ଭାରତରେ କରୋନା ଯୋଗୁ ବଢ଼ୁଥିବା ଆତଙ୍କ ଯୋଗୁ ଭାରତୀୟ ରେଳବାଇ ମଧ୍ୟ ସତର୍କ ହୋଇଛି। ଲୋକମାନେ କରୋନା ଭୟରେ ଯାତ୍ରା ଉପରେ ରୋକ ଲଗାଇଛନ୍ତି, ଏଣୁ ପ୍ରତିଦିନ ହଜାର ହଜାର ରେଳ ଟିକେଟ୍ କ୍ୟାନ୍ସଲ୍ କରିଦିଆଯାଉଛି। ଯଦି ଆପଣ ବି କୌଣସି କାରଣରୁ ରେଳ ଟିକେଟ୍ କ୍ୟାନ୍ସଲ୍ କରୁଛନ୍ତି ତେବେ କେତେକ ସାବଧାନତା ଅବଲମ୍ବନ କରନ୍ତୁ। ସତର୍କ ନ ରହିଲେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇପାରେ। ଇଣ୍ଡିଆନ୍ ରେଲେଓ୍ଵ କ୍ୟାଟରିଂ ଆଣ୍ଟ ଟୁରିଜିମ୍ କର୍ପୋରେସନ୍(IRCTC) ଅନ୍ଲାଇନ୍ ଠକେଇରୁ ବର୍ତ୍ତିବା ପାଇଁ ନିଜ ଗ୍ରାହକଙ୍କୁ ସତର୍କ କରାଇଛି। ଗତ କିଛି ଦିନ ହେବ ଟିକେଟ୍ କ୍ୟାନ୍ସଲ୍ କରାଉଥିବା ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଚୋରି ହେଉଥିବା ଅଭିଯୋଗ ହେଉଛି।
ଏନେଇ IRCTC ପକ୍ଷରୁ ଗ୍ରାହକଙ୍କୁ ଇ-ମେଲ ମାଧ୍ୟମରେ ସତର୍କ କରାଯାଇଛି। ମେଲରେ ଦିଆଯାଇଥିବା ସୂଚନା ମୁତାବକ IRCTC ଆପଣଙ୍କୁ ବ୍ୟାଙ୍କ ବିଷୟରେ କୌଣସି ସୂଚନା ମାଗିନଥାଏ। ଯଦି ଆପଣଙ୍କୁ ଟିକେଟ୍ ବୁକିଂ ବେଳେ ବ୍ୟାଙ୍କ ସମ୍ବନ୍ଧୀୟ ସୂଚନା ମଗାଯାଉଛି, ତେବେ ଆପଣ ଠକେଇର ଶିକାର ହୋଇପାରନ୍ତି। ଏଣୁ କାହାକୁ ବି ନିଜ ଏଟିଏମ୍ ଡିଟେଲ୍ସ କିମ୍ବା ଆକାଉଣ୍ଟ ବାବଦରେ କୌଣସି ତଥ୍ୟ ଦିଅନ୍ତୁ ନାହିଁ ବୋଲି ରେଳ ବିଭାଗ ସତର୍କ କରାଇଛି।
ରେଳ ଟିକେଟ୍ କ୍ୟାନ୍ସଲ୍ ବେଳେ ଠକେଇରୁ ବର୍ତ୍ତିବା ପାଇଁ ଏହି ଉପାୟ ଆପଣାନ୍ତୁ:
- ଇ-ଟିକେଟ୍ କ୍ୟାନ୍ସଲେସନ୍ ପରେ ରିଫଣ୍ଡ ପ୍ରୋସେସ୍ ସମ୍ପୂର୍ଣ୍ଣ ଅଟୋମେଟିକ୍ ହୋଇଥାଏ। ଟିକେଟ୍ ଚାର୍ଜ କାଟିବା ପରେ ରିଫଣ୍ଡ ଟଙ୍କା ମଧ୍ୟ ଆପେ ଆପେ ଆକାଉଣ୍ଟରେ ଡିପୋଜିଟ୍ ହୁଏ।
- ନିଜ ଟିକେଟ୍ ବିଷୟରେ କୌଣସି ତଥ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତୁ ନାହିଁ।
- ରେଳବାଇ ବିଷୟରେ କୌଣସି ସୂଚନା ଜାଣିବାକୁ ଅନ୍ୟ କୌଣସି ୱେବସାଇଟ୍ ବ୍ୟବହାର ନ କରି କେବଳ ରେଳ ବିଭାଗର ଅଫିସିଆଲ ସାଇଟ୍ ବ୍ୟବହାର କରନ୍ତୁ।