ଭାରତରେ ଜଲ୍‌ଦି ମିଳିବାକୁ ଯାଉଛି ଇ-ପାସପୋର୍ଟ, ଜାଣନ୍ତୁ ଏହା କ’ଣ? କେମିତି କରିବେ ଆବେଦନ?

ନାଗରିକମାନଙ୍କ ପାଇଁ ଏକ ଭଲ ଖବର। ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ ସରକାର ଖୁବ୍‌ ଜଲ୍‌ଦି ନୂଆ ପାସପୋର୍ଟ ପାଇଁ ଆବେଦନ କରୁଥିବା ନାଗରିକ କିମ୍ବା ନିଜର ମିଆଦ ପୂର୍ଣ୍ଣ ହେଉଥିବା ପାସପୋର୍ଟର ନବୀକରଣ କରୁଥିବା ନାଗରିକମାନଙ୍କୁ ଇ-ପାସପୋର୍ଟ ଜାରି କରିବା ଆରମ୍ଭ କରିବେ। ବୈଦେଶିକ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଭଟ୍ଟାଚାର୍ଯ୍ୟ ଏକ ଟୁଇଟ୍ରେ କହିଛନ୍ତି ଯେ, ‘ଭାରତ ଖୁବ୍ ଶୀଘ୍ର ନାଗରିକମାନଙ୍କ ପାଇଁ ପରବର୍ତ୍ତୀ ପିଢ଼ିର ଇ-ପାସପୋର୍ଟ ଆଣିବ’। ସେ ଆହୁରି ମଧ୍ୟ କହିଛନ୍ତି, ‘ଟ୍ରାଭେଲ ଡକ୍ୟୁମେଣ୍ଟ ସୁରକ୍ଷିତ ବାୟୋମେଟ୍ରିକ ତଥ୍ୟ ଉପରେ ଆଧାରିତ ହେବ ଏବଂ ବିଶ୍ୱ ସ୍ତରରେ ଇମିଗ୍ରେସନ (ଆପ୍ରବାସନ) ପୋଷ୍ଟ ମାଧ୍ୟମରେ ସୁଗମ ପଥ ନିଶ୍ଚିତ କରିବ।

ଭାରତ ଏବଂ ବିଦେଶରେ ପାସପୋର୍ଟ ପ୍ରଦାନକାରୀ ପ୍ରାଧିକରଣ (PIA) ଦ୍ୱାରା ୨୦୧୯ରେ ୧୨.୮ ମିଲିୟନରୁ ଅଧିକ ପାସପୋର୍ଟ ଜାରି କରାଯାଇଥିଲା, ଯଦ୍ଦ୍ଵାରା ଭାରତ, ଚୀନ ଏବଂ ଆମେରିକା ପରେ ବିଶ୍ୱ ସ୍ତରରେ ସର୍ବ ବୃହତ ପାସପୋର୍ଟ ପ୍ରଦାନକାରୀ ଭାବେ ପରିଣତ ହୋଇଥିଲା।

ଇ-ପାସପୋର୍ଟ କ’ଣ?

ଇ-ପାସପୋର୍ଟ ହେଉଛି ପାରମ୍ପରିକ ପାସପୋର୍ଟର ଅପଗ୍ରେଡ୍। ଏହାକୁ ଆହୁରି ଅଧିକ ସୁରକ୍ଷିତ କରିବା ଏବଂ ବିଶ୍ୱ ସ୍ତରରେ ଆପ୍ରବାସନ ପୋଷ୍ଟ ମାଧ୍ୟମରେ ସୁଗମ ମାର୍ଗ ସୁନିଶ୍ଚିତ କରିବା ହେଉଛି ଏହାର ଉଦ୍ଦେଶ୍ୟ। ଏହା ଏକ ସ୍ୱତନ୍ତ୍ର ପାସପୋର୍ଟ, ଯାହା ଚିପ୍ ଯୁକ୍ତ। ଏହା ସହିତ କୌଣସି ବି ପ୍ରକାର ଠକେଇ କରାଯାଇ ପାରିବ ନାହିଁ। ଏଥିରେ ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ରହିଛି। ଯଦି କେହି ପାସପୋର୍ଟରେ ଥିବା ଚିପ୍ ସହିତ ଠକେଇ କରିବାକୁ ଚେଷ୍ଟା କରନ୍ତି, ତ ସିଷ୍ଟମ୍ ଏହାକୁ ଚିହ୍ନଟ କରି ନେବ। ଥରେ ଧରାପଡ଼ିଲେ, ବିମାନବନ୍ଦରରେ ପାସପୋର୍ଟର ସତ୍ୟାପନ ବିଫଳ ହୋଇଯିବ।

ଯାତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ବିବରଣୀ ଡିଜିଟାଲ୍ ରୂପରେ ହସ୍ତାକ୍ଷରିତ ହୋଇ ଏକ ଚିପରେ ସଂଗୃହୀତ ହେବ ଏବଂ ଏହାକୁ ପାସପୋର୍ଟରେ ଏମ୍ବେଡ୍ କରାଯିବ। ଇ-ପାସପୋର୍ଟ ପାଇଁ ସଫ୍ଟୱେୟାର ଆଇଆଇଟି କାନପୁର ଏବଂ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC) ଦ୍ୱାରା ବିକଶିତ ହୋଇଛି। ସରକାର ଇ-ପାସପୋର୍ଟର ନିର୍ମାଣ ପାଇଁ ଇଲେକ୍ଟ୍ରୋନିକ୍ କଣ୍ଟାକ୍ଟଲେସ୍ ଇନଲେସ୍ କ୍ରୟ ପାଇଁ ନାସିକର ଇଣ୍ଡିଆ ସିକ୍ୟୁରିଟି ପ୍ରେସକୁ ଅନୁମତି ଦେଇଛନ୍ତି। ଭାରତ ସରକାର ୨୦,୦୦୦ ସରକାରୀ ଏବଂ ରାଜନୈତିକ ଇ-ପାସପୋର୍ଟ ଜାରି କରିଛନ୍ତି। ଭାରତରେ ପ୍ରଥମ ଇ-ପାସପୋର୍ଟ ୨୦୦୮ ମସିହାରେ ଦେଶର ତତ୍କାଳୀନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଜାରି କରାଯାଇଥିଲା।

ଇ-ପାସପୋର୍ଟ ପାଇଁ କିପରି ଆବେଦନ କରିବେ?

ଇ-ପାସପୋର୍ଟ ପାଇବା ପାଇଁ ଆବେଦନକାରୀଙ୍କୁ ସାମ୍ପ୍ରତିକ ପ୍ରକ୍ରିୟା ଅନୁସରଣ କରିବାକୁ ପଡିବ। ଥରେ ଇ-ପାସପୋର୍ଟ ଜାରି କରାଯିବାର ପ୍ରକ୍ରିୟା ପୂରା ହୋଇଗଲେ, ଆବେଦନକାରୀଙ୍କୁ ଇ-ପାସପୋର୍ଟ ମିଳିବା ଆରମ୍ଭ ହୋଇଯିବ। ସେ ପର୍ଯ୍ୟନ୍ତ ଆବେଦନକାରୀମାନଙ୍କୁ ପାରମ୍ପରିକ ପାସପୋର୍ଟ ମିଳି ଚାଲିଥିବ।

ଇ-ପାସପୋର୍ଟ କେବେ ଲଞ୍ଚ ହେବ?

୨୦୧୬ରେ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି.କେ ସିଂ କହିଥିଲେ ଯେ ଚିପ-ଏମ୍ବେଡ୍ ଇ-ପାସପୋର୍ଟ ୨୦୧୭ ଆରମ୍ଭ ସୁଦ୍ଧା ଆରମ୍ଭ ହେବ। ପୁଣି ଜୁନ୍ ୨୦୨୦ରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ, ଚିପ୍ ଆଧାରିତ ପାସପୋର୍ଟର ଉତ୍ପାଦନ ପାଇଁ କ୍ରୟ ପ୍ରକ୍ରିୟା ଚାଲିଛି। ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବା ଆବଶ୍ୟକ। ବର୍ତ୍ତମାନର ପାସପୋର୍ଟ ଜାରି ବ୍ୟବସ୍ଥାରେ ବ୍ୟକ୍ତିଗତକରଣ ପ୍ରଣାଳୀର ମାନଦଣ୍ଡ ଅନ୍ତର୍ଭୁକ୍ତ ହେବା ପରେ ଭାରତର ସମସ୍ତ ୩୬ଟି ପାସପୋର୍ଟ କାର୍ଯ୍ୟାଳୟ ଇ-ପାସପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହୋଇଛି।