ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି ସରକାର । ମାସ ଆରମ୍ଭରୁ କମିଛି ସିଲିଣ୍ଡର ଦର । ସିଲିଣ୍ଡର ପିଛା ୬୯.୫୦ ଟଙ୍କା ଶସ୍ତା ହୋଇଛି । ତେବେ ଦେଶରେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ କମିର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ୧,୬୭୬ ଟଙ୍କା ହୋଇଛି ।
ତେବେ ଦିଲ୍ଲୀରେ ୬୯.୫୦ ଟଙ୍କା, କୋଲକାତାରେ ୭୨ ଟଙ୍କା, ମୁମ୍ବାଇରେ ୬୯.୫୦ ଟଙ୍କା ଏବଂ ଚେନ୍ନାଇରେ ୭୦.୫୦ ଟଙ୍କା ଶସ୍ତା ହୋଇଛି ସିଲିଣ୍ଡର ଦାମ୍ । କୋଲକାତାରେ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୧୭୮୭ ଟଙ୍କାରେ ପାଇପାରିବେ ଗ୍ରାହକ । ମୁମ୍ବାଇରେ ସିଲିଣ୍ଡରର ଦାମ୍ ୬୯.୫୦ ଟଙ୍କା ହ୍ରାସ ପରେ ୧୬୨୯ ଟଙ୍କାରେ ରହିଥିବା ବେଳେ ଚେନ୍ନାଇରେ ୧୮୪୦.୫୦ ଟଙ୍କା ରହିଛି । ଚଣ୍ଡୀଗଢରେ କମର୍ସିଆଲ ସିଲିଣ୍ଡର ୧୬୯୭ ଟଙ୍କା ରହିଥିବା ବେଳେ ପାଟନାରେ ଏହି ନୂଆ ରେଟ୍ ୧୯୩୨ରେ ପହଞ୍ଚିଛି ।
ତେବେ ଘରୋଇ ଗ୍ୟାସ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଲଗାତାର ତୃତୀୟ ମାସରେ କମର୍ସିଆଲ ଗ୍ୟାସ ଦର କମ୍ ହୋଇଛି । ଏହା ପୂର୍ବରୁ ଏପ୍ରିଲ ଓ ମେ’ ମାସ ଆରମ୍ଭରେ ଗ୍ୟାସ୍ ସିଲିଣ୍ଡର ଦାମରେ ହ୍ରାସ କରାଯାଇଥିଲା। ତେବେ ଜୁନ୍ ୧ ତାରିଖରୁ ଏହି ନୂଆ ରେଟ୍ ଲାଗୁ କରିବା ପାଇଁ IOCLର ୱେବସାଇଟରେ ଜାରି କରାଯାଇଛି ।
ଜୁନ୍ ମାସରେ ମଧ୍ୟ ଅନେକ ଆର୍ଥିକ ନିୟମ ପରିବର୍ତ୍ତନ ହେବାକୁ ହୋଇଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପରିବର୍ତ୍ତନ ବିଷୟରେ ଜାଣିବା ମଧ୍ୟ ବହୁତ ଜରୁରୀ । ତେବେ ଏଲପିଜି ସିଲିଣ୍ଡର ମୂଲ୍ୟ, ବ୍ୟାଙ୍କ ଛୁଟି, ଆଧାର କାର୍ଟ ଅପ୍ଡେଟ୍ ଭଳି ଅନେକ ପରିବର୍ତ୍ତନ ହେବାକୁ ହୋଇଛି ।
ଆଧାର କାର୍ଡ ଅପ୍ଡେଟ୍କୁ ନେଇ କିଛି ବଡ ପରିବର୍ତ୍ତନ ହେଉଛି । UIDAI ବର୍ତ୍ତମାନ ମାଗଣା ଆଧାର ଅପ୍ଡେଟ୍ ପାଇଁ ଜୁନ୍ ୧୪କୁ ବଢିଯାଇଛି । ଅବଶ୍ୟ, ଅଫଲାଇନ୍ ଅପ୍ଡେଟ୍ ପାଇଁ ଅର୍ଥାତ୍ ଆଧାର କେନ୍ଦ୍ରକୁ ଯିବା ପାଇଁ ଅପ୍ଡେଟ୍ ପିଛା ୫୦ ଟଙ୍କା ଦେବାକୁ ପଡିବ ।
ଜୁନ୍ ଠାରୁ ନୂଆ ଡ୍ରାଇଭିଂ ଲାଇସେନ୍ସ ନିୟମ ତିଆରି ହୋଇଛି । ନୂଆ ନିୟମ ଅନୁଯାୟୀ, ଯଦି ଜଣେ ବ୍ୟକ୍ତି ବହୁତ ବେଗରେ ଗାଡି ଚଳାନ୍ତି, ତେବେ ତାଙ୍କୁ ୧୦୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିପାରେ । ଏହା ସହ ବିନା ଲାଇସେନ୍ସରେ ଗାଡି ଚଳାଇବା ପାଇଁ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଯଦି କେହି ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ବିନା ଗାଡି ଚଲାନ୍ତି, ତେବେ ତାଙ୍କୁ ୧୦୦ ଟଙ୍କା ଜୋରିମାନା ଦେବାକୁ ପଡିବ ।