ଆସିଗଲା ଇଲେକ୍ଟ୍ରିକ ପ୍ଲେନ୍, ଥରେ ଚାର୍ଜ କରିଲେ ଚାଲିବ ୧୦୦୦ କିଲୋମିଟର

ବର୍ତ୍ତମାନର ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଲୋକମାନେ ଆଉ ପେଟ୍ରୋଲ କିମ୍ବା ଡିଜେଲ ଚାଳିତ ଯାନବାହନ ଚଳାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ଏଣୁ ସମସ୍ତେ ଏବେ ଇଲେକ୍ଟ୍ରିକ୍‌ ଗାଡ଼ି ପ୍ରତି ଢଳୁଥିବା ଦେଖିବାକୁ ମିଳୁଛି । ଆଜିର ଏହି ଯୁଗରେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଇ-ସ୍କୁଟର, ଇ-କାର, ଇ-ସାଇକେଲ ବିଷୟରେ ଶୁଣିଆସିଛୁ । କିନ୍ତୁ ଆଜି ପର୍ଯ୍ୟନ୍ତ ଆପଣ କେବେ କୌଣସି ଇଲେକ୍ଟ୍ରିକ ପ୍ଲେନ ବିଷୟରେ ଶୁଣିନଥିବେ । ତେବେ ବିଶ୍ୱ ଦରବାରରେ ଇଲେକ୍ଟ୍ରିକ ଯାନବାହାନର ଏଭଳି ଅଗ୍ରଗତି ଦେଖିବା ପରେ ଏବେ ଖୁବ ଶୀଘ୍ର ଆସିବାକୁ ଯାଉଛି ଇଲେକ୍ଟ୍ରିକ ପ୍ଲେନ ।

ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବେ ବି ଏହା ସତ । ପେଟ୍ରୋଲ ଡିଜେଲର ବଢୁଥିବା ଦରକୁ ନେଇ ଦିନକୁ ଦିନ ଇଲେକ୍ଟ୍ରିକ ଗାଡିର ଚାହିଦା ବେଶ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ କମ୍ପାନୀଗୁଡିକ ଏପରି ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି, ଯାହା ଦ୍ୱାରା ବିମାନଗୁଡ଼ିକ ଇନ୍ଧନରେ ନୁହେଁ ବରଂ ଇଲେକ୍ଟ୍ରିରେ ମଧ୍ୟ ଚଲାଯାଇପାରିବ । ଏଭଳି ପରିସ୍ଥିତିରେ ଜର୍ମାନୀର ଅଗ୍ରଣୀ ଇଲେକ୍ଟ୍ରିକ ପ୍ଲେନ ଉତ୍ପାଦନକାରୀ କମ୍ପାନୀ ଲିଲିୟମ୍ ଏବେ ସର୍ବପ୍ରଥମ ଇଲେକ୍ଟ୍ରିକ ବିମାନ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଯାହାର ବର୍ତ୍ତମାନ ସଫଳ ପରୀକ୍ଷଣ ସରିଛି ।

ଏହି ଇଲେକ୍ଟ୍ରିକ ପ୍ଲେନ ମାତ୍ର ଗୋଟିଏ ଥର ଚାର୍ଜରେ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଉଡାଣ ଭରିପାରିବ । ଏହାକୁ ଆପଣ ଅତି ସହଜରେ ମଧ୍ୟ ଚାର୍ଜ କରିପାରିବେ । ଏହି ଇଲେକ୍ଟ୍ରିକ ପ୍ଲେନ ପାଇଁ କୌଣସି ରନୱେର ମଧ୍ୟ ଆବଶ୍ୟକତା ନାହିଁ । ଏହା ହେଲିକପ୍ଟର ପରି କୌଣସି ବି ସ୍ଥାନରେ ଲ୍ୟାଣ୍ଡ ଏବଂ ଟେକ ଅଫ କରିପାରିବ । ସୂଚନା ଅନୁଯାୟୀ, ଏହି ଇଲେକ୍ଟ୍ରିକ ପ୍ଲେନର ନିର୍ମାଣ ୨୦୨୩ ଶେଷରେ ଆରମ୍ଭ ହୋଇଥିଲା ଏବଂ ଏହାର ଡ଼େଲିଭରୀ ୨୦୨୬ରୁ ଆରମ୍ଭ ହେବାକୁ ଯାଉଛି । ରିପୋର୍ଟ ଅନୁଯାୟୀ, ଏଥିରେ ପ୍ରାୟ ୧୦୦ ଜଣ ଯାତ୍ରୀ ବସିପାରିବେ ।

ଏହି ଇଲେକ୍ଟ୍ରିକ୍ ବିମାନକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯାହାଦ୍ୱାରା ସାଧାରଣ ଲୋକମାନେ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ । ବର୍ତ୍ତମାନ ଯୁଗରେ ବିମାନ କ୍ଷେତ୍ରରେ ମଧ୍ୟ ଅନେକ ନୂତନ ଉଦ୍ଭାବନ କରାଯାଉଛି, ଯାହାର ଗୋଟିଏ ବଡ଼ ଉଦାହରଣ ହେଉଛି ଏହି ଇଲେକ୍ଟ୍ରିକ ପ୍ଲେନ । ଏହା ସାଧାରଣ ଫ୍ଲାଇଟ ତୁଳନାରେ ଲୋକମାନଙ୍କ ପାଇଁ ଅଧିକ ଉପଯୋଗୀ ମଧ୍ୟ ହୋଇପାରେ । କାରଣ ଏହା କୌଣସି ବି ସ୍ଥାନରେ ଲ୍ୟାଣ୍ଡ ଏବେ ଟେକ ଅଫ କରିପାରିବ ।

ଏହି ପ୍ଲେନର ଅନ୍ୟ ଏକ ସ୍ୱତନ୍ତ୍ରତା ହେଉଛି ଏହା ଭର୍ଟିକାଲ ଭାବରେ ଉଡିଥାଏ । କମ୍ପାନୀର କହିବାନୁସାରେ ଅଳ୍ପ ବାଟ ଯିବା ପାଇଁ ଏହି ବିମାନ ସମସ୍ତଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ । ତେବେ ଯଦି ଏହି ଇଲେକ୍ଟ୍ରିକ ପ୍ଲେନ ଲଞ୍ଚ ହୁଏ ତେବେ ପରିବେଶ ପ୍ରଦୂଷଣ ମଧ୍ୟ ଯଥେଷ୍ଟ ମାତ୍ରାରେ କମିଯିବ ଏବଂ ସାଧାରଣ ଲୋକମାନେ ମଧ୍ୟ ଖୁବ ଉପକୃତ ହୋଇପାରିବେ । ସୂଚନାଯୋଗ୍ୟ, ଏହା ପୂର୍ବରୁ ଚାଇନା ମଧ୍ୟ ଏକ ଇଲେକ୍ଟ୍ରିକ ପ୍ଲେନର ସଫଳ ପରୀକ୍ଷଣ କରିସାରିଛି ।