ସାବଧାନ ! ଏବେ ଆଉ ବଦଳିପାରିବେନି ଗାଡ଼ିର ଚେହେରା, ନହେଲେ ଭରିବାକୁ ପଡ଼ିବ ବଡ଼ ଜରିମାନା : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଯଦି ଆପଣ ନିଜର ଦୁଇଚକିଆ ଯାନ ବା କାରର କୌଣସି ପରିବର୍ତ୍ତନ କରି ତାହାକୁ ନୂତନ ରୁପ ଦେବାକୁ ଚାହୁଁଛନ୍ତି ତେବେ ସାବଧାନ। କାରଣ ଆପଣଙ୍କ ଏହି ପଦକ୍ଷେପ ଆପଣଙ୍କୁ ଜେଲ ପହଞ୍ଚାଇପାରେ। ସୁପ୍ରିମକୋର୍ଟ ଦ୍ବାରା ଲାଗୁ କରାଯାଇଥିବା ନିୟମନୁଯାୟୀ, ମୋଟର କମ୍ପାନି ଦ୍ବାରା ପ୍ରସ୍ତୁତ କରାଯାଇଥିବା ଗାଡ଼ିର ମୂଳ ରୁପର ପରିବର୍ତ୍ତନ କରିବା ଦ୍ବାରା ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିବ।
ସର୍ବୋଚ୍ଚ ଅଦାଲତରେ ଲାଗୁ କରାଯାଇଥିବା ମୋଟର ଗାଡ଼ି ନିୟମ ଅନୁଯାୟୀ, ଗ୍ରାହକ ବାହନରେ ଏପରି କିଛି ପରିବର୍ତ୍ତନ କରିପାରିବେ ନାହିଁ ଯାହା ଦ୍ବାରା ଗାଡ଼ିର ସାର୍ଟିଫେକେଟରେ ଉଲ୍ଳେଖ ହୋଇଥିବା ବିବରଣୀଠୁ ତାହା ସଂପୂର୍ଣ୍ଣ ଭିନ୍ନ ହୋଇଯିବ। ଅର୍ଥାତ ଗାଡ଼ିରେ ଏତେ ପରିବର୍ତ୍ତନ କରାଯାଇପାରିବ ନାହିଁ ଯାହା ଫଳରେ କମ୍ପାନି ଦ୍ବାରା ପ୍ରସ୍ତୁତ କରାଯାଇଥିବା ମୂଳ ଗାଡ଼ିର ସ୍ବରୁପ ହିଁ ବଦଳିଯିବ। ଗାଡ଼ିର ରେଜିଷ୍ଟ୍ରେସନ୍ ସମୟରେ ଉଲ୍ଲେଖ କରାଯାଇଥିବା ଏହାର ସ୍ପେସିଫିକେସନରେ କୌଣସି ପରିବର୍ତ୍ତନ କରିବା ଦ୍ବାରା ଗ୍ରାହକଙ୍କୁ ଜରିମାନା ଦେବାକୁ ପଡ଼ିବ।
କଣ ରହିଥିଲା ନିୟମ ଏବଂ କାହିଁକି ହେଲା ପରିବର୍ତ୍ତନ :
କୋର୍ଟ ଦ୍ବାରା ଲାଗୁ କରାଯାଇଥିବା ନିୟମନୁଯାୟୀ, ଏବେ ଗାଡ଼ିର ବେସିକ୍ ଫିଚରରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ତେବେ ପୂର୍ବରୁ କେରଳ କୋର୍ଟର ଖଣ୍ଡପାଠ ଅନୁଯାୟୀ, ମୋଟର ଭେଇକ୍ଳ ନିୟମ ୧୯୮୯ ଅନ୍ତର୍ଗତ ଗାଡ଼ିରେ କିଛି ନିର୍ଦ୍ଦିଷ୍ଟ ପରିବର୍ତ୍ତନ କରାଯାଇପାରିବ ବୋଲି କୁହାଯାଇଥିଲା। କିନ୍ତୁ ଏହା ଦ୍ବାରା ଗାଡ଼ିର ବେସିକ୍ ଫିଚରରେ ନାହିଁ ନଥିବା ପରିବର୍ତ୍ତନ ହେବା ସହ ସଡ଼କ ସୁରକ୍ଷା ନିୟମରେ ବ୍ୟହତ ହେବା ଦେଖାଦେଲା । ଫଳରେ ଏବେ ସେହି ପୁରୁଣା ନିୟମକୁ ସଂଶୋଧନ କରାଯାଇ ଏବେ ନୂତନ ନିୟମ ଲାଗୁ କରାଯାଇଛି।