ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଦେଲେ ସରକାର! ନୂଆବର୍ଷଠାରୁ ମହଙ୍ଗା ହେଉଛି ଜୋତା-ଚପଲ ଓ କପଡ଼ା; ଏହି କାରଣରୁ ବଢ଼ୁଛି ଦାମ୍‌

ଯଦି ଆପଣଙ୍କର ବି ନୂଆ ନୂଆ ଜୋତା ଏବଂ କପଡ଼ା କିଣିବାକୁ ସଉକ ଅଛି, ତା’ ହେଲେ ଏକ ଜରୁରୀ ଖବର ଜାଣି ରଖନ୍ତୁ। ନୂଆ ବର୍ଷ ଅର୍ଥାତ୍‌ ୧ ଜାନୁଆରୀ ୨୦୨୨ଠାରୁ କପଡ଼ା ଏବଂ ଜୋତାର ଦାମ୍‌ ବଢ଼ିବାକୁ ଯାଉଛି। ବାସ୍ତବରେ, କେନ୍ଦ୍ର ସରକାର ଏହି ଉତ୍ପାଦଗୁଡ଼ିକ ଉପରେ ଲାଗୁଥିବା ଜିଏସ୍‌ଟି ଦରକୁ ବୃଦ୍ଧି କରିଛନ୍ତି। ଏହି ନୂଆ ଦର ଆସନ୍ତା ବର୍ଷଠାରୁ ଲାଗୁ ହୋଇଯିବ, ଯାହାଫଳରେ ଆପଣଙ୍କୁ କପଡ଼ା ଏବଂ ଜୋତା, ଚପଲ ଆଦି କିଣିବା ପାଇଁ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡ଼ିବ। କୁହାଯାଉଛି କି, ସରକାରଙ୍କ ଏହି ନିଷ୍ପତ୍ତିରେ ଛୋଟ ବ୍ୟବସାୟୀଙ୍କ ଆୟ ଉପରେ ସିଧା ପ୍ରଭାବ ପଡ଼ିବ।

୫ରୁ ବଢ଼ି ୧୨ ପ୍ରତିଶତ ହେଲା ଜିଏସ୍‌ଟିି ଦର

୧ ଜାନୁଆରୀରୁ ସୂତା ଠାରୁ ଆରମ୍ଭ କରି ପ୍ରସ୍ତୁତ କପଡ଼ା ପର୍ଯ୍ୟନ୍ତ ୧୨ ପ୍ରତିଶତ ଜିଏସ୍‌ଟି ଲାଗିବ। ଏ ପର୍ଯ୍ୟନ୍ତ ସୂତା ଉପରେ ୧୨ ଏବଂ କପଡ଼ା ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା। ଦ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ୍‌ ଏକ ଅଧିସୂଚନା ଜାରି କରି ଏ ବିଷୟରେ ସୂଚନା ଦେଇଛି। ଦୀର୍ଘ ଦିନରୁ ଏହି ସମ୍ଭାବନା ରହି ଆସିଥିଲା ଯେ ସରକାର ରେଡିମେଡ୍‌ ଏବଂ ଟେକ୍ସଟାଇଲ ଉପରେ ଜିଏସ୍‌ଟି ଦର ବଢ଼ାଇ ପାରନ୍ତି, ଯାହାକି ଏବେ ଠିକ୍‌ ପ୍ରମାଣିତ ହୋଇଛି।

ବର୍ତ୍ତମାନ ନୂଆ ପରିବର୍ତ୍ତନ ଅଧୀନରେ ୧ ଜାନୁଆରୀରୁ ସବୁ ପ୍ରକାର କପଡ଼ା ଉପରେ ୧୨ ପ୍ରତିଶତ ଜିଏସ୍‌ଟି ଲାଗିବ। ଆଜି ଯାଏ ୧୦୦୦ ଟଙ୍କା ପର୍ଯ୍ୟନ୍ତ କପଡ଼ା ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁଥିଲା। ଏବେ ସୂତା ଉପରେ ମଧ୍ୟ ୧୨ ପ୍ରତିଶତ ଜିଏସ୍‌ଟି ଲାଗିବ। ଏମିତିରେ କଞ୍ଚାମାଲ ଠାରୁ ଆରମ୍ଭ କରି ରେଡିମେଡ୍‌ ପର୍ଯ୍ୟନ୍ତ ସବୁ ପ୍ରକାର କପଡ଼ା ଉପରେ ଗ୍ରାହକମାନଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ।

ଜୋତା ଉପରେ ବି କରିବାକୁ ପଡ଼ିବ ଅଧିକ ଖର୍ଚ୍ଚ

କପଡ଼ା ଭଳି ଜୋତା, ଚପଲ ମଧ୍ୟ କିଣିବା ଏବେ ମହଙ୍ଗା ହେବ। ଏହା ଉପରେ ସରକାର ୧ ଜାନୁଆରୀରୁ ୧୨ ପ୍ରତିଶତ ଜିଏସ୍‌ଟି ଆଦାୟ କରିବେ। ଏହାଛଡ଼ା ଥାନ, କମ୍ବଳ, ବୁଣା ସୂତା, ନ୍ୟାପକିନ୍‌, ରୁମାଲ, ଟେବୁଲ କ୍ଲଥ୍‌ ଠାରୁ ଆରମ୍ଭ କରି ତଉଲିଆ ପର୍ଯ୍ୟନ୍ତ ସବୁକିଛି ମହଙ୍ଗା ହୋଇଯିବ।

ବିଶେଷଜ୍ଞଙ୍କ କହିବା ହେଲା, ସରକାରଙ୍କ ଏହି ନିଷ୍ପତ୍ତି ପରେ ସମ୍ବନ୍ଧିତ ଉତ୍ପାଦଗୁଡ଼ିକର ଦାମ୍‌ରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିପାରେ। ବାସ୍ତବରେ, କଞ୍ଚାମାଲର ଦାମ୍‌ ସହିତ ସୂତା, ପ୍ୟାକିଂ ସାମଗ୍ରୀ ଏବଂ ମାଲ ପରିବହନ ମୂଲ୍ୟରେ ଲଗାତାର ବୃଦ୍ଧି ଘଟୁ ଥିବାରୁ ପୋଷାକ ମୂଲ୍ୟ ମଧ୍ୟ ବଢ଼ାଇବାକୁ ସରକାର ସ୍ଥିର କରିଛନ୍ତି। ୫୦୦ ଟଙ୍କାର କପଡ଼ା, ଯାହାକି ୫ ପ୍ରତିଶତର ଜିଏସ୍‌ଟି ସହିତ ୫୨୫ ଟଙ୍କାରେ ମିଳୁଥିଲା, ଏବେ ତାହା ୫୬୦ ଟଙ୍କାରେ ମିଳିବ। ସେହିପରି ୧୦୦୦ ଟଙ୍କାର ଡ୍ରେସ୍‌, ଯାହା ୧୦୨୫ ଟଙ୍କାରେ ମିଳୁଥିଲା, ତାହା ଏବେ ୧୧୨୦ ଟଙ୍କାରେ ଉପଲବ୍ଧ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.