ନୂଆବର୍ଷରେ ଅନ୍ୟ ନିୟମ ସହ ବ୍ୟାଙ୍କିଂ ନିୟମରେ ବି କେତେକ ପରିବର୍ତ୍ତନ ହୋଇଛି। ଏହି ନୂଆ ନିୟମ ଯୋଗୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପାଇଁ ସମସ୍ୟା ବଢ଼ିଛି। ଅଧିକ ଆକାଉଣ୍ଟ ଥିବା ଲୋକଙ୍କ କ୍ଷେତ୍ରରେ ହେରଫେର ହେବା ସମ୍ଭାବନା ଅଧିକ ଥାଏ। ଯଦି ଆପଣଙ୍କର ମଧ୍ୟ ଏକାଧିକ ଆକାଉଣ୍ଟ ଅଛି ଓ ତାହା ନିଷ୍କ୍ରିୟ ହୋଇଯାଇଛି ତେବେ ତାହାକୁ ଯେତେ ଶୀଘ୍ର ପାରୁଛନ୍ତି ବନ୍ଦ କରି ଦିଅନ୍ତୁ। ନଚେତ୍ ପରେ ବଡ଼ କ୍ଷତି ସହିବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ଥିଲେ କି କି ସମସ୍ୟା ହୋଇପାରେ…
ନିଷ୍କ୍ରିୟ ଖାତାର ଠିକ୍ ବ୍ୟବହାର ନ କଲେ ଆପଣଙ୍କ ଆର୍ଥିକ କ୍ଷତି ହୋଇପାରେ। ଏଭଳି ଖାତାରେ ଥିବା ଅର୍ଥ ଉପରେ ଯେତିକି ସୁଧ ମିଳେ ଯଦି ସେହି ଅର୍ଥକୁ ଅନ୍ୟ କୌଣସି ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବେ ତେବେ ଅଧିକ ଲାଭ ପାଇପାରିବେ।
ଯେକୌଣସି ସାଲାରି ଆକାଉଣ୍ଟରେ ତିନି ମାସ ଯାଏଁ ଦରମା ନ ମିଳିଲେ ତାହା ସେଭିଂ ଆକାଉଣ୍ଟରେ କନଭର୍ଟ ହୋଇଯାଏ। ଫଳରେ ବ୍ୟାଙ୍କର ନିୟମ ମଧ୍ୟ ବଦଳିଯାଏ ଓ ଏକ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ୍ କରିବାକୁ ପଡ଼େ। ନଚେତ୍ ପେନାଲିଟି ଦେବାକୁ ପଡ଼ିଥାଏ।
ଏକାଧିକ ନିଷ୍କ୍ରିୟ ଖାତା ଥିବା ଯୋଗୁ ଆପଣଙ୍କ କ୍ରେଡିଟ୍ ସ୍କୋର ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ସର୍ବନିମ୍ନ ବାଲାନ୍ସ ମେଣ୍ଟେନ୍ କରିନପାରିବାରୁ କ୍ରେଡିଟ୍ ସ୍କୋର ଖରାପ ହୋଇଥାଏ।
ଏକାଧିକ ବ୍ୟାଙ୍କରେ ଖାତା ଥିଲେ ଆପଣ ପିନ୍ ଭୁଲିଯିବା ଆଶଙ୍କା ରହିଛି। ଫଳରେ ସୁରକ୍ଷା ଦୃଷ୍ଟିକୋଣରୁ ମଧ୍ୟ ଏହା ଆପଣଙ୍କ ଉପରେ ଭାରି ପଡ଼ିବ।
ଏକାଧିକ ଆକାଉଣ୍ଟଧାରୀଙ୍କୁ ଟ୍ୟାକ୍ସ ଫାଇଲ୍ କରିବା ବେଳେ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ସବୁ ବ୍ୟାଙ୍କକୁ ଯାଇ ଡକ୍ୟୁମେଣ୍ଟ ସଂଗ୍ରହ କରିବା ବେଳେ ଅସୁବିଧାରେ ପଡ଼ିପାରନ୍ତି।