ମହଙ୍ଗା ଯୁଗରେ ଏବେ ଚାକିରିଆଙ୍କ ପାଇଁ ଆସିଛି ଆଉ ଏକ ଖରାପ ଖବର। ଇପିଏଫଓର ସୁଧ ଦରରେ ପରିବର୍ତ୍ତନ କରାଯାଇଛି। ଯାହା ବିଗତ ୪୦ ବର୍ଷ ମଧ୍ୟରେ ହୋଇନଥିଲା। ତାହା ଏବେ ହେବାକୁ ଯାଉଛି। ସବୁ ଜିନିଷର ଦରଦାମ ବଢୁଥିବା ବେଳେ ଚାକିରିଆଙ୍କ ପକେଟ ଉପରେ ଭାରି ପ୍ରଭାବ ପଡ଼ିବ। କାହିଁକି ନା ଇପିଏଫଓରେ ସୁଧହାର କମିବାକୁ ଯାଉଛି। ଆଗକୁ ହୋଲି ପର୍ବ ପାଇଁ ଲୋକେ ସରକାରଙ୍କ ଠାରୁ କିଛି ଭଲ ଖବର ଶୁଣିବାକୁ ଅପେକ୍ଷା କରିଥିବା ବେଳେ ସେମାନଙ୍କ ମନ ଭାରୀ କଲା ଭଳି ଖବର ଆସିଛି । ଲମ୍ବା ସମୟ ଧରି ଇପିଏଫଓର ସୁଧ ହାର ବଢ଼ିବାର ଅପେକ୍ଷା କରିଥିବା ୬ କୋଟି ଲୋକଙ୍କୁ ଲାଗିବ ସରକାରଙ୍କ ତରଫରୁ ବଡ଼ ଝଟକା।
ହୋଲି ପୂର୍ବରୁ ହିଁ ସରକାର ଇପିଏଫଓର ସୁଧ ବଢ଼ାଇବା ବଦଳରେ ଏହାକୁ କମାଇ ଦେଇଛନ୍ତି। ୬ କୋଟି ବେତନଭୋଗୀ କର୍ମଚାରୀଙ୍କ ହୋଲି ଖୁସିକୁ ପାଣିଚିଆ କରି ଦେଇଛନ୍ତି ସରକାର। ଇପିଏଫଓର ସୁଧ ହାରକୁ ୮.୫ରୁ ୮.୧%କୁ କମାଇ ଦିଆଯାଇଛି। ଗତ ୪୦ ବର୍ଷ ଭିତରେ ଏହା ହେଉଛି ସବୁଠାରୁ କମ୍ ସୁଧ ହାର । ଏହା ପୂର୍ବରୁ ୧୯୭୭ ମସିହାରେ ପିଏଫ ସୁଧ ହାର ୮ ପ୍ରତିଶତ ଥିଲା। ଗତ ବର୍ଷ ୮.୫% ସୁଧ ହାର ରହିଥିଲା। କର୍ମଚାରୀ ଭବିଷ୍ୟନିଧି ସଂଗଠନ CBT ସଂସ୍ଥା ଶନିବାର ଦିନ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି।
କରୋନା ମହାମାରୀ ଇପିଏଫ୍ଓର ଆୟକୁ ଗୁରୁତର ଭାବେ ପ୍ରଭାବିତ କରିଛି। ତେଣୁ, ୨୦୧୯-୨୦ ଆର୍ଥିକ ବର୍ଷର ୮.୫% ସୁଧ ଦେବାରେ ବହୁ ବିଳମ୍ବ ହୋଇଥିଲା । ଶେଷରେ ତାହାକୁ ଦୁଇଟି କିସ୍ତିରେ ଜମା କରାଯାଇଥିଲା।
୨୦୨୧-୨୨ ଆର୍ଥିକ ବର୍ଷରେ ଇପିଏଫ୍ଓର ଆୟ ୭୬,୭୬୮ କୋଟି ଟଙ୍କା ରହିଛି। ଏହା ଏକ ଅତ୍ୟନ୍ତ କଠିନ ବର୍ଷ ଥିଲା। ତେବେ ଡେବ୍ଟ ନିବେଶରୁ ହୋଇଥିବା ଆୟ ବ୍ୟତୀତ ସୌଭାଗ୍ୟବଶତଃ ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିବା ପୂର୍ବରୁ ଇକ୍ବିଟି ଟ୍ରେଡେଡ୍ ଫଣ୍ଡ୍ (ଇଟିଏଫ୍) ବିକ୍ରି ସମ୍ଭବ ହୋଇଥିଲା । ଫଳରେ ଇପିଏଫ୍ଓର ପାଣ୍ଠି ବୃଦ୍ଧି ପାଇଥିଲା। ମୋଟ ପାଣ୍ଠି ପରିମାଣ ଯଦିଓ ୧୩% ବଢ଼ିଥିଲା, ମାତ୍ର ସୁଧରୁ ହେଉଥିବା ଆୟ ୮%ରେ ସୀମିତ ରହିଥିଲା।
ସମସ୍ତ କ୍ଷେତ୍ରରୁ ହୋଇଥିବା ଆୟକୁ ହିସାବକୁ ନେବା ପରେ ୮.୧% ସୁଧ ଦେବାକୁ ନିଷ୍ପତ୍ତି ହୋଇଛି। ସୁଧ ଜମା କରିବା ପରେ ଇପିଏଫ୍ଓ ପାଖରେ ୪୫୦ କୋଟି ଟଙ୍କା ବଳକା ରହିବ ଯାହାକୁ ପେନ୍ସନ୍ ପାଣ୍ଠିରେ ଜମା କରାଯିବ। ଶନିବାର ଗୁଆହାଟିରେ ଅନୁଷ୍ଠିତ ଇପିଏଫ୍ଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ବୈଠକରେ ସୁଧ ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏବେ ଠାରୁ ଇପିଏଫଓର ସୁଧହାର ୮.୧% ଲାଗୁ ହେବ। ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟିଜର ନିଷ୍ପତ୍ତି ଅନୁଯାୟୀ ଇପିଏଫଓ ଏବେ ବିତ୍ତ ମନ୍ତ୍ରାଳୟ ଠୁ ମଞ୍ଜୁରୀ ନେବ। ସେଠାରେ ମୋହର ଲାଗିବା ପରେ ଖାତାଧାରକଙ୍କୁ ଦିଆଯାଉଥିବା ସୁଧ ହରରେ ପରିବର୍ତ୍ତନ କରାଯିବ । ତେବେ ଏହା ପାଖାପାଖି ୪୦ ବର୍ଷ ପରେ ପରିବର୍ତ୍ତନ ହୋଇଛି। ଚାରି ଦଶକ ମଧ୍ୟରେ ସବୁଠୁ କମ ସୁଧ ହାର କରାଯାଇଛି। ଏହାପୂର୍ବରୁ ୧୯୭୭-୭୮ ମସିହାରେ କର୍ମଚାରୀଙ୍କୁ ସବୁଠାରୁ କମ୍ ୮% ସୁଧହାର ଦେବା ପାଇଁ ନିଷ୍ପତ୍ତି ହୋଇଥିଲା।
ଏହା ସହିତ ଲୋକଙ୍କୁ ଲୋନ ନେବାରେ ମଧ୍ୟ ସମସ୍ୟା ହେବ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ଶାଖା ବ୍ୟାଙ୍କକୁ ଦେଉଥିବା ଋଣ ଦର ଅର୍ଥାତ୍ ରେପୋ ରେଟକୁ ବଢ଼ାଇବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଏମିତି ବି ଅନୁମାନ କରାଯାଉଛି କି ଆଗାମୀ ଦିନମାନଙ୍କରେ ଇପିଏଫଓର ସୁଧହାରରେ ଆହୁରି ହ୍ରାସ କରାଯିବ। ଛୋଟ ସଂଚୟ ଯୋଜନାରେ ଥିବା ପବ୍ଳିକ ପ୍ରୋଭିଡେଣ୍ଟ ଫଣ୍ଡ ବା ପିପିଏଫ ସ୍କିମରେ ସୁଧ ଦର ୭.୧% ରହିଛି।