ଓଡ଼ିଶା ନୁହେଁ ଓଡ଼ିଶାବାସୀଙ୍କ ଭୋଟ୍‌ ବିଜେପି ପାଇଁ ମୂଲ୍ୟବାନ, କେନ୍ଦ୍ର ଉପରେ ବର୍ଷିଲେ ନବୀନ

ଓଡ଼ିଶା ନୁହେଁ, ଓଡ଼ିଶାବାସୀଙ୍କ ଭୋଟ୍‌ ବିଜେପି ପାଇଁ ମୂଲ୍ୟବାନ। ଜଗତସିଂହପୁର ଜିଲ୍ଲା ଏରସମା ସଭାରୁ ବିଜେପି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ଉପରେ ପୁଣି ବର୍ଷିଛନ୍ତି ବିଜେଡି ସୁପ୍ରିମୋ । ନବୀନ କହିଛନ୍ତି, ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗୋଟିଏ ମାସରେ ୧୦ ଥର ଓଡ଼ିଶା ଆସିଲେଣି । କିନ୍ତୁ ଓଡ଼ିଶାବାସୀଙ୍କ ଦୁଃଖ ସମୟରେ କାହାରି ଦେଖା ମିଳେନାହିଁ । ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର‌୍ୟ୍ୟୟ ବେଳେ ପ୍ରଧାନମନ୍ତ୍ରୀ ୫ ବର୍ଷରେ ଥରୁଟିଏ ବି ସମୟ ଦେଇ ପାରିଲେ ନାହିଁ ବୋଲି ନବୀନ କହିଛନ୍ତି। କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୋଦି ୨୦୧୪ରେ ହୁଡହୁଡ ପରେ ଆନ୍ଧ୍ର ଯାଇଥିଲେ। ୨୦୧୭ରେ ବନ୍ୟା ପାଇଁ ବିହାର, ଗୁଜୁରାଟ ଓ ଆସାମ ଯାଇଥିଲା ପ୍ରଧାନମନ୍ତ୍ରୀ ମୋଦି।

ବନ୍ୟା ପରେ ୨୦୧୮ରେ କେରଳ ବି ଯାଇଥିଲେ। କିନ୍ତୁ ଗତ ୫ ବର୍ଷରେ ଭୟଙ୍କର ବାତ୍ୟା ଓ ବନ୍ୟାର ମୁକାବିଲା କରିଥିଲେ ଓଡ଼ିଶାବାସୀ। ୨୦୧୪ରେ ହୁଡବୁଡ୍‌, ୨୦୧୫ରେ ମରୁଡ଼ି, ୨୦୧୭ରେ ବନ୍ୟା ଓ ୨୦୧୮ରେ ତିତିଲି ଓ ବନ୍ୟା। ପ୍ରଧାନମନ୍ତ୍ରୀ ଆସିଥିଲେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ସେହିପରି ବିଜେଡି ସଭାପତି କହିଛନ୍ତି, ଏରସମା ଆସିଲେ ୧୯୯୯ ମହାବାତ୍ୟାର ସ୍ମୃତି କଥା ମନେପଡେ। ସେତେବେଳେ ନଷ୍ଟ ହୋଇଥିଲା ବହୁ ଧନ ଜୀବନ। ଏହା ତାଙ୍କ ଜୀବନର ସବୁଠାରୁ ବଡ଼ ଦୁଃଖର ସମୟ। ଭବିଷ୍ୟତରେ ଏପରି ପରିସ୍ଥିତିରେ ଗୋଟିଏ ବି ଜୀବନ ଯେପରି ନଷ୍ଟ ନହୁଏ ସେଥିପାଇଁ କାମ କରିବାକୁ ସଂକଳ୍ପ କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ବିପର‌୍ୟ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶରେ ଏକ ଆଦର୍ଶ ରାଜ୍ୟ। ବିପର‌୍ୟ୍ୟୟ ପରିଚାଳନାରେ ଭଲ କାମ ପାଇଁ ଜାତିସଂଘ ସ୍ୱୀକୃତି ଦେଇଛି। ଏରସମା ଭୋଟରଙ୍କୁ ନବୀନ କହିଥିଲେ, ସେମାନଙ୍କ ସୁଖ ଦୁଃଖରେ ଅଛନ୍ତି ଓ ରହିବେ।

କେନ୍ଦ୍ରାପଡ଼ାରେ ନବୀନଙ୍କ ମାରାଥନ ପ୍ରଚାର। ଆଜି ବିଶାଳ ରୋଡ୍‌ ସୋରେ ନବୀନ ପ୍ରଥମେ ପହଞ୍ଚିଥିଲେ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ। ଦଳୀୟ ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ବିଜେଡି ସଭାପତି। ହାଇଟେକ୍‌ ବସ୍‌ରେ ମହାକାଳପଡ଼ା ଭୋଟରଙ୍କ ସମର୍ଥନ ମାଗିଛନ୍ତି। ନବୀନ ଯାଉଥିବା ରାସ୍ତାର ଉଭୟ ପାର୍ଶ୍ୱ ଓ ବିଭିନ୍ନ ଛକ ଛକରେ ଜମୁଥିଲା ଲୋକଙ୍କ ଭିଡ଼। ନବୀନଙ୍କୁ ଦେଖିବା ପାଇଁ ବିଭିନ୍ନ ସ୍ଥାନରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା। ଏହାପରେ ପାଟକୁରାରେ ମଧ୍ୟ ବିଶାଳ ରୋଡ୍‌ ସୋ କରିବା ସହ ଲୋକଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.