ଗ୍ରାହକଙ୍କ ପାଇଁ ଖୁସି ଖବର : ଜୁଲାଇ ୧ରୁ ଲାଗୁ ହେବ ଡେବିଟ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟର ନୂଆ ନିୟମ

ଗ୍ରାହକଙ୍କ ପାଇଁ ଖୁସି ଖବର। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଡେବିଟ କାର୍ଡ ଓ କ୍ରେଡିଟ କାର୍ଡରେ ଅନଲାଇନ୍ ପେମେଣ୍ଟ ପାଇଁ ନୂଆ ନିୟମ ଆଣିଛି। ଅସନ୍ତା ଜୁଲାଇ ପହିଲାରୁ ଏହି ନୂଆ ନିୟମ ଲାଗୁ କରିବାକୁ ଯାଉଛି ରିଜର୍ଭ ବ୍ୟାଙ୍କ । ଏହି ନୂତନ ନିୟମ ପେମେଣ୍ଟ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ବାଦ୍ ଦେଇ ଦେଶର ବାକି ସମସ୍ତ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥା ମାନିବେ।

ତେବେ ଏହି ତଥ୍ୟକୁ ହ୍ୟାକରମାନେ ବ୍ୟବହାର କରି ଅନେକ ସାଇବର ଜାଲିଆତି କରୁଥିଲେ । ତେଣୁ ଗ୍ରାହକଙ୍କ କାର୍ଡ ସୁରକ୍ଷା ଦୃଷ୍ଟିରୁ ନୂଆ ନିୟମ ଅନୁସାରେ ଗ୍ରାହକଙ୍କ କୌଣସି ତଥ୍ୟ ରଖିପାରିବ ନାହିଁ ମର୍ଚ୍ଚେଣ୍ଟ ସଂସ୍ଥା । ତା ବଦଳରେ ପେମେଣ୍ଟରେ ନୂଅ ବ୍ୟବସ୍ଥା କରାଯାଇଛି । ଏହାକୁ କୁହାଯାଉଛି ଟୋକନାଇଜେସନ୍ । ଗ୍ରାହକଙ୍କୁ ଏ ସମ୍ପର୍କରେ ସଚେତନ କରାଇବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ଏଥିରେ କୁହାଯାଇଛି ଯେ, ୱେବସାଇଟ ଏବଂ ଆପ୍‌ଗୁଡିକରେ ପେମେଣ୍ଟ ବେଳେ ଗ୍ରାହକଙ୍କ କାର୍ଡ ସମ୍ପର୍କିତ ବିଭିନ୍ନ ତଥ୍ୟ ସେଭ୍‌ କରିବା ପାଇଁ ଏକ ବିକଳ୍ପ ଦେଇଥାନ୍ତି । ଏହା ଦ୍ୱାରା ପେମେଣ୍ଟ ସହଜ ଏବଂ ତ୍ୱରିତ ହୋଇଥାଏ ।

ମାତ୍ର ଜୁଲାଇ ପହିଲାରୁ ମର୍ଚ୍ଚାଣ୍ଟ ଗ୍ରାହକଙ୍କ କାର୍ଡ ସହ ଜଡିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯଥା- କାର୍ଡ ନମ୍ବର, ସିଭିଭି ଏବଂ କାର୍ଡ ବ୍ୟବହାର ସୀମା ନିଜ ପାଖରେ ସେଭ୍‌ କରି ରଖିପାରିବେ ନାହିଁ । କାର୍ଡର ନିରାପତ୍ତା ଲାଗି ଏଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଗ୍ରାହକଙ୍କ ପୂର୍ବର ରହିଥିବା ସମସ୍ତ ତଥ୍ୟକୁ ସେମାନେ କ୍ଲିୟର କରି ଟୋକନ କାର୍ଡକୁ ବ୍ୟବହାର କରିବାକୁ ହେବ । କେନ୍ଦ୍ରୀୟ ବ୍ୟାଙ୍କର ଏଭଳି ସେବା ଗ୍ରହଣ କରିବାକୁ କୌଣସି ଦେୟ ଦେବାକୁ ପଡ଼ିବନି । ଏଭଳି ବ୍ୟବସ୍ଥାରେ କାର୍ଡର ତଥ୍ୟ ମର୍ଚ୍ଚାଣ୍ଟଙ୍କ ପାଖରେ ରହୁ ନ ଥିବାରୁ ଏହାକୁ ଅଧିକ ସୁରକ୍ଷିତ ବ୍ୟବସ୍ଥା ବୋଲି ବିବେଚିତ କରାଯାଉଛି ।

ଏହା ହେଲେ ଗ୍ରାହକଙ୍କୁ ବାରମ୍ବାର ସେମାନଙ୍କ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଦେବା ପରିବର୍ତ୍ତେ କେବଳ ଏକ କୋଡ୍‌କୁ ହିଁ ଦେବାକୁ ପଡିବ । ଏଭଳି ଟୋକନ ବ୍ୟବସ୍ଥା ଗ୍ରହଣ କରିବାକୁ ହେଲେ ପେମେଣ୍ଟ ସମୟରେ ନୂଆ ବ୍ୟବସ୍ଥା ଅନୁସାରେ କାର୍ଡକୁ ସୁରକ୍ଷିତ କରିବା ବିକଳ୍ପକୁ ଚୟନ କରିବାକୁ ପଡିବ । ମୋବାଇଲକୁ ଆସିଥିବା ଓଟିପିକୁ ବ୍ୟବହାର କରି କାର୍ଡକୁ ସୁରକ୍ଷିତ କରାଯାଇପାରିବ ।

ଏହି ତଥ୍ୟ ଦେବା ପରେ ହିଁ କାରବାର ହୋଇପାରିବ । ଟୋକେନାଇଜେସନ ବ୍ୟବସ୍ଥା ଗ୍ରାହକଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଯଦି ଜଣେ ଗ୍ରାହକ ଏହାକୁ ଗ୍ରହଣ କରିବାକୁ ଚାହିଁବ ନାହିଁ, ତେବେ ପ୍ରତ୍ୟେକ କାରବାରରେ କାର୍ଡର ସବୁ ତଥ୍ୟ ବାରମ୍ବାର ଦେବାକୁ ହେବ । ୨୦୨୦ ମାର୍ଚ୍ଚ ୧୭ରୁ ଆରବିଆଇର ଏହି ନିୟମ ଘୋଷଣା କରିଥିଲା । ସବୁ ପ୍ରସ୍ତୁତି ସରିବା ପରେ ଆସନ୍ତା ଜୁଲାଇରୁ ଏହି ନିୟମ ଲାଗୁ ହେବାକୁ ଯାଉଛି ।