କନ୍ଧମାଳ ଲୋକସଭା ଆସନ : ତ୍ରିମୁଖୀ ଲଢ଼େଇରେ ବାଜି ମାରିବ କିଏ ?

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ସାଧାରଣ ନିର୍ବାଚନରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ପାଲଟି ଯାଇଛି କନ୍ଧମାଳ ଲୋକସଭା ଆସନ । କାରଣ ଏଠାରେ ବିଜୁ ଜନତା ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱସ୍ତରରେ ସମ୍ମାନିତ ତଥା ନିଜର ସାମାଜିକ କାର୍ଯ୍ୟ ପାଇଁ ସବୁ ମହଲରେ ମର୍ଯ୍ୟାଦା ପାଉଥିବା ବ୍ୟକ୍ତି ଡକ୍ଟର ଅଚ୍ୟୁତ ସାମନ୍ତ । ଡ. ସାମନ୍ତ ଦୀର୍ଘ ବର୍ଷ ଧରି ସାଧାରଣ ଲୋକଙ୍କ ସହ ବିଶେଷ ଭାବେ ଶିକ୍ଷା ଜରିଆରେ ଜନଜାତିଙ୍କ ସାମଗ୍ରିକ ବିକାଶ ପାଇଁ ଉଦ୍ୟମ ଚାଇଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କର ଏହି ସଫଳ ଉଦ୍ୟମ ଯୋଗୁଁ ଆଜି ହଜାର ହଜାର ଜନଜାତିର ଯୁବକ ଯୁବତୀ ରାଜ୍ୟରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି । କିଟ୍‌ ଓ କିସ୍‌ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାତା ଭାବେ ଜଣାଶୁଣା ଡ. ସାମନ୍ତ ଏକାଧାରରେ ଜଣେ ଶିକ୍ଷାବିତ୍‌, ସମାଜସେବୀ ଏବଂ ଜନନେତା । ବର୍ତ୍ତମାନ ସେ ରାଜ୍ୟସଭା ସାଂସଦ ଅଛନ୍ତି । ଖାଲି ସେତିକି ନୁହେଁ, ଅନେକ ଦିନରୁ ସେ କନ୍ଧମାଳରେ ମଧ୍ୟ ଜନଜାତିଙ୍କ ସେବା କରି ଆସୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡ. ସାମନ୍ତଙ୍କୁ କନ୍ଧମାଳ ଆସନରୁ ପ୍ରାର୍ଥୀ କରିଛନ୍ତି ।
ଏହି ଆସନରେ ଡ. ସାମନ୍ତଙ୍କ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ବରିଷ୍ଠ ନେତା ଖାରବେଳ ସ୍ୱାଇଁ । ଯିଏକି ବାଲେଶ୍ୱର ଲୋକସଭ ଆସନରୁ ଦୁଇଥର ଭାରତୀୟ ଜନତା ପାର୍ଟି ଟିକେଟ୍‌ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏହା ପରେଦଳ ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ବିଜେପି ଛାଡ଼ି ଦେଇଥିଲେ । ନିଜେ ଉତ୍କଳ ଭାରତ ନାମରେ ଦଳ ଗଢ଼ିଥିଲେ । ଗତ ୨୦୧୪ରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ହାରି ଯାଇଥିଲେ ଖାରବେଳ । ନିକଟରେ ପୁଣି ନିଜର ପୁରୁଣା ଦଳ ବିଜେପିକୁ ଫେରିବା ପରେ ତାଙ୍କୁ ଅଚାନକ କନ୍ଧମାଳରେ ପ୍ରାର୍ଥୀ କରାଯାଇଛି । ଯେଉଁଠି ତାଙ୍କର କୌଣସି ଭିତ୍ତି ହିଁ ନାହିଁ । ତେବେ ସେ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା କରିଛନ୍ତି ।
ସେହିପରି କଂଗ୍ରେସର ପ୍ରାର୍ଥୀ ଭାବେ ଏଠାରେ ମଇଦାନକୁ ଓହ୍ଲାଇଛନ୍ତି ମନୋଜ ଆଚାର୍ଯ୍ୟ । ଏହି ଯୁବ ନେତା ଜଣକ ଏବେ କାଉନସିଲର ଅଛନ୍ତି । ଏହି ତିନି ପ୍ରମୁଖ ରାଜନୈତିକ ଦଳର ବ୍ୟତୀତ ଏଥର ମଇଦାନରେ ଅଛନ୍ତି ସିପିଆଇ ଏମ୍‌ଏଲ୍‌ ରେଡଷ୍ଟାର୍‌ର ଟୁନା ମଲ୍ଲିକ, ବିଏସ୍‌ପି ଅମିର ନାୟକ । ଏହି ସମସ୍ତଙ୍କର ପ୍ରାର୍ଥିପତ୍ର କାଏମ୍‌ ରହିଛି ।

୨୦୧୪ରେ ବିଜେଡି

୨୦୧୪ରେ କନ୍ଧମାଳ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ହେମେନ୍ଦ୍ର ଚନ୍ଦ୍ର ସିଂହ ବିଜୟୀ ହୋଇଥିଲେ । ସେ ୪ ଲକ୍ଷ ୨୧ ହଜାର ୪୫୮ ଖଣ୍ଡ ଭୋଟ୍‌ ପାଇଥିବା ବେଳେ କଂଗ୍ରେସର ହରିହର କରଣ ୨ ଲକ୍ଷ ୪୦ ହଜାର ୪୧୧ଟି ଭୋଟ୍‌ ପାଇଥିଲେ । ବିଜେପିର ସୁକାନ୍ତ କୁମାର ପାଣିଗ୍ରାହୀଙ୍କୁ ମିଳିଥିଲା ୧ ଲକ୍ଷ ୮ ହଜାର ୭୪୪ ଖଣ୍ଡ ଭୋଟ୍‌ । ଏହି ତିନି ପ୍ରମୁଖ ଦଳ ସହିତ ଏଠାରେ ଆପ୍‌, ଆମ ଓଡ଼ିଶା ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢ଼ିଥିଲେ ।

ଉପନିର୍ବାଚନରେ ବି ବିଜେଡି

ତେବେ କିଛି ମାସ ପରେ ଅର୍ଥାତ୍‌ ୨୦୧୪ ସେପଟେମ୍ବର ୫ ତାରିଖରେ ହେମେନ୍ଦ୍ର ଚନ୍ଦ୍ରଙ୍କ ଦେହାନ୍ତ ହୋଇଯିବାରୁ କନ୍ଧମାଳ ଲୋକସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏଥିର ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ତାଙ୍କ ପତ୍ନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ଉପନିର୍ବାଚନରେ କେବଳ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା । ଏଥିରେ ପ୍ରତ୍ୟୁଷା ରାଜେଶ୍ୱରୀ ୪ ଲକ୍ଷ ୭୭ ହଜାର ୫୨୯ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ରୁଦ୍ରମାଧବ ରାୟ ପାଇଥିଲେ ୧ ଲକ୍ଷ ୭୮ ହଜାର ୬୬୧ଟି ଭୋଟ୍‌ । ଏଠାରେ ତୃତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ଅଭିମନ୍ୟୁ ବେହେରାଙ୍କୁ ମିଳିଥିଲା ୯୦ ହଜାର ୫୩୬ ଖଣ୍ଡ ଭୋଟ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.