BSNL ପାଇଁ ୧.୬୪ ଲକ୍ଷ କୋଟି ଟଙ୍କାର ପୁନରୁଦ୍ଧାର ପ୍ୟାକେଜ୍‌! ମଞ୍ଜୁରୀ ଦେଲା କେନ୍ଦ୍ର କ୍ୟାବିନେଟ୍‌

କେନ୍ଦ୍ର କ୍ୟାବିନେଟ୍‌ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)ର ପୁନରୁଦ୍ଧାର ପାଇଁ ୧ ଲକ୍ଷ ୬୪ ହଜାର କୋଟି ଟଙ୍କାର ପ୍ୟାକେଜ୍‌କୁ ମଞ୍ଜୁରୀ ପ୍ରଦାନ କରିଛି। ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବୁଧବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସରକାର 4G ସେବାର ବିସ୍ତାର ପାଇଁ ବିଏସ୍‌ଏନ୍‌ଏଲ୍‌କୁ ସ୍ପେକ୍ଟ୍ରମ୍‌ ଆବଣ୍ଟିତ କରିବେ।

ବିଏସ୍‌ଏନ୍‌ଏଲ୍‌ର ୩୩,୦୦୦ କୋଟି ଟଙ୍କାର ବୈଧାନିକ ଦେୟକୁ ଇକ୍ୱିଟିରେ ବଦଳାଯିବ। ଏଥି ସହିତ କମ୍ପାନୀ ୩୩,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପରିଶୋଧ ପାଇଁ ବଣ୍ଡ୍‌ ଜାରି କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କମ୍ପାନୀର ନେଟ୍‌ଓ୍ଵାର୍କର ଅପ୍‌ଗ୍ରେଡେସନ ପାଇଁ CAPEXକୁ ମଞ୍ଜୁରୀ ଦିଆଯାଇଛି। ଅପ୍‌ଗ୍ରେଡେସନ ପାଇଁ ଭାରତୀୟ ଉପକରଣଗୁଡ଼ିକୁ ବ୍ୟବହାର କରାଯିବ। କ୍ୟାବିନେଟ୍‌ ବିଏସ୍‌ଏନ୍‌ଏଲ୍‌ ଏବଂ ଭାରତ ବ୍ରଡ୍‌ବ୍ୟାଙ୍କ ନେଟ୍‌ଓ୍ଵାର୍କ ଲିମିଟେଡ୍‌ର ବିଲୟକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି।

ସେ କହିଥିଲେ, ୟୁନିଭର୍ସାଲ ସର୍ଭିସ୍‌ ଓବ୍ଲିଗେସନ ଫଣ୍ଡ୍‌ ଜରିଆରେ ଦେଶର ‘ଅନ୍‌କଭର୍ଡ’ ଗାଁଗୁଡ଼ିକୁ 4G ମୋବାଇଲ ସେବା ସହିତ ସଂଯୁକ୍ତ କରାଯିବ। ଏଥିପାଇଁ କ୍ୟାବିନେଟ୍‌ ୨୬,୩୧୬ ଟଙ୍କା ଆନୁମାନିକ ମୂଲ୍ୟରେ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି।

ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ କହିଥିଲେ, 5G ସ୍ପେକ୍ଟ୍ରମ୍‌ ନିଲାମୀର ଦ୍ୱିତୀୟ ଦିନ ୧.୪୯ ଲକ୍ଷ କୋଟି ଟଙ୍କାର ନିଲାମ ଡାକ ମିଳିଛି। ନବମ ପର୍ଯ୍ୟାୟ ଜାରି ରହିଛି। ସରକାରଙ୍କୁ ନିଲାମୀର ପ୍ରଥମ ଦିନରେ ଚତୁର୍ଥ ପର୍ଯ୍ୟାୟ ପୂରା ହେବା ପରେ ୧.୪୫ ଲକ୍ଷ କୋଟି ଟଙ୍କାର ନିଲାମ ଡାକ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.