ଆର୍ଥିକ ସ୍ଥିତି ଖରାପ ଦେଇ ଗତି କରୁଥିବାରୁ ୫୪ ହଜାର କର୍ମଚାରୀ ଛଟେଇ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ: ଆର୍ଥିକ ସ୍ଥିତି ଖରାପ ଦେଇ ଗତି କରୁଥିବା ସରକାରୀ ଦୂରସଂଚାର କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ୍ ବା ବିଏସ୍‌ଏନ୍‌ଏଲ୍‌ ଏହାର ସ୍ଥିତିରେ ସୁଧାର ଆଣିବା ପାଇଁ ‌କେତେକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। କମ୍ପାନୀ ଏହାର ୫୪ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ତେବେ ନିର୍ବାଚନ ପରେ ଏହି ପ୍ରକ୍ରିୟା ଆରମ୍ଭ କରାଯିବ।

ବିଏସ୍‌ଏନ୍‌ଏଲ୍‌ରେ ୧ ଲକ୍ଷ ୭୪ ହଜାରରୁ ଅଧିକ କର୍ମଚାରୀ କାମ କରୁଛନ୍ତି ଯାହା ଘରୋଇ ମୋବାଇଲ୍ କଂପାନିଗୁଡ଼ିକର ମୋଟ କର୍ମଚାରୀ ସଂଖ୍ୟା ତୁଳନାରେ ଅନେକ ଗୁଣ ଅଧିକ। କମ୍ପାନୀର ସ୍ଥିତିରେ ସୁଧାର ଆଣିବାକୁ ଏକ ବିଶେଷଜ୍ଞ କମିଟି ୧୦ଟି ପ୍ରସ୍ତାବ ଦେଇଥିଲା। ସେଥି ମଧ୍ୟରୁ ତିନିଟି ପ୍ରସ୍ତାବକୁ କମ୍ପାନୀ ର ବୋର୍ଡ ଗ୍ରହଣ କରିଛନ୍ତି।

BSNLକ’ଣ ସେହି ତିନିଟି ପ୍ରସ୍ତାବ :

-୫୪ ହଜାର କର୍ମଚାରୀଙ୍କୁ ଛଟେଇ କରିବା
– ଅବସର ବୟସ ସୀମାକୁ ୬୦ ବର୍ଷରୁ କମାଇ ୫୮ ବର୍ଷ କରିବା
-୫୦ ବର୍ଷରୁ ଅଧିକ ବୟସର କର୍ମଚାରୀଙ୍କୁ ସ୍ବେଚ୍ଛାକୃତ ଅବସର ପ୍ରଦାନ କରିବା

ବିଏସ୍ଏନ୍‌ଏଲ୍‌ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାରୁ ନିଜର କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ଦେଇପାରୁନାହିଁ। ନିଜ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାରଙ୍କ ସହାୟତା ଲୋଡିଥିବାବେଳେ ଏପର୍ଯ୍ୟନ୍ତ ଏଦିଗରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି ସରକାର।