ଶ୍ରୀହୀନ ଶ୍ରୀକ୍ଷେତ୍ର, ଫନି ପରେ ବଦଳି ଯାଇଛି ପୁରୀର ଚିତ୍ର

ସବୁ ସେଇ କାଳିଆ ଭରସା ଫନି ପରେ ଏ ହେଉଛି ପୁରୀ ବାସୀଙ୍କ ପ୍ରତିକ୍ରିୟା । ଦୁର୍ଦ୍ଦଶା ପରେ ସମ୍ପୂର୍ଣ୍ଣ ବଦଳିଯାଇଛି ପୁରୀର ଚିତ୍ର । ଚାରିଆଡ ଖୋଲାମେଲା । ଏମିତି କୌଣସି ସାହି ନାହିଁ ଯେଉଁଠି ସ୍ଥିତି ସ୍ୱାଭାବିକ୍‌ । କାହାର ମୁଣ୍ଡ ଉପରୁ ଛାତ ଉଡିଯାଇଛି ତ ପୁଣି ଭୁଶୁଡି ଯାଇଛି କାନ୍ଥ । ମାଟି କାମୁଡି ତଳେ ପଡିଥିବା ଚାଳ ଛପରରୁ ଲୋକେ ଅଣ୍ଡାଳୁଛନ୍ତି ସ୍ମୃତି । ସେତକ ବି ଯେମିତି ଦଳି ଚକଟି ଦେଇଛି ସମୟ । ମହାପ୍ରଭୁଙ୍କର ସିନା କିଛି ହୋଇନି ହେଲେ ଫନି ଲିଭାଇଦେଇଛି ଅନେକ ଭକ୍ତଙ୍କ ଜୀବନଦୀପ । ଟିଣ, ଆଜବେଷ୍ଟସରେ ସ୍ୱପ୍ନର ଘର ତିଆରି କରିଥିବା ମୁରବୀଙ୍କର ଭାଙ୍ଗିଯାଇଛି ଅଣ୍ଟା ।

ଏଭିତରେ ଦୋକାନ ବଜାର କଥା ପଚାରେ କିଏ । ସମସ୍ତଙ୍କର ସ୍ଥିତି ପ୍ରାୟ ସମାନ । ତଥାପି କାଳିଆ ଅଛି ବୋଲି କହିବାକୁ ପଛାଉନାହାଁନ୍ତି ଲୋକେ । ମିଳୁନି ଖଜା, ମିଳୁନି ବଳିତା, ମିଳୁନି ତାଳପତ୍ର ଭୋଗେଇ । ବଦଳିଯାଇଛି ବଡଦାଣ୍ଡୀ ଠାଣୀ । ବିଶ୍ୱାସକୁ ଶକ୍ତ ଝଟକା ଦେଇଛି ଫନି । ସବୁଆଡେ ହାହାକାର। । ପୁରୀକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଖଜା ଏବେ ସାତ ସପନ । ଖଜା ପ୍ରସ୍ତୁତ କରିବାକୁ ଇଛୁକ ନୁହଁନ୍ତି କାରିଗର । ବ୍ୟବସାୟୀ ବି ଚିନ୍ତାରେ ।

କେବେ ସୁଧୁରିବ ପରିସ୍ଥିତି ଏ ଉତ୍ତର କାହା ପାଖରେ ନାହିଁ । ତଥାପି ଜଗନ୍ନାଥଙ୍କର ନାମ ଜପି ଚାଲିଛନ୍ତି ଭକ୍ତ । ଜାବୁଡି ଧରିଛନ୍ତି ଆଶା ଏବଂ ବିଶ୍ୱାସକୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.