Odisha News
.

ଗରିବଙ୍କ ଭଗବାନ ବନିଲେ ଫୌଜିଙ୍କର ଏହି ଡାକ୍ତର ପୁଅ: ହାତ-ଗୋଡ଼ ଅଚଳ, କାର୍‌ରେ ଚଳାନ୍ତି ଚିକିତ୍ସାଳୟ

ଦେଶ ସେବା ପାଇଁ ଜରୁରୀ ନୁହେଁ କି ଆପଣ ସୀମାକୁ ହିଁ ଯିବେ। ଆପଣ ଯେଉଁଠି ଏବଂ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି, ସେଠାରେ ରହି ବି ଏହି କାମ କରିପାରିବେ। ମଧ୍ୟପ୍ରଦେଶର ଗ୍ଵାଲିୟର ନିବାସୀ ଡା. ବିକ୍ରମ ସିଂଙ୍କ କାହାଣୀ ମଧ୍ୟ ଠିକ୍‌ ସେହିଭଳି, ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ସାଜିଛି। ତାଙ୍କର ହାତ, ଗୋଡ଼ ଚାଲୁପାରୁନି ସତ, ହେଲେ ଚିକିତ୍ସାକୁ ଦେଶ ସେବା ଏବଂ ଗରିବଙ୍କ ସେବାକୁ ନିଜର ଧର୍ମ ବୋଲି ମାନିନେଇଛନ୍ତି ଡା. ବିକ୍ରମ।

ଡା. ବିକ୍ରମ ୬ ବର୍ଷ ହେବ ଗ୍ଵାଲିୟରରେ ଥିବା ସିଭିଲ୍‌ ହସ୍ପିଟାଲର ଦୁଇଟି ଭେଷଜଶାଳା ଚଳାଉଛନ୍ତି। ଏହାଛଡ଼ା ଅସହାୟ ଓ ରୋଗୀମାନଙ୍କର ସେବା କରିବା ପାଇଁ ସେ ସର୍ବଦା ତତ୍ପର ହୋଇଉଠନ୍ତି। ବିକ୍ରମଙ୍କ ବାପା କେ.କେ. ସିଂ ହେଉଛନ୍ତି ଜଣେ ଆର୍ମି କ୍ୟାପଟେନ୍‌। ବାପାଙ୍କଠାରୁ ସେ ଏହି ପ୍ରେରଣା ପାଇଥିବା କହିଛନ୍ତି। ବିକ୍ରମ ଯେତେବେଳେ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେତେବେଳେ ହଠାତ୍‌ ତାଙ୍କର ଦୁଇଟି ଗୋଡ଼ ଅଚଳ ହୋଇଗଲା। ଆଶାବାଡ଼ି ହିଁ ଥିଲା ଏକମାତ୍ର ସାହାରା। ଏହା ସାହାଯ୍ୟରେ ସେ ଏମବିବିଏସ୍‌ ପାଠ ଶେଷ କରିଥିଲେ। ପରବର୍ତ୍ତୀ ସମୟରେ ଦୁଇଟି ହାତ ମଧ୍ୟ ସାଥ୍‌ ଛାଡ଼ିଦେଇଥିଲା।

ଏହାସହ ପଢ଼ନ୍ତୁ: ପ୍ରତିବର୍ଷ ଏହି ବ୍ୟକ୍ତି ଆୟ କରିଥାନ୍ତି ୨୬୦ କୋଟି, ଚାକିରି ଛାଡି ଏବେ ପିଲାଙ୍କୁ ଦେଉଛନ୍ତି କୋଚିଂ

୩୬ବର୍ଷୀୟ ଡା. ବିକ୍ରମଙ୍କ କାର ହିଁ ତାଙ୍କ ନିତିଦିନିଆ ଚିକିତ୍ସାଳୟ। କାର ଦେଖି ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ଘରକୁ ନେଇଯାଆନ୍ତି ଏବଂ କାର୍‌ ଭିତରେ ବସି ଡାକ୍ତର ରୋଗୀ ସେବା କରିଥାଆନ୍ତି। ଏଥିପାଇଁ ସେ କୌଣସି ଫିସ୍‌ ନିଅନ୍ତି ନାହିଁ। ଆବଶ୍ୟକ ପଡ଼ିଲେ, ରୋଗୀଙ୍କ ପାଇଁ ଔଷଧ ଖର୍ଚ୍ଚ ମଧ୍ୟ ନିଜେ ଉଠାଇ ଥାଆନ୍ତି। ସକାଳୁ ସନ୍ଧ୍ୟା ଯାଏ ଡା. ବିକ୍ରମ କାର୍‌ ଭିତରେ ରହି ରୋଗୀ ସେବାରେ ଲାଗିଥାଆନ୍ତି। ସନ୍ଧ୍ୟା ପରେ ଘରେ କିମ୍ବା କୌଣସି ବସ୍ତିକୁ ଯାଇ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଦିଅନ୍ତି।

doctor2

ଏହା ମୋର ଦେଶ ସେବା

ଏ ନେଇ ଡା. ବିକ୍ରମ ସିଂ କୁହନ୍ତି, ଯେବେ ମୋର ହାତ, ଗୋଡ଼ ଅଚଳ ହୋଇଗଲା, ସେବେ ମୋ ମସ୍ତିଷ୍କ ଓ ହୃଦୟ ଅଧିକ କାମ କରିବାକୁ ଲାଗିଲା। ମୁଁ କାହାକୁ ଅଚଳ କିମ୍ବା ଅସହାୟ ଅବସ୍ଥାରେ ଦେଖିପାରିବି ନାହିଁ। ଯେଉଁ ସେବା ମୋ ଦ୍ୱାରା ହୋଇପାରିବ, ତାହା ମୁଁ କରୁଛି। ଆଉ ଏହା ହେଉଛି ମୋର ଦେଶ ସେବା।

ମା’ର କଷ୍ଟ

ଡା. ବିକ୍ରମଙ୍କର ଏଭଳି ଯନ୍ତ୍ରଣାଦାୟକ ଜୀବନ ଦେଖି ତାଙ୍କ ମା’ଙ୍କ ହୃଦୟ ଭାଙ୍ଗିପଡ଼ିଥାଏ। ସ୍କୁଲ ଶିକ୍ଷୟିତ୍ରୀ ଥିବା ବିକ୍ରମଙ୍କ ମା’ କୁହନ୍ତି, ପୁଅ ମେଡିକାଲ ଏଣ୍ଟ୍ରାନ୍ସରେ ଯେତେବେଳେ ସିଲେକ୍ଟ ହୋଇଥିଲା, ସେତେବେଳେ ସବୁ କିଛି ଠିକ୍‌ ହୋଇଯିବ ବୋଲି ଲାଗୁଥିଲା। ହେଲେ ଆଜି ତା’ର ଅବସ୍ଥା ଦେଖି ମୋ ଅନ୍ତର ଭିତର କାନ୍ଦୁଛି। ତାକୁ ଗଣ୍ଠିବାତ ରୋଗ ହୋଇଥିଲା। ୨୦୦୭ରେ ଅସ୍ତ୍ରୋପଚାର ପରେ ସବୁ ଠିକ୍‌ ହୋଇଗଲା। ୨୦୧୧ରେ ତା’ର ବାହାଘର ବନାରସର ଋତୁ ସିଂଙ୍କ ସହିତ ବେଶ୍‌ ଧୁମଧାମରେ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ବିବାହ ପରେ ହଠାତ୍‌ ପୁଣି ଦୁଃଖ ମାଡ଼ିଆସିଲା। ପୁଣି ସେହି ରୋଗ ଗ୍ରାସିଲା ଆଉ ସେ ଅଚଳ ହୋଇଗଲା। ୩ ବର୍ଷ ହେବ ଗୋଡ଼, ହାତ କାମ କରିବା ବନ୍ଦ କରିଦେଇଛି। ଜଣାପଡ଼ିଲା କି, ଅସ୍ତ୍ରୋପଚାର ସମୟରେ ଯେଉଁ ଇମ୍ପ୍ଲାଟ୍‌ ପକାଯାଇଥିଲା, ତାହାର କ୍ୱାଲିଟି ଖରାପ ଥିଲା।

ଭଗବାନ ମାନନ୍ତି ରୋଗୀ

ଜଣେ ରୋଗୀଙ୍କ କହିବାନୁଯାୟୀ, ଡାକ୍ତର ସାହେବ ଯେକୌଣସି ସ୍ଥାନରେ ବି ରୋଗୀ ଦେଖିପାରନ୍ତି। ରାସ୍ତାରେ ଯିବା ରାସ୍ତାରେ ସେ ଗାଡ଼ି ଅଟକାଇ ସେବାରେ ଲାଗିପଡ଼ନ୍ତି। ସେ କାହାକୁ କେବେ ନିରାଶ କରି ଫେରାଇ ନାହାନ୍ତି। ଡା. ବିକ୍ରମ ଗରିବମାନଙ୍କ ଭଗବାନ। ସେ ଜଣେ ସଚ୍ଚା ସିପାହୀ। ଆଉ ଆମମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଆଉ ଜଣେ ରୋଗୀ ଭାବପ୍ରବଣ ହୋଇ କହିଛନ୍ତି।

Leave A Reply

Your email address will not be published.