ଦୀପାବଳିରେ ମିଳିବ ବଡ଼ ଉପହାର । କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଦୀପାବଳି ପୂର୍ବରୁ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି ଘୋଷଣା କରିପାରନ୍ତି । ଏଥର ଅକ୍ଟୋବର ୨୧ ରେ ପଡୁଛି ଦୀପାବଳି । ଏହି ଅବସରରେ, ସରକାର ସେପ୍ଟେମ୍ବର ମାସର ଦରମା ସହିତ ଏରିୟର ଯୋଡି ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଦୀପାବଳି ଉପହାର ଦେଇପାରନ୍ତି ।
ଏଥି ସହ ଜାଣିରଖନ୍ତୁ ଯେ, ଦେଶରେ ଅହେତୁକ ଭାବେ ବୃଦ୍ଧି ପାଉଥିବା ଦରଦାମକୁ ନେଇ ଜନତା ତ୍ରାହି ତ୍ରାହି ଡାକିଲେଣି । ଖାଦ୍ୟ ଠାରୁ ପରିବହନ, ସ୍ବାସ୍ଥ୍ୟରୁ ଶିକ୍ଷା ସବୁର ଦରଦାମ ଯେଭଳି ଭାବେ ବୃଦ୍ଧି ପାଇବାରେ ଲାଗିଛି ଲୋକେ ଭୟଭୀତ ହୋଇପଡିଛନ୍ତି । ଏହାକୁ ନେଇ ବିରୋଧୀଦଳଗୁଡିକ ଅନେକ ବର୍ଷ ଧରି ସରକାରଙ୍କୁ ପ୍ରଶ୍ନ କରିବା ସହ ସଂସଦରୁ ସଡ଼କ ବିକ୍ଷୋଭ ଜାରି ରଖିଛନ୍ତି । ହେଲେ ଦରବୃଦ୍ଧିକୁ ନେଇ ସରକାର କୌଣସି ପଦକ୍ଷେପ ନେଉ ନଥିଲେ । ଏହିପ୍ରସଙ୍ଗରେ ମଧ୍ୟ ବିଜେପିର ମୂଳ ସଂଗଠନ କୁହାଯାଉଥିବା ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କିଛିଦିନ ତଳେ ଏକ ସଭାରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ କି, ଦେଶରେ ସ୍ବାସ୍ଥ୍ୟ ଓ ଶିକ୍ଷା ଏତେ ମହଙ୍ଗା ହୋଇଗଲାଣି କି, ସାଧାରଣ ଲୋକଙ୍କ ପାଇଁ ବଡ଼ ଚିନ୍ତା ପାଲଟିଲାଣି । ଏସବୁ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ୭୯ ତମ ସ୍ବାଧୀନତା ଦିବସ ଅବସରରେ ସାମଗ୍ରୀ ଓ ସେବା କର ବା ଜିଏସଟିରେ ସଂସ୍କାର ଅଣାଯିବ ବୋଲି ଘୋଷଣା କରିଛନ୍ତି ।
ଏଥି ସହ ଯଦି ମୋଦୀ ସରକାର ଦୀପାବଳିରୁ ଜିଏସଟି ସ୍ଲାବରେ ସଂସ୍କାର ଆଣନ୍ତି ତେବେ ସାଧାରଣ ଲୋକଙ୍କ ପର୍ଯ୍ୟାପ୍ତ ଟିକସ ରିହାତି ମିଳିବା ସହ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନେ ମଧ୍ୟ ଉପକୃତ ହେବେ । ସେପଟେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଜିଏସଟିକୁ ନେଇ ନାନା ଆଲୋଚନା ଆରମ୍ଭ ହୋଇଛି । ଜିଏସଟିରେ ସଂସ୍କାର ହେଲେ ବିଭିନ୍ନ ସାମଗ୍ରୀର ଦରଦାମ କମିବା ନେଇ ଆଶା କରାଯାଉଛି ।
ଏକ ରିପୋର୍ଟ ଅନୁଯାୟୀ, DA ୩% ରୁ ୪% କୁ ବୃଦ୍ଧି ପାଇବାର ସମ୍ଭାବନା ଅଛି । ଯଦି ସରକାର ୩%-୪% ବୃଦ୍ଧିକୁ ଅନୁମୋଦନ କରନ୍ତି, ତେବେ DA ୫୮%–୫୯% ରେ ପହଞ୍ଚିପାରେ । ବର୍ତ୍ତମାନ DA ହେଉଛି ୫୫% । ଯଦି DA ୩% ବୃଦ୍ଧି ପାଏ, ତେବେ ୧୮,୦୦୦ ଟଙ୍କା ମୂଳ ଦରମା ଥିବା ଜଣେ ପ୍ରବେଶ-ସ୍ତରୀୟ କର୍ମଚାରୀଙ୍କ ମାସିକ ଆୟ ପ୍ରାୟ ୫୪୦ ଟଙ୍କା ବୃଦ୍ଧି ପାଇବ । ସେହିପରି, ୯,୦୦୦ ଟଙ୍କା ମୂଳ ପେନସନ ଥିବା ପେନସନଭୋଗୀମାନେ ୨୭୦ ଟଙ୍କାର ଲାଭ ପାଇବେ । ହେଲେ, DA କେତେ ବୃଦ୍ଧି ପାଏ ତାହା ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବ । କ୍ୟାବିନେଟ ସେପ୍ଟେମ୍ବର-ଅକ୍ଟୋବରରେ ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରେ ।
ଆପଣମାନେ ଜାଣିରଖନ୍ତୁ ଯେ, ସରକାର ବର୍ଷକୁ ଦୁଇଥର DA ସଂଶୋଧନ କରନ୍ତି । ପ୍ରଥମ ଥର ଜାନୁଆରୀରେ ଏବଂ ଦ୍ୱିତୀୟ ଥର ଜୁଲାଇରେ । ନୂତନ ହାର ଜୁଲାଇ ୧ ରୁ ଲାଗୁ ହେବ । କିନ୍ତୁ, ସାଧାରଣତଃ ଏହା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ଘୋଷଣା କରାଯାଏ । କର୍ମଚାରୀମାନେ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ପାଇଁ ଏରିୟର୍ସ ପାଉଛନ୍ତି । ଏଥି ସହ ସରକାରୀ କର୍ମଚାରୀମାନେ ଆଶା କରିବେ ଯେ ସରକାର ଉତ୍ସବ ଋତୁ ପୂର୍ବରୁ ସେପ୍ଟେମ୍ବରରେ DA ବୃଦ୍ଧି ଘୋଷଣା କରିବେ ।
Also read : FASTag Annual Passକୁ ମିଳିଛି ଜବରଦସ୍ତ ପ୍ରତିକ୍ରିୟା, ପ୍ରଥମ ଦିନରେ ବୁକ୍ ହେଲା ୧.୪ ଲକ୍ଷ Annual Pass