ଖୁବ୍ଶୀଘ୍ର ଆରମ୍ଭ ହେବ ଅଟୋ ଓ ଟ୍ୟାକ୍ସି ସେବା, ଜାଣନ୍ତୁ ରେଳ ଷ୍ଟେସନ୍ ଯାଏଁ ଯିବେ କେମିତି

ଦୀର୍ଘଦିନ ଧରି ବନ୍ଦ ରହିବା ପରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ରେଳ ସେବା। ଏଭଳି ସ୍ଥିତିରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଲକ୍ଡାଉନ୍ ମଧ୍ୟରେ ଟିକେଟ୍ ବୁକ୍ କରିଦେଲେ ମଧ୍ୟ ଘରୁ ରେଲେଓ୍ଵ ଷ୍ଟେସନ୍ ଯାଏଁ ଯିବେ କେମିତି? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ତେବେ ଲୋକଙ୍କ ଏହି ପ୍ରଶ୍ନର ଉତ୍ତର ଖୁବ୍ଶୀଘ୍ର ମିଳିବାକୁ ଯାଉଛି।
ନିକଟରେ ଦିଲ୍ଲୀ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇକହିଛନ୍ତି ଯେ ଖୁବ୍ ଶୀଘ୍ର ଅଟୋ ଓ ଟ୍ୟାକ୍ସି ସେବା ଆରମ୍ଭ ହେବ। ଲକ୍ଡାଉନ୍ ମଧ୍ୟରେ ଘରୁ ରେଳ ଷ୍ଟେସନ୍ ପହଞ୍ଚିବା ପାଇଁ ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରିବେ। କହିବାକୁ ଗଲେ ପବ୍ଲିକ୍ ଟ୍ରାନ୍ସପୋର୍ଟ ଆରମ୍ଭ ନ କରି ଟ୍ରେନ୍ ଓ ବିମାନ ସେବା ଆରମ୍ଭ କରିବା ଅସମ୍ଭବ। ତେବେ ଆଜି ରାତି ୮ଟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ପରେ ଆଗକୁ କି କି ନୂଆ ନିୟମ ଆସିବ ସେ ନେଇ ଜଣାପଡ଼ିବ।
ସୂଚନାଯୋଗ୍ୟ ଯେ ପ୍ରାୟ ୫୦ ଦିନର ଲକ୍ଡାଉନ୍ ପରେ ଭାରତୀୟ ରେଲେଓ୍ଵ ୧୫ଟି ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏନେଇ ଗତ କାଲିଠାରୁ ବୁକିଂ ଆରମ୍ଭ ହୋଇଛି। କିନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ଯଦି ଟ୍ୟାକ୍ସି ନ ଚାଲିବ ତେବେ ଲୋକେ ଘରୁ ଷ୍ଟେସନ୍ ଯାଏଁ ଯିବେ କେମିତି? ଏନେଇ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି।