତେ ପସନ୍ଦ କରୁଛନ୍ତି। କାଲି ମତାମତ ଦେବେ ଭୋଟର। ଉତ୍ତର-ମୁମ୍ବାଇରୁ କଂଗ୍ରେସର ପ୍ରାର୍ଥୀ ଅଛନ୍ତି ଉର୍ମିଳା ଶ୍ରୀକାନ୍ତ ମାତୋଣ୍ଡକର। ବିଜେପିର ଗୋପାଳ ଚିନ୍ନୟ ସେଟ୍ଟୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଉର୍ମିଳା। ୨୦୧୪ରେ ଗୋପାଳ, କଂଗ୍ରେସର ସଂଜୟ ନିରୂପମଙ୍କୁ ହରାଇଥିଲେ। ଦକ୍ଷିଣ-ମୁମ୍ବାଇରୁ କଂଗ୍ରେସ ପ୍ରାର୍ଥୀ ଅଛନ୍ତି ମିଲିନ୍ଦ ଦେଓରା। ମିଲିନ୍ଦଙ୍କ ସହ ଶିବସେନାର ଅରବିନ୍ଦ ସାୱାନ୍ତଙ୍କ ସହ ମୁକାବିଲା ହେଉଛି। ୨୦୧୪ରେ ମିଲିନ୍ଦ ଦେଓରାଙ୍କୁ ହରାଇଥିଲେ ଅରବିନ୍ଦ।

ମଧ୍ୟପ୍ରଦେଶ ଛିନ୍ଦୱାରା। ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଗଡ଼। ଏଠାରୁ ପ୍ରାର୍ଥୀ ଅଛନ୍ତି କମଲ ନାଥଙ୍କ ପୁଅ ନକୁଲ ନାଥ। ସେପଟେ ରାଜସ୍ଥାନରେ ବି ମୁଖ୍ୟମନ୍ତ୍ରୀଙ୍କ ପୁଅ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଯୋଧପୁର ଆସନ ଏବେ ହାଇ ପ୍ରୋଫାଇଲ ଆସନ ହୋଇଯାଇଛି। ଏଠାରେ ବିଜେପି ପ୍ରାର୍ଥୀ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ। କଂଗ୍ରେସ ଏଠାରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟଙ୍କୁ ପ୍ରାର୍ଥୀ କରିଛି। ରାଜସ୍ଥାନର ବାମେର ଆସନ ଭେଟେରାନ ଯଶୱନ୍ତ ସିଂହଙ୍କ ଆସନ ପାଇଁ ବେଶ ପରିଚିତ। ଏଠାରେ ଏଥର ବିଜେପି ପ୍ରାର୍ଥୀ ଅଛନ୍ତି କୈଳସ ଚୌଧୁରୀ। କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଯଶୱନ୍ତଙ୍କ ପୁଅ ମାଧବେନ୍ଦ୍ର ସିଂହ।

ଉତ୍ତରପ୍ରଦେଶର ଅନ୍ୟତମ ପ୍ରମୁଖ ଆସନ କାନପୁର। ଏଠାରୁ କଂଗ୍ରେସର ଶ୍ରୀପ୍ରକାଶ ଜୟସୱାଲ ପ୍ରାର୍ଥୀ ଅଛନ୍ତି। ବିଜେପିର ପ୍ରାର୍ଥୀ ଅଛନ୍ତି ସତ୍ୟଦେବ ପଚୌରୀ ଓ ଏସ୍‌ପି ପ୍ରାର୍ଥୀ ଅଛନ୍ତି ରାମ କୁମାର। ଉତ୍ତରପ୍ରଦେଶର ଉନ୍ନାଉରୁ ପ୍ରାର୍ଥୀ ଅଛନ୍ତି ବିଜେପିର ଫାୟର ବ୍ରାଣ୍ଡ ଲିଡର ସାକ୍ଷୀ ମହାରଜ। କଂଗ୍ରେସରୁ ପ୍ରାର୍ଥୀ ଅଛନ୍ତି ଅନୁ ଟଣ୍ଡନ।

ପଶ୍ଚିମବଙ୍ଗର ବୀରଭୂମ। ଏଠାରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ଶତାବ୍ଦୀ ରୟ। ବିଜେପିରୁ ଧୂପ କୁମାର ମଣ୍ଡଳ ଓ ସିପିଏମ୍‌ର ପ୍ରାର୍ଥୀ ଅଛନ୍ତି ରେଜାଉଲ କରିମ। ୨୦୧୪ରେ ଏଠାରୁ ଜିତିଥିଲେ ଶତାବ୍ଦୀ ରୟ। ପଶ୍ଚିମବଙ୍ଗ ଆସନସୋଲରେ ହାଇ ଭୋଲଟେଜ ଫାଇଟ। ବିଜେପି ପ୍ରାର୍ଥୀ ଅଛନ୍ତି କଣ୍ଠଶିଳ୍ପୀରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିୟୋ। ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ଅଭିନେତ୍ରୀରୁ ନେତ୍ରୀ ହୋଇଥିବା ମୁନମୁନ୍‌ ସେନ।

ଚତୁର୍ଥ ପର‌୍ୟ୍ୟାୟରେ ୧୦ଟି ରାଜ୍ୟର ୭୧ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ୯୪୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ବିହାରର ୫ଟି ଆସନ, ଜମ୍ମୁ କାଶ୍ମୀରର ଗୋଟିଏ ଆସନ, ଝାଡ଼ଖଣ୍ଡର ୩ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ମହାରାଷ୍ଟ୍ରର ୧୭ଟି ଆସନ, ଓଡ଼ିଶାର ୬ଟି ଆସନ, ରାଜସ୍ଥାନର ୧୩ଟି ଆସନ, ଉତ୍ତର ପ୍ରଦେଶର ୧୩ଟି ଆସନ ଏବଂ ପଶ୍ଚିମବଙ୍ଗର ୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ।

Leave A Reply

Your email address will not be published.