ମେଡିକାଲ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା: ଜମାଟ ବାନ୍ଧି ନଷ୍ଟ ହେଲା ଫ୍ରିଜ୍‌ରେ ସାଇତା ହୋଇଥିବା କୋଭିସିଲ୍ଡର ୧୦୦୦ ଡୋଜ୍‌

କରୋନା କାଳରେ ସଞ୍ଜିବନୀ ବୁଟି କୁହାଯାଉଥିବା କୋଭିଡ୍‌ ଭ୍ୟାକ୍‌ସିନ୍‌ର ୧୦୦୦ ଡୋଜ୍‌ ନଷ୍ଟ ହୋଇଛି। ଆସାମର କାଚର ଜିଲ୍ଲାର ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ(SMCH)ରେ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ର ୧୦୦୦ଟି ଡୋଜ୍‌ ଜମାଟ ବାନ୍ଧି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଷ୍ଟୋରେଜ୍‌ ୟୁନିଟ୍‌ରେ ଗଚ୍ଛିତ ଥିବା ବେଳେ ଏଗୁଡ଼ିକ ଜମାଟ ବାନ୍ଧିଯାଇଥିବା ସୂଚନା ମିଳିଛି।

ରିପୋର୍ଟ ମୁତାବକ, କୋଭିସିଲ୍ଡ ଭ୍ୟାକ୍‌ସିନ୍‌କୁ ୨ରୁ ୮ ଡିଗ୍ରୀ ସେଲସିୟସ୍‌ରେ ରଖିବା ନିୟମ ରହିଛି। ମାତ୍ର ଆସାମର ସିଲଚର ହସ୍ପିଟାଲରେ ୧୦୦୦ଟି ଡୋଜ୍‌ ଥିବା ୧୦୦ଟି ଶିଶି ମାଇନସ୍‌ ଶୂନ ଡିଗ୍ରୀରେ ଗଚ୍ଛିତ ରଖାଯାଇଥିଲା। ଫଳରେ ତାହା ଜମାଟ ବାନ୍ଧିଛି ଓ ବ୍ୟବହାର ଅନୁପଯୋଗୀ ହୋଇଯାଇଛି।

ଏନେଇ ମେଡିକାଲର ଜଣେ ଅଧିକାରୀ କହିଛନ୍ତି, ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି ହୋଇଛି। ଯେଉଁ ଫ୍ରିଜ୍‌ରେ କୋଭିସିଲ୍ଡ ଟିକା ଗଚ୍ଛିତ ରଖାଯାଇଥିଲା, ସେଠାରେ ତାପମାତ୍ରା ହ୍ରାସ ପାଇଲେ ଭ୍ୟାକ୍‌ସିନେଟରଙ୍କୁ ସତର୍କ ମେସେଜ୍‌ ଆସିଥାଏ। ମାତ୍ର ଏଥରକ ତାପମାତ୍ରା ମାଇନସ୍‌ ୦ ଡିଗ୍ରୀ ହୋଇଥିଲେ ବି କୌଣସି ମେସେଜ୍‌ ଆସିନଥିଲା। ସମ୍ଭବତଃ ବୈଷୟିକ ତ୍ରୁଟି ଯୋଗୁ ଏଭଳି ହୋଇଥିବା ସେ କହିଛନ୍ତି।

ପ୍ରକାଶ ଯେ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୦୦୦ ଡୋଜ୍‌ ଥିବା ଆଉ ୧୦୦ଟି ଶିଶି ଖୁବ୍‌ଶୀଘ୍ର ପଠାଯାଉଥିବା ସୂଚନା ମିଳିଛି। ଅନ୍ୟପଟେ ଲୋକଙ୍କୁ କରୋନା ଟିକା ଦେବାକୁ ମନା କରୁଥିବା ବେଳେ ଏଭଳି ନଷ୍ଟ କରାଯାଉଥିବାରୁ ଲୋକମାନେ ଅସନ୍ତୋଷ ଜାହିର କରିଛନ୍ତି।

Leave A Reply

Your email address will not be published.