୨୦୨୫ ମସିହା ବେଳକୁ ଦେଶରେ ସୃଷ୍ଟି ହେବ ୧୦ ଲକ୍ଷ ନିଯୁକ୍ତି। ଏଭଳି ବଡ଼ ଘୋଷଣା କରିଛନ୍ତି Amazonର ମୁଖ୍ୟ। ଗ୍ଲୋବାଲ ଇ-କମର୍ସ କମ୍ପାନୀ ଆମାଜନ୍ ସୂଚନା ଦେଇ କହିଛି ଯେ ସେ ପ୍ରାଦ୍ୟୋଗିକ, ଇନ୍ଫ୍ରାଷ୍ଟ୍ରକଚର ଓ ଲଜିଷ୍ଟିକ୍ ନେଟଓ୍ଵାର୍କରେ ନିବେଶ କରିବ। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ଦଶ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରିବାକୁ ଆମାଜନ୍ ଲକ୍ଷ୍ୟ ରଖିଥିବା କହିଛି। କମ୍ପାନୀର କହିବାନୁସାରେ, ଏହି ରୋଜଗାର ଗତ ଛଅ ବର୍ଷ ମଧ୍ୟରେ ଦେଶରେ ସୃଷ୍ଟି ହୋଇଥିବା ସାତ ଲକ୍ଷରୁ ଊର୍ଦ୍ଧ୍ୱ ରୋଜଗାର ଠାରୁ ଭିନ୍ନ ହେବ।
କମ୍ପାନୀ କହିଛି ଯେ ଭାରତରେ ୨୦୨୫ ବେଳକୁ ଦଶ ଲକ୍ଷ ନୂଆ ରୋଜଗାର ସୃଷ୍ଟି କରିବାକୁ ଆମାଜନ୍ ଲକ୍ଷ୍ୟ ରଖିଛି। ଏଥିରେ ଉଭୟ ପ୍ରତ୍ୟକ୍ଷ ଓ ପରୋକ୍ଷ ରୋଜଗାର ସାମିଲ ରହିଛି। କମ୍ପାନୀ ପ୍ରାଦ୍ୟୋଗିକୀ, କୌଶଳ ବିକାଶ, ମନୋରଞ୍ଜନ ସାମଗ୍ରୀ ନିର୍ମାଣ, ଲଜିଷ୍ଟିକ୍ ଓ ବିନିର୍ମାଣ ଆଦି ସମସ୍ତ କ୍ଷେତ୍ରରେ ରୋଜଗାର ସୃଷ୍ଟି କରିବ।
ଆମାଜନ୍ ଡଟ୍ କମ୍ର ମୁଖ୍ୟ ଜେଫ୍ ବେଜୋସ୍ ବୁଧବାର ଘୋଷଣା କରି କହିଛନ୍ତି ସେ ଭାରତରେ ଏକ ଅରବ ଡଲାର ବା ୭୦୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନିବେଶ କରିବେ। ଫଳରେ ଦେଶରେ ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ଅନ୍ଲାଇନ୍ ଆଣିହେବ ଓ ୨୦୨୫ ବେଳକୁ ଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ରୋଜଗାର ସୃଷ୍ଟି କରାଯାଇପାରିବ। ସେ କହିଛନ୍ତି ଯେ ‘ଆମକୁ ଆମ କର୍ମଚାରୀଙ୍କ ଠାରୁ ଅଦ୍ଭୁତପୂର୍ବ ସହଯୋଗ ମିଳିଛି। ଏଣୁ ଭବିଷ୍ୟତରେ କ’ଣ ହେବାକୁ ଯାଉଛି ସେ ନେଇ ଆମେ ଉତ୍ସାହିତ ଅଛୁ।’ ଭାରତରେ ରୋଜଗାର ସୃଜନ ଓ କୌଶଳ ବିକାଶକୁ ପ୍ରାଥମିକତା ଦିଆଯାଉଛି। ଏଥିରେ ୨୦୨୨ ବେଳକୁ ସହରୀ-ଗ୍ରାମୀଣ କ୍ଷେତ୍ରର ୪୦ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ପ୍ରଶିକ୍ଷଣ ଦେବା ମଧ୍ୟ ସାମିଲ ରହିଛି।