ପ୍ରକୃତିରୁ ସୃଷ୍ଟ ଏହି ମନ୍ଦିରରେ ପୂଜା ପାଉଛନ୍ତି ପ୍ରଭୁ ବଡ଼ାମ୍, ବର୍ଷରେ ଥରେ ହିଁ ଦର୍ଶନ କରନ୍ତି ଭକ୍ତ

କରଞ୍ଜିଆ : ମୟୂରଭଞ୍ଜ ଜିଲ୍ଲାକୁ ପ୍ରକୃତିର ବରଦାନ ଅନେକ । ଆଉ ଶିମିଳିପାଳ ହେଉଛି ଏହାର ସବୁଠାରୁ ବଡ଼ ଆକର୍ଷଣ । ତେବେ ଏହି ଜିଲ୍ଲାର ଅନ୍ୟ ସ୍ଥାନ ଭଳି ଶିମିଳିପାଳ ଅଞ୍ଚଳରେ ବସବାସ କରନ୍ତି ଅନେକ ସମ୍ପ୍ରଦାୟର ଲୋକେ । ତା ଭିତରେ ବାଥୁଡ଼ି ସମ୍ପ୍ରଦାୟ ହେଉଛି ଅନ୍ୟତମ । ସେମାନଙ୍କର ଏକ ସ୍ୱତନ୍ତ୍ର ପର୍ବ ହେଉଛି ‘ବଡ଼ାମ୍‌’ ଯାହା ନିକଟରେ ଶେଷ ହୋଇଛି । ଅଭୟାରଣ୍ଯ ଭିତରେ ରହିଛି ଅଠର ଦେଉଳ ମନ୍ଦିର। ଏହି ମନ୍ଦିରରେ ୮୦୦ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ପୂଜା ପାଇ ଆସୁଛନ୍ତି ବିଭିନ୍ନ ଦେବାଦେବୀ । ତେବେ ସେହି ଘଞ୍ଚ ଜଙ୍ଗଲ ଭିତରେ କାହିଁକି ରହିଛି ଏହି ଅଠର ଦେଉଳ ମନ୍ଦିର ଏବଂ ସେଠାରେ କି ପ୍ରକାର ପୂଜା ପର୍ବ ପାଳନ କରାଯାଏ ତାକୁ ନେଇ ବାଥୁଡ଼ି ସମ୍ପ୍ରଦାୟରେ କଣ ରହିଛି ରୀତିନୀତି ଓ ପରମ୍ପରା ଆସନ୍ତୁ ଜାଣିବା…

badam2

ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ମୁଣ୍ଡା, ବାଥୁଡି, ଭୁଆଁ, ସାଉନ୍ତି, ଲେଧା, କୋହଳ, ସାନ୍ତାଳି, କୁଡୁମୀ ଏଭଳି ବିଭିନ୍ନ ସମ୍ପ୍ରଦାୟର ଜନଜାତି ଲୋକଙ୍କର ବାସସ୍ଥଳୀ ପାଲଟିଛି ପୂରା ଶିମିଳିପାଳ ଅଞ୍ଚଳ । ଏମାନଙ୍କ ମଧ୍ୟରେ ବାଥୁଡି ସମ୍ପ୍ରଦାୟର ଲେକମାନଙ୍କ ପରମ୍ପରା ସଂସ୍କୃତି ଟିକେ ଭିନ୍ନ । ଶିମିଳିପାଳ ଜୈବ ମଣ୍ଡଳର କୋର ଏରିଆ ହେଉଛି ନଅଣା ଦକ୍ଷିଣ ରେଞ୍ଜ ଅଧୀନସ୍ଥ ବକୁଆ ଫରେଷ୍ଟ ସେକ୍ସନ କ୍ୟାମ୍ପ । ଏଠାରୁ କିଛି ଦୂରରେ ରହିଛି ବାଥୁଡି ସମ୍ପ୍ରଦାୟର ଆଦି ଉପାସନା ପୀଠ ଅଠର ଦେଉଳ । ସବୁ ବର୍ଷ ଏଠାରେ ବଡାମ୍ ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ତେବେ ଏଥରକ ବାର୍ଷିକ ବଡାମ୍‌ ପୂଜା ନିରାଡ଼ମ୍ବରରେ ପାଳିତ ହୋଇଛି। ଶିମିଳିପାଳ ଜୈବ ମଣ୍ଡଳର ଅନେକ ସ୍ଥାନରେ ରହିଛି ପ୍ରାକୃତିକ ଗୁମ୍ଫା ସବୁ । ସେହି ଗୁମ୍ଫାରେ ବାଥୁଡିମାନଙ୍କର ବିଭିନ୍ନ ଦେବା ଦେବୀ ପୂଜା ପାଆନ୍ତି। ଏଠାରେ ଏଭଳି ଅଠରଟି ଦେଉଳ ରହି ଥିବାର ବିଶ୍ୱାସ କରାଯାଏ । କିମ୍ବଦନ୍ତୀ ଅନୁସାରେ ସମସ୍ତ ଦେଉଳ ପ୍ରକୃତିରୁ ସୃଷ୍ଟି ହୋଇଛି । କେବଳ ଗୋଟିଏ ଦେଉଳକୁ ତିଆରି କରିଛି ମଣିଷ । ଏହି ଦେଉଳକୁ “ମାନବ ଦେଉଳ” ବୋଲି କୁହାଯାଏ । ତେବେ ବର୍ତ୍ତମାନ ଏହି ଦେଉଳ ପ୍ରାୟ ଭଗ୍ନ ଅବସ୍ଥାରେ । ତେବେ ଏହି ମନ୍ଦିରର ବିଶେଷତ୍ୱ ହେଲା ଏହା ସମ୍ପୂର୍ଣ୍ଣ ମାଙ୍କଡ଼ା ପଥରରେ ନିର୍ମିତ ହୋଇ ଥିଲା ବେଳେ ଏଠାରେ ପଥରକୁ ପଥର ଯୋଡିବା ପାଇଁ ଚୂନ କିମ୍ବା ଅନ୍ଯ କୌଣସି ସାମଗ୍ରୀ ବ୍ଯବହାର ହୋଇ ନାହିଁ। ଏହି ମନ୍ଦିର ନିର୍ମାଣକୁ ନେଇ ବିଭିନ୍ନ କିମ୍ବଦନ୍ତୀ ଶୁଣିବାକୁ ମିଳେ । ଜନବସତି ଠାରୁ ଅନେକ ଦୂରରେ ଘଞ୍ଚ ଜଙ୍ଗଲ ଭିତରେ ରହିଛି ଏହି ସବୁ ମନ୍ଦିର । ବର୍ଷରେ ଥରେ ବନବିଭାଗ ଅନୁମତି ଦେଇଥାଏ ଏହି ସ୍ଥାନକୁ ଯିବା ପାଇଁ। ତେବେ ଯିଏବି ଯାଏ ପୁରୁଷଙ୍କୁ ଧୋତି ଏବଂ ମହିଳାଙ୍କୁ ଶାଢ଼ି ପିନ୍ଧି ଯିବାକୁ ପଡ଼େ । ଏହି ମାନବ ଦେଉଳ ଏକ ସାଧନା କେନ୍ଦ୍ର ବୋଲି ମଧ୍ୟ ଧରାଯାଏ। ଯେଉଁଠି ଦେହୁରୀମାନେ ପୂଜା କରିଥାନ୍ତି । ବଡ଼ାମ, ବଡ଼ାମୀ, ଲକ୍ଷ୍ମୀ, ଈଶ୍ୱର, ମହାବୀର ଆଦି ଠାକୁର ପୂଜା ପାଇଥାନ୍ତି ଏହି ଅଠର ଦେଉଳରେ ।

ପ୍ରତିବର୍ଷ ବାଥୁଡି ସମ୍ପ୍ରଦାୟର ଲୋକେ ଚଇତ୍ର ମାସରେ ଶିମିଳିପାଳରେ ପ୍ରବେଶ କରି ଖାଲି ପାଦ ରେ ଚାଲି ଚାଲି ଦ୍ଵାରଶୁଣି ପୀଠ, ଗଣେଶ୍ୱର ଗଡ଼, ଯୋରନ୍ଦା, ବାରେହି ପାଣି, ଅନ୍ଧାରୀ ଶାଳ, ଶଙ୍ଖେଇ ଶାଳ, ମହାଶାଳ ବୃକ୍ଷ, ମହା ବୃକ୍ଷ ଚମ୍ପାବତୀ ଆଦି ସ୍ଥାନରେ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ ମାନବ ଦେଉଳରେ ଏକତ୍ରିତ ହୋଇ ରାତ୍ରି ରହଣୀ କରନ୍ତି। ମାନବ ଦେଉଳ ପ୍ରାଙ୍ଗଣରେ ପ୍ରାୟ ଏକ ସପ୍ତାହ ବ୍ଯାପୀ ପତ୍ର କୁଡ଼ିଆ କରି, ତମ୍ବୁ ପକାଇ ରହିବା ସହ ସେଠାରୁ ଈଶ୍ୱର ଦେଉଳ, ଲକ୍ଷ୍ମୀ ଭଣ୍ଡାର, ବାଉଳି ଦେଉଳ ଆଦି ସ୍ଥାନକୁ ଯାଇ ପୂଜା କରି ଥାନ୍ତି । ମାନବ ଦେଉଳରେ ରହଣି ଅବସରରେ ବାଥୁଡିମାନେ ଗୋମୂତ୍ର ପାନ କରି ପବିତ୍ର ହେବା ପରେ ପୂଜାରେ ସାମିଲ ହୋଇଥାନ୍ତି । ସେଠାରେ ଚାଙ୍ଗୁ ଖଳା ପ୍ରସ୍ତୁତ କରାଯାଏ । ପୁରୁଷ ଓ ମହିଳାମାନେ ଭକ୍ତି ଭାବନାରେ ଶ୍ୱେତ ବସ୍ତ୍ର ପିନ୍ଧି ରାତି ତମାମ୍‌ ଚାଙ୍ଗୁ ନୃତ୍ୟ କରିଥାନ୍ତି । ପ୍ରଭୁ ବଡାମ୍‌ ଓ ମାତା ବଡାମଣିଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଥାନ୍ତି। ଦେବ ବାଦ୍ୟ ଚାଙ୍ଗୁର ଶବ୍ଦରେ ଗୁଂଜରିତ ହୋଇ ଉଠେ ନିସ୍ତବ୍ଧ ବନ ମୁଲକ । ପୂଜାର ଶେଷ ଦିନରେ ମାନବ ଦେଉଳ ପ୍ରାଙ୍ଗଣରେ ବିଶେଷ ପୂଜାର ଆୟୋଜନ ହୋଇ ଥାଏ । ଏହାକୁ ବଡ଼ ପୂଜା ବୋଲି କୁହାଯାଏ। ଏହି ପୂଜାରେ ମଧ୍ୟ ସମସ୍ତେ ଧଳା ପୋଷକ ପିନ୍ଧିବା ସହ ପତ୍ର କୁଡ଼ିଆ କରି ରହିଥାନ୍ତି । ଆଉ ପ୍ରକୃତି କୋଳରେ ନିଜକୁ ହଜେଇ ଦେଇଥାନ୍ତି। ଏଠାରେ ତେଲ, ସାବୁନ, ଗହଣା ଗାଣ୍ଠି ଆଦି ସୌଖୀନ ପଦାର୍ଥର ବ୍ଯବହାର କରିବା ମନା । ପ୍ରକୃତି କୋଳରେ ରହି ବିଭିନ୍ନ ଔଷଧୀୟ ବୃକ୍ଷ ସଂସ୍ପର୍ଶରେ ଆସି ଲୋକେ ବର୍ଷ ତମାମ୍‌ ନିରୋଗ ରହିଥାନ୍ତି ବୋଲି ବିଶ୍ୱାସ ରହିଛି।

badam

ଗତବର୍ଷ କୋଭିଡ ପାଇଁ ଅଠର ଦେଉଳ ପୂଜାରେ ବାଧା ସୃଷ୍ଟି ହୋଇ ଥିଲା । ଚଳିତ ବର୍ଷ ଏହି ପୂଜା କୋଭିଡ଼ କଟକଣା ମଧ୍ୟରେ ଦୁଇଟି ପର୍ଯ୍ଯାୟରେ କରାଯାଇଛି । ଅଳ୍ପ ଭକ୍ତଙ୍କ ସମାଗମ ମଧ୍ୟରେ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଛି ଏହି ପର୍ବ । ପ୍ରଥମ ପର୍ଯ୍ଯାୟ ପୂଜା ମାର୍ଚ୍ଚ ୧୮ରୁ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ଯାୟରେ ଭକ୍ତମାନେ ମାର୍ଚ୍ଚ ୨୭ ରେ ଅଠର ଦେଉଳ କୁ ପ୍ରବେଶ କରିଥିଲେ । ମାର୍ଚ୍ଚ ୨ ତାରିଖରେ ମେଢ଼ ପୂଜା ହୋଇ ମାର୍ଚ୍ଚ ୩ ତାରିଖରେ ଶେଷ ହେଇଥିଲା । ଏହି ପୂଜାରେ ମୟୂରଭଞ୍ଜ, ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ବହୁ ବାଥୁଡି ସମ୍ପ୍ରଦାୟ ଲୋକେ ସାମିଲ ହୋଇଥିଲେ । ଅଠର ଦେଉଳଟି ସମ୍ପୂର୍ଣ୍ଣ ଅଭୟାରଣ୍ୟରେ । ଯେଉଁଠି ହିଂସ୍ରଜନ୍ତୁ ବସବାସ କରିଥାନ୍ତି । ତେବେ ଏଠାରେ ପର୍ବ ବେଳେ ଭକ୍ତମାନେ ରାତିରେ ରହିଲେବି କାହାରି କିଛି କ୍ଷତି ହେଇ ନଥାଏ । ଅବଶ୍ୟ ଏଠାକାର ଏକ ବଡ଼ ସମସ୍ୟା ହେଉଛି ପାଣି। ଯାହା ପାଇଁ ଲମ୍ବା ଲାଇନ ଲାଗିଥାଏ । ଏହି ଅଞ୍ଚଳରେ ନଳକୂପ ନାହିଁ । କେବଳ ପାଣି ଗାଡ଼ିରେ ପାଣି ନେଇ ଶୋଷ ମେଣ୍ଟାଇଥାନ୍ତି ଭକ୍ତମାନେ । ଆଗାମୀ ଦିନରେ ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି ।

Leave A Reply

Your email address will not be published.