କରୋନା ସଙ୍କଟ ସମୟରେ କାମରେ ଆସୁଛି ପ୍ରୋଭିଡେଣ୍ଟ ଫଣ୍ଡ, ଇପିଏଫ୍ଓ ପକ୍ଷରୁ ୧.୩୭ ଲକ୍ଷ ଅଭିଯୋଗକାରୀଙ୍କୁ ଜାରି କଲା ୨୮୦ କୋଟି ଟଙ୍କା
କରୋନା ସଙ୍କଟ ସମୟରେ ଲକ୍ଡାଉନ ଚାଲିଥିବା ବେଳେ ଯଦି ଆପଣ ଆର୍ଥତ୍କ ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, ତେବେ ଆପଣଙ୍କର କର୍ମଚାରୀ ଭବିଷ୍ୟନିଧି (ଇପିଏଫ୍)ରୁ ଟଙ୍କା ଉଠାଇପାରିବେ। ଏ ନେଇ ଇପିଏଫ୍ ଆକାଉଣ୍ଟରୁ ଟଙ୍କା ଉଠାଇବା ନିୟମାବଳୀରେ ସଂଶୋଧନ କରାଯାଇଛି। ବିଜ୍ଞପିତ ହୋଇଥିବା ଏହି ସଂଶୋଧିତ ନିୟମ ଅନୁଯାୟୀ ଜଣେ ଇପିଏଫ୍ ସଦସ୍ୟ ତାଙ୍କ ତିନିମାସର ମୂଳ ବେତନ ଓ ମହଙ୍ଗା ଭତ୍ତା ପରିମାଣର ଅର୍ଥ କିମ୍ବା ଆକାଉଣ୍ଟରେ ଜମା ଥିବା ଅର୍ଥର ୭୫ ପ୍ରତିଶତ, ଯେଉଁଟି କମ୍ ହେଉଥିବ ଉଠାଇପାରିବେ। ଏହି ଅନୁମତି ମିଳିବା ପରେ ଏପର୍ଯ୍ୟନ୍ତ ୧.୩୭ ଲକ୍ଷ ଲୋକ ୨୭୯.୬୫ କୋଟି ଟଙ୍କା ଆକାଉଣ୍ଟରୁ କାଢିସାରିଲେଣି।
ସଂଶୋଧିତ ନିୟମ ଅନୁଯାୟୀ କେବଳ କୋଭିଡ୍-୧୯ ନୁହେଁ, ଭବିଷ୍ୟତରେ ଅନ୍ୟ କୌଣସି ମହାମାରୀ ହେଲେ ସମ୍ପୃକ୍ତ ସରକାର କର୍ମଚାରୀମାନଙ୍କୁ ଇପିଏଫ୍ରୁ ଏଭଳି ଅଗ୍ରିମ ନେବା ପାଇଁ ଅନୁମତି ଦେବେ। ଇପିଏଫ୍ ଆକାଉଣ୍ଟଧାରୀ ଅନ୍ଲାଇନରେ ଆବେଦନ କରିପାରିବେ। ଇପିଏଫ୍ ସଦସ୍ୟଙ୍କ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର (ୟୁଏଏନ୍) ଆକ୍ଟିଭେଟେଡ ଥିବ, ଆଧାର ଯାଞ୍ଚ ହୋଇ ୟୁଏଏନ୍ରେ ସଂଯୋଗ ହୋଇଥିବ ଏବଂ ୟୁଏଏନ୍ ସହ ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଇଏପ୍ଏସ୍ସି କୋଡ୍ ଦିଆଯାଇଥିବ।
କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍ଓ) ଦ୍ୱାରା ଜାରି ଏଫ୍ଏକ୍ୟୁ ଅନୁଯାୟୀ, ଉପରୋକ୍ତ ସୁବିଧା ପାଇବା ପାଇଁ ନିଯୁକ୍ତିଦାତାଙ୍କ ସାର୍ଟିଫିକେଟ କିମ୍ବା ଅନ୍ୟ ଦସ୍ତାବିଜ୍ର ଆବଶ୍ୟକତା ନାହିଁ। ତେବେ କର୍ମଚାରୀ ଇପିଏଫ୍ ଆକାଉଣ୍ଟରୁ ଅନ୍ଲାଇନ ଟଙ୍କା ଉଠାଇବା ପାଇଁ ଆବେଦନ କଲାବେଳେ ଚେକ୍ର ଏକ ସ୍କାନ୍ କପି ଅପ୍ଲୋଡ କରିବାକୁ ହେବ। ଅନଲାଇନ ଆବେଦନ ଲାଗି ଇ-ସେବା ପୋର୍ଟାଲ http://unifiedportal-mem.epfindia.gov.in/memberinterfaceକୁ ଯାଇ ନିଜ ୟୁଏଏନ୍ ଏଣ୍ଟର କରି ଆକାଉଣ୍ଟକୁ ଲଗଇନ୍ କରିପାରିବେ।