ଇପିଏଫ୍ରେ ଯେଉଁ କର୍ମଚାରୀ ନିୟମିତ ଭାବରେ ଯୋଗଦାନ କରନ୍ତି, ସେମାନଙ୍କୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ପ୍ରଦାନ କରେ କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫ୍ଓ) । ଯେଉଁ ସ୍କିମ୍ ଅଧୀନରେ ବୀମା ପ୍ରଦାନ କରାଯାଇଥାଏ, ତାହାକୁ ‘କର୍ମଚାରୀ ଜମା ଲିଙ୍କ୍ ବୀମା (EDLI)’ ଯୋଜନା କୁହାଯାଏ । ଯାହାଙ୍କର ମୂଳ ବେତନ (ବେସିକ୍ ସାଲାରୀ) ୧୫,୦୦୦ରୁ କମ୍, ସେହି କର୍ମଚାରୀଙ୍କ ଉପରେ ଏହା ଲାଗୁ ହୋଇଥାଏ ।
ଜଣେ କର୍ମଚାରୀଙ୍କ ମୂଳ ବେତନ ୧୫,୦୦୦ ଟଙ୍କାରୁ ଅଧିକ ହୋଇଥିଲେ, ବୀମାର ସର୍ବାଧିକ ଲାଭ ୬ ଲକ୍ଷ ଟଙ୍କା ହେବ । ଏହି ଯୋଜନା ଇଫିଏଫ୍ଓ ସଦସ୍ୟଙ୍କ ପରିବାରକୁ ଆର୍ଥିକ ରୂପେ ସାହାଯ୍ୟ କରିଥାଏ ।
ଇପିଏଫ୍ଓ EDLI ଯୋଜନା କ’ଣ?
-ଇପିଏଫ୍ଓ ସଦସ୍ୟଙ୍କୁ ଏହି ବୀମା ପାଇଁ କୌଣସି ପ୍ରିମିୟମ ଦେବାକୁ ପଡ଼େ ନାହିଁ ।
-EDLI ଅନ୍ତର୍ଗତ ଦାବି ରାଶିର ପରିମାଣ ପୂର୍ବ ୧୨ ମାସର ହାରାହାରି ମାସିକ ବେତନର ୩୫ ଗୁଣ, ଯାହା ସର୍ବାଧିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।
-ଏହି ସ୍କିମ୍ ଅଧୀନରେ ୧,୫୦,୦୦୦ ଟଙ୍କାର ବୋନସ ପ୍ରଦାନ କରାଯାଏ । ୨୦୨୧ ଏପ୍ରିଲ ୨୮ରୁ ବୋନସକୁ ବଢ଼ାଇ ୧.୭୫ ଲକ୍ଷ ଟଙ୍କା କରାଯାଇଛି ।
-ସମସ୍ତ EDLI ଗଣନା ପାଇଁ ମହଙ୍ଗା ଭତ୍ତାକୁ ମୂଳ ବେତନରେ ଲାଗୁ କରାଯିବା ଉଚିତ୍ ।
-ସମସ୍ତ କର୍ମଚାରୀଙ୍କୁ ୭ ଲକ୍ଷ ଟଙ୍କା ଦାବି ରାଶି ମିଳି ନ ଥାଏ । ଏକ ଫର୍ମୁଲା ଜରିଆରେ ଏହାର ଗଣନା କରାଯାଏ ।
ଫର୍ମୁଲା କ’ଣ?
ପୂର୍ବ ୧୨ ମାସର ମୂଳ ବେତନ ସହ ମହଙ୍ଗା ଭତ୍ତା (DA) ଉପରେ ବୀମା ରାଶି ନିର୍ଭର କରେ । ବୀମା କଭରେଜ ପାଇଁ ଦାବି ରାଶିର ପରିମାଣ ଶେଷ ମୂଳ ବେତନ ସହ ଡିଏ ମିଳିତ ରାଶିର ୩୫ ଗୁଣ । ଏହା ବ୍ୟତୀତ ଦାବିଦାରଙ୍କୁ ୧,୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ମଧ୍ୟ ପ୍ରଦାନ କରାଯାଇଥାଏ ।
ଉଦାହରଣ ସ୍ୱରୂପ, ଯଦି ଜଣେ କର୍ମଚାରୀଙ୍କର ଗତ ୧୨ ମାସର ମୂଳ ବେତନ + DA ହେଉଛି ୧୫,୦୦୦ ଟଙ୍କା, ତେବେ ବୀମାର ପରିମାଣ (୩୫ x ୧୫,୦୦୦) + ୧,୭୫,୦୦୦ = ୭,୦୦,୦୦୦ ଟଙ୍କା ହେବ ।
କେମିତି କରିବେ ଦାବି?
ଯଦି ଇପିଏଫ୍ ଗ୍ରାହକଙ୍କର ଅକାଳ ମୃତ୍ୟୁ ଘଟେ, ତା’ ହେଲେ ତାଙ୍କ ନୋମିନୀ କିମ୍ବା ଆଇନଗତ ଉତ୍ତରାଧିକାରୀ ବୀମା କଭରେଜ୍ ଦାବି କରିପାରିବେ । ଏଥିପାଇଁ ନୋମିନୀଙ୍କ ବୟସ ଅତିକମରେ ୧୮ ବର୍ଷ ହେବା ଜରୁରୀ । ଏହାଠାରୁ କମ୍ ହୋଇଥିଲେ, ମାତାପିତା ତାଙ୍କ ତରଫରୁ ଦାବି କରିପାରିବେ । ଦାବି କରିବାବେଳେ ମୃତ୍ୟୁ ଏବଂ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକ ହୋଇଥାଏ ।