ମସଜିଦ୍‌ରେ ନରସଂହାର : ନ୍ୟୁଜିଲାଣ୍ଡ ଖ୍ରୀଷ୍ଟଚର୍ଚ୍ଚରେ ଆତଙ୍କୀ ହମ୍‌ଲାର ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିଲେ

ଶ୍ରଦ୍ଧାର ସୌଧରେ ଗୁଳିର ଗର୍ଜନ

ଶୁକ୍ରବାର ଅପରାହ୍ନ ସମୟ । ନ୍ୟୁଜିଲାଣ୍ଡର ପ୍ରମୁଖ ସହର ଖ୍ରୀଷ୍ଟଚର୍ଚ୍ଚର ମଧ୍ୟଭାଗରେ ଥିବା ଅଲ୍‌ ନୁର୍‌ ମସଜିଦ୍‌ରେ ଖଚାଖଚ୍‌ ଭିଡ଼ ଥିଲା ଶ୍ରଦ୍ଧାଳୁଙ୍କର । ପ୍ରାର୍ଥନା କରିବାକୁ ଏକାଠି ହୋଇଥିଲେ ସମସ୍ତେ । ମନରେ ଥିଲା ଆଲ୍ଲାଙ୍କ ପ୍ରତି ଭକ୍ତି ଓ ସମର୍ପଣର ଭାବ । ହେଲେ ଏଇ ଶ୍ରଦ୍ଧାର ସୌଧ ଭିତରେ ଅଚାନକ ଶୁଭିଲା ଗୁଳିର ଗର୍ଜନ । କେହି କିଛି ବୁଝିବା ଆଗରୁ ଟଳି ପଡ଼ିଲେ ଜଣକ ପରେ ଜଣେ । ଆରମ୍ଭ ହୋଇଗଲା ଦୌଡ଼ା ଦୌଡ଼ି । ପ୍ରାଣ ବିକଳରେ ଯିଏ ଯୁଆଡ଼େ ପାରିଲେ ଧାଉଁଥିଲେ । ହେଲେ ଭିଡ଼ ଏତେ ଥିଲା ଯେ ବାହାରକୁ ଯିବା ମଧ୍ୟ କଷ୍ଟକର ଥିଲା । ଏପଟେ କ୍ରୁର, ହିଂସ୍ର ଆତଙ୍କବାଦୀଙ୍କ ବନ୍ଧୁକରୁ ଚାଲିଥିଲା ଗୁଳି ବର୍ଷଣ । ସମସ୍ତଙ୍କ ହାତରେ ଥିଲା ଆଧୁନିକ ଅସ୍ତ୍ରଶସ୍ତ୍ର । ନରସଂହାର କରି ଚାଲିଥିଲେ ଏହି ମାନବ ରୂପୀ ରାକ୍ଷସ । ପ୍ରାର୍ଥନା ପାଇଁ ଏକାଠି ହୋଇଥିବା ଶ୍ରଦ୍ଧାଳୁଙ୍କ ଉପରକୁ ଆଖିବୁଜା ଗୁଳି ଚଳାଉଥିଲେ । ନାଁ ସେମାନେ ଧର୍ମ କଥା ବୁଝିଥିଲେ ନା ଧର୍ମ ଭାବନାରେ ମସଜିଦ୍‌କୁ ଆସିଥିବା ନିରିହ ଲୋକଙ୍କ ଉପରେ ଦୟା ଥିଲା ତାଙ୍କର । ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଛି । ଆହତ ହୋଇଛନ୍ତି ୩୦ରୁ ବେଶି ସାଧାରଣ ନାଗରିକ । ପୋଲିସ୍‌ ପହଞ୍ଚିବା ବେଳକୁ ଏହି ଯମଦୂତମାନେ କାମ ତମାମ୍‌ କରି ଦେଇଥିଲେ । କେଉଁଠି ଲୋଟୁଥିଲା ରକ୍ତ ଜୁଡୁବୁଡୁ ମୃତଦେହ ତ ଆଉ କେଉଁଠୁ ଶୁଭୁଥିଲା ଆହତଙ୍କ ଆର୍ତ୍ତ ଚିତ୍କାର ।

12

ବର୍ତ୍ତିଗଲେ ବାଂଲାଦେଶ କ୍ରିକେଟ୍‌ ଖେଳାଳି

ଏହି ଆକ୍ରମଣରେ ସ୍ଥାନୀୟ ଲୋକେ ତ ପ୍ରାଣ ହରାଇଲେ ତେବେ ସେଠାକୁ ଖେଳିବାକୁ ଯାଇଥିବା ବାଂଲାଦେଶ କ୍ରିକେଟ୍‌ ଟିମ୍‌ ଅଳ୍ପକେ ବର୍ତ୍ତି ଯାଇଛି । ଖେଳାଳିମାନେ ସେହି ମସଜିଦ୍‌କୁ ପ୍ରାର୍ଥନା କରିବା ଲାଗି ଯାଉଥିବା ବେଳେ ଆତଙ୍କୀ ଆକ୍ରମଣ କଥା ଜଣାପଡ଼ି ଯାଇଥିଲା । ତେଣୁ ତୁରନ୍ତ ସୁରକ୍ଷା କର୍ମୀମାନେ ତାଙ୍କର ଗାଡ଼ିକୁ ଅନ୍ୟ ରାସ୍ତାରେ ବୁଲାଇ ଖେଳାଳିମାନଙ୍କୁ ହୋଟେଲ ଫେରାଇ ନେଇଥିଲେ । ଏହା ପରେ ଖ୍ରୀଷ୍ଟଚର୍ଚ୍ଚାରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌କୁ ବାତିଲ କରି ଦିଆଯାଇଛି ।

ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଅଷ୍ଟ୍ରେଲିଆର

ଆତଙ୍କବାଦୀଙ୍କ ମଧ୍ୟରେ ଜଣେ ଅଷ୍ଟ୍ରେଲିଆର ବୋଲି ଜଣାପଡ଼ିଛି । ଏକଥା ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଧ୍ୟ କହିଛନ୍ତି । ବ୍ରେଣ୍ଟନ୍‌ ଟାରାଣ୍ଟ ନାମକ ଲୋକଟି ଜଣେ ଉଗ୍ରବାଦୀ ଓ ଅତ୍ୟନ୍ତ ହିଂସ୍ର ସ୍ୱଭାବର । ସେ ଜଣେ ମୁସଲମାନ୍‌ ବିରୋଧୀ । ତେବେ ଆକ୍ରମଣରେ ନିର୍ଦ୍ଦିଷ୍ଟ ଭାବେ କେତେ ଆତଙ୍କବାଦୀ ସାମିଲ ଥିଲେ ସେକଥା ସ୍ପଷ୍ଟ ହୋଇନାହିଁ ।

BRENT TARRANT
ବ୍ରେଣ୍ଟନ୍‌ ଟାରାଣ୍ଟ

ଯୋଜନାବଦ୍ଧ ଆକ୍ରମଣ

ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି, ପୂରା ଯୋଜନାବଦ୍ଧ ଭାବେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ସେମାନେ ଛାଡ଼ି ଯାଇଥିବା କାର୍‌ରୁ ବିସ୍ଫୋରକ ଏବଂ ବୋମା ମଧ୍ୟ ଜବତ କରାଯାଇଛି । ତାଙ୍କ ଦେଶ ସବୁ ଧର୍ମକୁ ସମାନ ଦୃଷ୍ଟିରେ ଦେଖୁଥିବାରୁ ଏଭଳି ଆକ୍ରମଣର ଶିକାର ହେଲା ବୋଲି ସେ କହିଛନ୍ତି ।

ଫେସ୍‌ବୁକ୍‌ ଲାଇଭ୍‌

ଆତଙ୍କବାଦୀଙ୍କ ଏହି ବର୍ବରତା ପୂର୍ବରୁ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣେ ଫେସ୍‌ବୁକ୍‌ରେ ଲାଇଭ୍‌ କରୁଥିଲେ । ସେମାନେ ମସଜିଦ୍‌ ବାହାରୁ ପୂରା ଆଧୁନିକ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିଲେ । ଆକ୍ରମଣର ଏକ ୧୬ ମିନିଟ୍‌ର ଭିଡିଓ ସୋସିଆଲ ମିଡିଆରେ ସମସ୍ତେ ଦେଖିବାକୁ ପାଇଛନ୍ତି । ଏମିତିକି ଫେସ୍‌ବୁକ୍‌ ଲାଇଭ୍‌ ବେଳେ କେଉଁଥିରେ ଏହି ଭିଡିଓ ଦେଖି ହେବ ସେହି ଲିଙ୍କ କାର୍‌ରେ ବସିଥିବା ଆତଙ୍କବାଦୀର ପାଖ ସିଟ୍‌ରେ ଲେଖାଥିଲା । ଏହା ସହିତ ଗାଡ଼ିରେ ଥିବା ଆତଙ୍କବାଦୀ ଜଣକ ଜୋର୍‌ରେ ଚିଲ୍ଲାଇ ଭିଡିଓ ଲିଙ୍କ କଥା କହୁଥିଲା । ଅଷ୍ଟ୍ରେଲିଆରେ ଜନ୍ମିତ ଏହି ୨୮ ବର୍ଷ ବୟସ୍କ ଯୁବକର ନାଁ ସେ ନିଜେ କହୁଥିଲା ବ୍ରେଣ୍ଟନ୍‌ ଟାରାଣ୍ଟ ବୋଲି । ଯେତେବେଳେ ଗାଡ଼ି ମସଜିଦ୍‌ ଦ୍ୱାର ପାଖରେ ପହଞ୍ଚିଗଲା ସେତେବେଳେ ଆରମ୍ଭ ହୋଇଗଲା ଫାୟାରିଂ ।

7

ଭାରତ ପରେ ନ୍ୟୁଜିଲାଣ୍ଡ

ଭାରତରେ ଗତ ଫେବ୍ରୁଆରୀ ୧୪ ପୁଲଓ୍ଵାମା ଆକ୍ରମଣରେ ୪୦ ଜଣ ସିଆରପିଏଫ୍‌ ଯବାନ୍‌ ସହିଦ ହୋଇଥିଲେ । ଏହା ପରେ ନ୍ୟୁଜିଲାଣ୍ଡ ହୋଇଛି ଆତଙ୍କବାଦର ଶିକାର । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ୍‌ କହିଛନ୍ତି ଦେଶ ପାଇଁ ଏହା ସବୁଠାରୁ ବଡ଼ କଳା ଦିବସ । ଆକ୍ରମଣ ପରେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି । ଉଚ୍ଚସ୍ତରୀୟ ତଦନ୍ତ କରାଯାଉଛି ଘଟଣାର । ହେଲେ ମାନବବାଦ ପାଇଁ କଳଙ୍କ ଆତଙ୍କବାଦ ଯେମିତି ଥମିବାର ନା ଧରୁନି ।

Leave A Reply

Your email address will not be published.