୯୦ ବର୍ଷ ପୁରୁଣା ବିମାନ ନିୟମକୁ ବଦଳାଇବା ପାଇଁ ରାଜ୍ୟସଭାରେ ନୂଆ ବିଲ୍ ଆଗତ

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରପୁ ରାମମୋହନ ନାଇଡୁ ମଙ୍ଗଳବାର ରାଜ୍ୟସଭାରେ ଏକ ନୂତନ ବିଲ୍ ଆଗତ କରିଛନ୍ତି । ୯୦ ବର୍ଷ ପୁରୁଣା ବିମାନ ନିୟମକୁ ବଦଳାଇବା ପାଇଁ ଏହି ବିଲ୍ ଉପସ୍ଥାପନ କରାଯାଇଛି । ଗତ ଅଗଷ୍ଟରେ ସଂସଦ ଅଧିବେଶନରେ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା ।

କେନ୍ଦ୍ର ମନ୍ତ୍ରୀ ଆଲୋଚନା ଏବଂ ଅନୁମୋଦନ ପାଇଁ ଭାରତୀୟ ବିମାନ ବିଲ୍, ୨୦୨୪କୁ ରାଜ୍ୟସଭାରେ ଆଗତ କରିଛନ୍ତି । ସେ କହିଛନ୍ତି ଯେ ଅନ୍ତର୍ଜାତୀୟ ବିମାନ ଚଳାଚଳ ସଙ୍ଗଠନ (ICAO)ର ପରାମର୍ଶରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି, ଯଦ୍ଦ୍ଵାରା ପୁରୁଣା ଅଧିନିୟମରେ ଜରୁରୀ ପରିବର୍ତ୍ତନ କରାଯାଇପାରିବ ।

ଏହା ସହିତ ନାଇଡୁ କହିଛନ୍ତି, ଆମେ ଏହି ବିଲରେ DGCA ଭଳି ଅନୁଷ୍ଠାନର ଅଧିକାର ପାଇଁ ଅଲଗା ବିଭାଗ ସୃଷ୍ଟି କରିଛୁ । କେଉଁ ସଂସ୍ଥା କେଉଁ କାର୍ଯ୍ୟ କରିବ, ତାହା ସ୍ପଷ୍ଟ ଭାବରେ ସ୍ଥିର ହୋଇଛି ।

ବିମାନ ଚଳାଚଳ କ୍ଷେତ୍ର ଅର୍ଥନୀତିକୁ ସମୃଦ୍ଧ କରିବାର କ୍ଷମତା ରଖିଛି । ଏହି କ୍ଷେତ୍ରକୁ ପ୍ରୋତ୍ସାହିତ କରାଯିବା ଉଚିତ । ୨୦୧୪ରେ ଦେଶରେ ୭୪ ବିମାନବନ୍ଦର ଥିଲା । ଏବେ ଏହା ବୃଦ୍ଧି ପାଇ ୧୫୭ ହୋଇଛି । ବିମାନ ସଂଖ୍ୟା ମଧ୍ୟ ୪୦୦ରୁ ବଢ଼ି ୮୧୩ ହୋଇଥିବା କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ପୂର୍ବ ବିମାନ ଆଇନରେ କେବଳ ବିମାନର ରକ୍ଷଣାବେକ୍ଷଣ ବିଷୟରେ ଉଲ୍ଲେଖ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହି ବିଲରେ ଡିଜାଇନ୍ ଏବଂ ଉତ୍ପାଦନ ମଧ୍ୟ ଯୋଡାଯାଉଛି । ଆମେ ମୁଖ୍ୟ ନିୟମରେ ପରିବର୍ତ୍ତନ କରୁଛୁ, ଯଦ୍ଦ୍ଵାରା ଏହି ନିୟମଗୁଡିକୁ ଦୃଢ଼ ଆଇନଗତ ସମର୍ଥନ ମିଳିପାରିବ । ଏହାର ଅର୍ଥ ହେଉଛି, ନୂତନ ନିୟମ ପୁରୁଣା ନିୟମକୁ ଅଧିକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ କରିବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବିଭିନ୍ନ ବିମାନ ନିୟମ ମଧ୍ୟରେ ଥିବା ଅସମାନତାକୁ ଦୂର କରିବା ଏବଂ ଏକ ସୁବ୍ୟବସ୍ଥିତ ପରିବେଶ ସୁନିଶ୍ଚିତ କରିବା ପାଇଁ ଏହି ବିଲ୍ ଆଗତ କରାଯାଇଛି । ଏକ ଶକ୍ତିଶାଳୀ ନିୟାମକ ଢାଞ୍ଚା ତିଆରି କରି ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ହେଉଛି ମନ୍ତ୍ରଣାଳୟର ମୂଳ ଉଦ୍ଦେଶ୍ୟ ।