ଲକଡାଉନ-୨ ପରେ ଏବେ ଟ୍ରେନ ଟିକେଟ ରିଫଣ୍ଡ ପାଇଁ ଲାଗିବ ସମୟ, ଫେରସ୍ତ ତାରିଖ ଘୋଷଣା କଲା ରେଲୱେ

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମୋଦି ସରକାର ଲକଡାଉନର ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି। ମେ ୩ ଯାଏଁ କୌଣସି ବସ, ଟ୍ରେନ କିମ୍ବା ବିମାନ ଚଳାଚଳ କରିପାରିବ ନାହିଁ ବୋଲି ସରକାର ଗାଇଡଲାଇନ ଜାରି କରିଛନ୍ତି। ତେବେ ଏଭଳି ସ୍ଥିତିରେ ଟ୍ରେନ ଟିକେଟ ବୁକିଂ କରିଥିବା ଯାତ୍ରୀଙ୍କୁ ସେମାନଙ୍କ ଟଙ୍କା ଫେରାଇ ଦିଆଯିବ ବୋଲି ରେଳ ବିଭାଗ ତରଫରୁ ସୂଚନା ଦିଆଯାଇଛି।
ରେଳବାଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଲକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା ହେବା ପରେ ରେଲୱେର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ନିଷ୍ପତ୍ତି ହୋଇଛି ହେ ୩୧ ଜୁଲାଇ ୨୦୨୦ ସୁଦ୍ଧା ସମସ୍ତ ଯାତ୍ରୀଙ୍କ ଟଙ୍କା ଫେରସ୍ତ କରାଯିବ। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମାର୍ଚ୍ଚ ୨୩ରେ ରେଲୱେ ଯାତ୍ରୀମାନଙ୍କ ଟିକେଟ ଅର୍ଥ ଫେରସ୍ତ ଅବଧିକୁ ୩ ମାସ ପର୍ଯ୍ୟନ୍ତ ବଢ଼ାଇଥିଲା।
ଅଧିକାରୀଙ୍କ ସୂଚନାନୁଯାୟୀ ଯେଉଁ ମାନେ ଅନଲାଇନରେ ଟିକେଟ ବୁକ କରିଥିବେ ତାଙ୍କ ଖାତାକୁ ଆପେ ଆପେ ଟଙ୍କା ରିଫଣ୍ଡ ହୋଇଯିବ। କିନ୍ତୁ ଯେଉଁମାନେ କାଉଣ୍ଟର ଟିକେଟ କାଟିଥିବେ ସେମାନେ ଜୁଲାଇ ୩୧ ଭିତରେ ଟଙ୍କା ଫେରି ପାଇବେ। ଟିକେଟର ରିଫଣ୍ଡ ପାଇଁ ଯାତ୍ରୀ ଚାହିଁଲେ ୧୩୯ କୁ ମଧ୍ୟ କଲ କରିପାରିବେ। ମାତ୍ର ଟଙ୍କା ଆଣିବାକୁ ତାଙ୍କୁ କାଉଣ୍ଟରକୁ ଯିବାକୁ ପଡ଼ିବ।